ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

କିଏ କହେ ତାଙ୍କୁ ଜମ୍ପିଂ ଜ୍ୟାକ୍ ତ ପୁଣି ଏଭରଗ୍ରିନ୍ ଷ୍ଟାର। ସେ କେତେବେଳେ ନିଜର ଡ୍ୟାନ୍ସ ଦ୍ୱାରା ଦର୍ଶକଙ୍କୁ ପ୍ରଲୁବ୍ଧ କରିଥିଲେ ତ ପୁଣି କେତେବେଳେ ନାୟିକାଙ୍କ ସହ ହିଟ୍ ଯୋଡି ବନାଇ ଚର୍ଚ୍ଚିତ ହୋଇଥିଲେ। ଏହି ବ୍ୟକ୍ତି ଜଣକ ହେଲେ ଜିତେନ୍ଦ୍ର।

ଜିତେନ୍ଦ୍ରଙ୍କର ପ୍ରକୃତ ନାମ ହେଲା ରବି କପୁର। ସେ ୯୯ଟି ଫିଲ୍ମରେ ସୋଲେ ହିରୋ ହେବା ସହିତ ୧୦୩ଟି ମଲ୍‌ଟିଷ୍ଟାରର ଫିଲ୍ମରେ କାମ କରିଛନ୍ତି। ଜିତେନ୍ଦ୍ରଙ୍କ କ୍ୟାରିଅର ଯେମିତି ଘଟଣା ବହୁଳ, ଠିକ ସେମିତି ତାଙ୍କ ବାସ୍ତବ ଜୀବନର  ଅନେକ କଥା ଗପ ଭଳି ଲାଗେ। ବିଶେଷ କରି ତାଙ୍କର ପ୍ରେମ ଓ ବିବାହ ପ୍ରସଙ୍ଗ ବେଶ୍ ମଜାଦାର।

ଜିତେନ୍ଦ୍ର ସଫଳ ଅଭିନେତା ହେବା ଲାଗି ୧୯୬୦ରୁ ୧୯୬୬ ଯାଏଁ ଷ୍ଟ୍ରଗଲ୍ କରୁଥିଲେ। ସେହି ସମୟରେ  ଦିନେ ସେ ମୁମ୍ବାଇର ସି ବିଚ୍‌ରେ ଏକ ଝିଅ ଉପରକୁ ଚଣା ଫିଙ୍ଗି ଥିଲେ। ସେହି ଝିଅଟିର ବୟସ ସେତେବେଳକୁ ମାତ୍ର ଚଉଦ ବର୍ଷ। ନାଆଁ ତାରା ଶୋଭା। ସେହି ସମୟରେ କଲେଜରେ ପଢ଼ୁଥିଲେ। ସେହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇଥିଲା, ହେଲେ ତା’ ଉଭୟଙ୍କୁ ନିକଟତର କରିବାରେ ବି ସହାୟକ ହୋଇଥିଲା। ସମୟ କ୍ରମେ ଶୋଭା ବ୍ରିଟିଶ୍ ଏୟାରୱେଜରେ ଏୟାରହୋଷ୍ଟସ୍ ଭାବେ ଚାକିରି କରିଥିଲେ। ତା’ପରେ ସେ ଦୁହିଁଙ୍କର ଦେଖା ସାକ୍ଷାତ କମିଗଲା, କାରଣ ସେମାନଙ୍କର ପ୍ରଫେସନ ଥିଲା ଭିନ୍ନ ଭିନ୍ନ।

୧୯୭୨ ମସିହା ବେଳକୁ ଜିତେନ୍ଦ୍ର ବିଶେଷ ସଫଳ ନ ହେଲେ ବି ଲୋକପ୍ରିୟତା ହାସଲ କରିସାରିଥାନ୍ତି। ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ‘ଗୀତ ଗାୟା ପଥରୋଁନେ’, ‘ୱାରିସ୍’ ଓ ‘ଗେହେରୀ ଚାଲ୍‌’ ଆଦି ତାଙ୍କୁ ଚର୍ଚ୍ଚାରେ ଆଣିବାକୁ ସହାୟକ ହୋଇଥିଲା। ସବୁଠୁ ବଡ଼ କଥା ହେଲା ଯେ ଜିତେନ୍ଦ୍ର ଶୋଭାକୁ ବିବାହ କରିବା କଥା ଚିନ୍ତା ବି କରୁନଥିଲେ, କାରଣ ସେ ପର୍ଯ୍ୟନ୍ତ ସୁପ୍ରତିଷ୍ଠିତ ହୋଇନଥିଲେ। ହେଲେ ଜିତେନ୍ଦ୍ର -ଶୋଭାଙ୍କ ପ୍ରେମ ସମ୍ପର୍କରେ ଭଲଭାବେ ଜାଣିଥିଲେ ଧର୍ମେନ୍ଦ୍ର।

୧୯୭୪ରେ ଜିତେନ୍ଦ୍ର ଓ ହେମାମାଳିନୀ ଏକାଠି ଏକ ଫିଲ୍ମରେ କାମ କରୁଥିଲେ। ସିନେମାର ଟାଇଟଲ୍ ଥିଲା ‘ଦୁଲହନ୍’। ଏହି ସୁଟିଂ ସମୟରେ ହେମା ଜିତେନ୍ଦ୍ରଙ୍କୁ ବାହା ହେବାର ଇଚ୍ଛା ଜାହିର କରିଥିଲେ, ଆଉ ଜିତୁ ବି ରାଜି ହୋଇଥିଲେ। ସେତେବେଳକୁ ଧର୍ମେନ୍ଦ୍ରଙ୍କ ନଜର ବି ହେମାଙ୍କ ଉପରେ ଥିଲା। ସେ ବି ହେମାମାଳିନୀଙ୍କୁ ବିବାହ କରିବାର ସ୍ୱପ୍ନ ଦେଖୁଥିଲେ। ହେମା ଜିତେନ୍ଦ୍ରଙ୍କୁ ବିବାହ କରିବାକୁ ଯାଉଥିବା ଖବର ଧର୍ମେନ୍ଦ୍ରଙ୍କ କାନରେ ପଡ଼ିଲା। କ’ଣ କରିବେ ବୋଲି ତାଙ୍କୁ ବୁଦ୍ଧିବାଟ ଦିଶିଲା ନାହିଁ। ସେ ହେମାଙ୍କୁ ପାଇବା ପାଇଁ ପାଗଳ ପ୍ରାୟ। ହଠାତ୍ ତାଙ୍କ ମୁଣ୍ଡକୁ ଗୋଟେ କଥା ଜୁଟିଲା। ସେ କାଳ ବିଳମ୍ବ ନ କରି ଶୋଭାଙ୍କ ପାଖରେ ପହଞ୍ଚିଲେ। ଜିତେନ୍ଦ୍ର ଓ ହେମାଙ୍କ ସମ୍ପର୍କକୁ ନେଇ ଯେଉଁ ଚର୍ଚ୍ଚା ହେଉଛି, ସେ କଥା କହିଲେ। ତା’ ଛଡ଼ା ସେ ନିଜେ ହେମାଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିବାକୁ ଚାହୁଁଛନ୍ତି ବୋଲି ଧର୍ମେନ୍ଦ୍ର କହିଲେ। ହେମା ଓ ଜିତେନ୍ଦ୍ରଙ୍କୁ ବୁଝାଇ ଏଥିରୁ ନିବୃତ୍ତ କରିବାକୁ ଶୋଭାଙ୍କୁ ଦାୟିତ୍ୱ ଦେଲେ ଧରମ।

ଶୋଭାଙ୍କ ମନରେ ତ ଜିତେନ୍ଦ୍ରଙ୍କ ପ୍ରତି ଦୁର୍ବଳତା ଥାଏ। ଏଣୁ ସେ ବି ସବୁ କଥା ଶୁଣିବା ପରେ ଧର୍ମେନ୍ଦ୍ରଙ୍କ ସହିତ ଏକ ହେଲିକେପ୍ଟରରେ ଜିତେନ୍ଦ୍ର ଓ ହେମା ସୁଟିଂ କରୁଥିବା ସ୍ଥାନରେ ପହଞ୍ଚିଲେ। ସୁଟିଂ ପ୍ୟାକଅପ୍ ହେବାପରେ ଧର୍ମେନ୍ଦ୍ର ଓ ଶୋଭା ପ୍ରଥମେ ହେମା ରହୁଥିବା ହୋଟେଲରେ  ପହଞ୍ଚିଲେ। ଶୋଭା ହେମାଙ୍କୁ କହିଲେ ଯେ ସେ ହେଉଛନ୍ତି ଜିତେନ୍ଦ୍ରଙ୍କ ପ୍ରେମିକା, ଆଉ ତାଙ୍କ ଜୀବନସାଥୀ ହେବାର ଅଭିଳାଷ ରଖିଛନ୍ତି। ଏଣୁ  ସେ ଜିତେନ୍ଦ୍ରଙ୍କୁ ପ୍ରେମଫାଶରୁ ମୁକ୍ତ କରନ୍ତୁ। ହେମା କିନ୍ତୁ କିଛି ବୁଝିବାକୁ ପ୍ରସ୍ତୁତ ନଥିଲେ। ଜିତେନ୍ଦ୍ରଙ୍କ ପରି ହ୍ୟାଣ୍ଡସମ ଆକ୍ଟରଙ୍କୁ ହାତଛଡ଼ା କରିବାକୁ ଚାହୁଁନଥିଲେ ହେମା।

ସେଠାରୁ ନିରାଶ ହୋଇ ଧର୍ମେନ୍ଦ୍ର ଓ ଶୋଭା ଜିତେନ୍ଦ୍ରଙ୍କ ରୁମକୁ ଗଲେ। ଶୋଭା ସେଇଠି ପ୍ରଥମେ ନିଜ ଆଡୁ ଜିତେନ୍ଦ୍ରଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଅପରପକ୍ଷରେ ଧର୍ମେନ୍ଦ୍ର ହେମାଙ୍କୁ ତାଙ୍କ ପାଇଁ ତ୍ୟାଗ କରିବାକୁ ଅନୁରୋଧ କରିଲେ। ସେତେବେଳକୁ ଧର୍ମେନ୍ଦ୍ର ଓ ଜିତେନ୍ଦ୍ର ଭଲ ସାଙ୍ଗ ହୋଇ ସାରିଥିଲେ। ଏଣୁ ଜିତେନ୍ଦ୍ର ଗୋଟିଏ ସର୍ତ୍ତରେ ଶୋଭାକୁ ବିବାହ କରିବା ଲାଗି ରାଜି ହେଲେ। ସେ କହିଲେ ଯେ ତାଙ୍କର ଏକ ଫିଲ୍ମ ‘ବିଦାୟୀ’ ରିଲିଜ୍ ହେବାକୁ ଯାଉଛି, ଯଦି ଏହା ବକ୍ସ ଅଫିସରେ ହିଟ୍ ହୁଏ, ତେବେ ଭାବିବେ ଶୋଭା ତାଙ୍କ ପାଇଁ ଲକି ଓ ତାଙ୍କୁ ଜୀବନସାଥୀ ରୂପେ ସ୍ୱୀକାର କରିବେ।

ଏହି ଆଶ୍ୱାସନା ପାଇବା ପରେ ଧର୍ମେନ୍ଦ୍ର ଓ ଶୋଭା ଫେରି ଆସିଥିଲେ। ଏହାର କିଛି ଦିନ ପରେ ‘ବିବାହ’ ରିଲିଜ ହେଲା ଏବଂ ହିଟ୍ ବି ହେଲା। ଜିତେନ୍ଦ୍ର ତାଙ୍କ କଥା ରଖିଲେ ଓ ୧୯୭୪ ମସିହା ଅକ୍ଟୋବର ୧୮ ତାରିଖରେ ଶୋଭାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ। ଏହି ବାହାଘର ‘ଜାନକୀ କୁଟୀର’ରେ ନିରାଡମ୍ବର ଅନୁଷ୍ଠିତ ହେଲା ନିଜ ଝିଅର ବିବାହ ଉତ୍ସବରେ  ଶୋଭାଙ୍କ ମାଆ ଅନୁପସ୍ଥିତ ଥିଲେ। କାରଣ ସେ ଜାପାନ ଯାଇଥିଲେ। ପ୍ରକୃତରେ ଜିତେନ୍ଦ୍ରଙ୍କ ପାଇଁ ଶୋଭା ଲକି ସାବ୍ୟସ୍ତ ହେଲେ। ବାହାଘର ପରେ ଜିତେନ୍ଦ୍ର ଜଣେ ସୁପରଷ୍ଟାର ହେଲେ ଓ ବହୁ ସୁପରହିଟ୍ ଫିଲ୍ମ ଦେଲେ। ଆଜି ଜିତେନ୍ଦ୍ର ଓ ଶୋଭାଙ୍କ କନ୍ୟା ଏକତା କପୁର ଜଣେ ସଫଳ ପ୍ରଯୋଜିକା।

Comment