ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଆକ୍ସନ୍ ହିରୋ ସନ୍ନି ଦେଓଲଙ୍କ ବ୍ଲକବଷ୍ଟର ମୁଭି ହେଲା ‘ଘାୟଲ’। ଏହାର ନିର୍ମାଣ ପଛର କିଛି ମଜାଦାର କଥା ରହିଛି।

ଆସନ୍ତୁ ଜାଣିବା ସେ ସମ୍ପର୍କରେ…

୧୯୯୦ ମସିହା ଜୁନ୍ ୨୨ ତାରିଖ। ଏହା ବଲିଉଡ ପାଇଁ ଏକ ଉଲ୍ଲେଖଯୋଗ୍ୟ ଦିନ। କାରଣ ଏହି ଦିନ ଦୁଇଟି ବିଗ୍ ବ୍ୟାନରର ସିନେମା ରିଲିଜ୍ ହୋଇଥିଲା। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଦୁଇଟି ଯାକ ସିନେମା ବକ୍ସ ଅଫିସରେ ସୁପରହିଟ୍ ହେଲା।

ସାଧାରଣତଃ ଏକା ଦିନେ ଦୁଇଟି ବଡ଼ ସିନେମା ମୁକ୍ତିଲାଭ କରିଲେ, ଗୋଟିଏ ଫ୍ଲପ୍ ହୋଇଥାଏ। କିନ୍ତୁ ଏଥର ସେଭଳି କିଛି ଘଟିନଥିଲା।

୧୯୯୦ ଜୁନ୍ ୨୨ ତାରିଖରେ ମୁକ୍ତିଲାଭ କରିଥିଲା ଆକ୍ସନ୍ ହିରୋ ସନ୍ନି ଦେଓଲ୍‌ ଷ୍ଟାରର୍ ‘ଘାୟଲ୍‌’ ଓ ଚକ୍‌ଲେଟ୍ ହିରୋ ଅମୀର ଖାନ୍‌ଙ୍କ ଅଭିନୀତ ‘ଦିଲ୍‌’। ଉଭୟ ‘ଘାୟଲ୍’ ଓ ‘ଦିଲ୍‌’କୁ ବକ୍ସଅଫିସରେ ମିଳିଥିଲା ଢ଼େର୍ ସଫଳତା।

ଏବେ ଆସନ୍ତୁ ‘ଘାୟଲ୍’ ସମ୍ପର୍କରେ ଜାଣିବା।

ଏହାର ଅବଧି ଥିଲା ୧୬୩ ମିନିଟ୍। ‘ଘାୟଲ୍‌’ର ପ୍ରଯୋଜନା କରିଥିଲେ ହିମ୍ୟାନ୍ ଧର୍ମେନ୍ଦ୍ର। ଏହାର ନିର୍ଦ୍ଦେଶନା ଦେଇଥିଲେ ଜଣାଶୁଣା ନିର୍ଦ୍ଦେଶକ ରାଜ୍ କୁମାର ସନ୍ତୋଷୀ।

କମଲ୍, ମିଥୁନ୍ ଓ ସଞ୍ଜୟ ଥିଲେ ପ୍ରଥମ ପସନ୍ଦ:-

ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀ ‘ଘାୟଲ୍‌’ର ସ୍କ୍ରିପ୍ଟ କରିବା ବେଳେ ଏଥିରେ ହିରୋ ଭୂମିକା ସାଉଥ୍ ସୁପରଷ୍ଟାର୍ କମଲ୍ ହାସନ୍‌ଙ୍କୁ ଦେବେ ବୋଲି ସ୍ଥିର କରିଥିଲେ। ସେ ସମୟରେ କମଲ ହାସନ ଖୁବ୍ ବ୍ୟସ୍ତ କଳାକାର ଥିଲେ।

ରାଜ କୁମାର ସନ୍ତୋଷୀଙ୍କର ସେହି ସମୟରେ ସ୍ୱତନ୍ତ୍ର ପରିଚୟ ନଥାଏ। ସେ କେବଳ ପ୍ରଖ୍ୟାତ ନିର୍ଦ୍ଦେଶକ ଗୋବିନ୍ଦ ନିହଲାନୀଙ୍କର ଆସିଷ୍ଟାଣ୍ଟ ଭାବେ ପରିଚିତ ଥାଆନ୍ତି। ଏଣୁ କମଲ ହାସନଙ୍କୁ ‘ଘାୟଲ୍’ରେ ହିରୋ ଭାବେ ଆପ୍ରୋଚ୍ କରିବା ରାଜ କୁମାର ସନ୍ତୋଷୀଙ୍କ ପକ୍ଷରେ କାଠିକାର ପାଠଥିଲା। ଏଣୁ ସେ କମଲ ହାସନଙ୍କୁ ନେଇ ଫିଲ୍ମ ବନାଇବାର ନିଷ୍ପତ୍ତିକୁ ଛାଡ଼ିଲେ।

ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀ କମଲ ହାସନଙ୍କ ପରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ‘ଘାୟଲ’ ନିର୍ମାଣ କରିବାର ଚିନ୍ତା କଲେ। ଏଥିଲାଗି ସେ ମିଥୁନ ଦା’ଙ୍କୁ ମଧ୍ୟ ଆପ୍ରୋଚ୍ କରିଥିଲେ। ସ୍କ୍ରିପ୍ଟ ଶୁଣି ମିଥୁନ୍ ଚକ୍ରବର୍ତ୍ତୀ ବି ଉତ୍ସାହିତ ହୋଇଥିଲେ। କିନ୍ତୁ ସନ୍ତୋଷୀ ପ୍ରଯୋଜକ ଯୋଗାଡ଼ କରିବାରେ ଅସଫଳ ହେଲେ। ଏହା ଫଳରେ ମିଥୁନ୍ ବି ‘ଘାୟଲ୍‌’ରେ କାମ କରିପାରିନଥିଲେ।

ଏହାପରେ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀ ପ୍ରଯୋଜକ ଏ. ସୁବ୍‌ବା ରାଓଙ୍କୁ ‘ଘାୟଲ୍‌’ର ପ୍ରଯୋଜନା ଦାୟିତ୍ୱ ଦୋବକୁ ରାଜି କରାଇଥିଲେ। ସୁବ୍‌ବା ରାଓ କିନ୍ତୁ ସର୍ତ୍ତ ରଖିଥିଲେ ଯେ ଯଦି ସଞ୍ଜୟ ଦତ୍ତ ଏଥିରେ ହିରୋ ହେବେ, ତେବେ ସେ ‘ଘାୟଲ୍’ ତିଆରି କରିବେ।

ତା’ ପରେ ସନ୍ତୋଷୀ ସେ ସମୟର ଟପ୍ ଷ୍ଟାର୍ ସଞ୍ଜୟ ଦତ୍ତଙ୍କୁ ଆପ୍ରୋଚ୍ କରିଥିଲେ। ହେଲେ ସଞ୍ଜୁବାବା ସେତେବେଳେ ଏତେ ବ୍ୟସ୍ତ ଥିଲେ ଯେ ତାଙ୍କ ହାତରେ ଡେଟ୍ସ ନଥିଲା। ଏହାଫଳରେ ‘ଘାୟଲ୍‌’ରେ ସଞ୍ଜୟ ଦତ୍ତ ବି ବନିନଥିଲେ ହିରୋ।

ଏଥିରେ ଖୁବ୍ ବ୍ୟଥିତ ହୋଇଥିଲେ ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀ। ‘ଘାୟଲ୍‌’ ନିର୍ମାଣର ଆଶା ଛାଡ଼ି ଦେଇଥିବା ବେଳେ ସେ ଜଣେ ବନ୍ଧୁଙ୍କ ସହାୟତାରେ ଅଭିନେତା- ପ୍ରଯୋଜକ ଧର୍ମେନ୍ଦ୍ରଙ୍କୁ ଭେଟିଲେ। ଧର୍ମେନ୍ଦ୍ର ‘ଘାୟଲ୍’ର କାହାଣୀ ଶୁଣିବା ପରେ ତା’ର ପ୍ରଯୋଜନା କରିବାକୁ ରାଜି ହୋଇଥିଲେ।

ଧର୍ମେନ୍ଦ୍ର ନିଜର ହୋମ୍ ପ୍ରଡକ୍ସନ ବିଜେତା ଫିଲ୍ମସ୍ ବ୍ୟାନରରେ ‘ଘାୟଲ୍‌’ର ନିର୍ମାଣ କରିଥିଲେ। ଏହି ଫିଲ୍ମରେ କାମ କରିବା ଆଗରୁ ସନ୍ନି ଦେଓଲ ପ୍ରାୟ ଅଢ଼େଇ ଘଣ୍ଟା ଧରି ସ୍କ୍ରିପ୍ଟ ଶୁଣିଥିଲେ। ସେ ଶତପ୍ରତିଶତ ସନ୍ତୁଷ୍ଟ ହେବା ପରେ ଏଥିରେ ହିରୋ ବନିବାକୁ ରାଜି ହୋଇଥିଲେ।

‘ଘାୟଲ୍‌’ରେ ସନ୍ନି ଦେଓଲଙ୍କ ବ୍ୟତୀତ ମିନାକ୍ଷୀ ଶେଷାଦ୍ରୀ, ଅମ୍ରିଶ ପୁରୀ, ରାଜ ବବର, ମୌସୁମୀ ଚାର୍ଟ୍ଟାଜୀ, ଓମ୍‌ପୁରୀ ଓ କୁଲ ଭୂଷଣ ଖରବନ୍ଦା ପ୍ରମୁଖ ଲିଡ୍‌ ରୋଲ୍‌ରେ ଥିଲେ। ‘ଘାୟଲ୍’ ପାଇଁ ସନ୍ନି ଦେଓଲ ତାଙ୍କ କ୍ୟାରିଅର୍‌ର ପ୍ରଥମ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲେ।

Comment