ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଲୁମିନିୟମ୍ ଉଦ୍ୟୋଗରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ନବରତ୍ନ କମ୍ପାନି ନାଲ୍‌କୋ ପକ୍ଷରୁ ମୁମ୍ବାଇଠାରେ ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ଯୋଗଦେଇ ଉଦବୋଧନ ଦେଇଛନ୍ତି।

ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି, “ଭାରତରେ ଆଲୁମିନିୟମ୍ ବ୍ୟବହାର ୨୦୩୦ ସୁଦ୍ଧା ତିନିଗୁଣ ବୃଦ୍ଧି ପାଇବ। ଏଥିପାଇଁ ଦେଶରେ ଆଲୁମିନିୟମ୍ ଉତ୍ପାଦନକୁ ବୃଦ୍ଧି କରିବାକୁ ହେବ। ସବୁ ପରିସ୍ଥିତିରେ ନାଲ୍‌କୋ ପ୍ରତି ବିଶ୍ୱାସ ବଜାୟ ରଖିବାକୁ ପଡ଼ିବ।”

୨୦୧୭-୧୮ ଆର୍ଥିକ ବର୍ଷରେ ନାଲ୍‌କୋ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା। ଗତ ବର୍ଷ ତୁଳନାରେ ୧୦୦ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାସଲ କରି ୧୩୪୨.୧୯ କୋଟି ଟଙ୍କା ନିଟ୍ ଲାଭ ଅର୍ଜନ କରିଥିଲା।

“ପ୍ରସ୍ତାବିତ ସ୍ମେଲ୍‌ଟର ପ୍ରକଳ୍ପରେ ନାଲ୍‌କୋ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ଯାଉଛି। ଏହା ଉତ୍ପାଦନକୁ ଦ୍ୱିଗୁଣିତ କରିବାରେ ସହାୟକ ହେବ। ନାଲ୍‌କୋର ନୂତନ ବ୍ୟବସାୟିକ ମଡେଲ୍ ତଥା ଦାମନଯୋଡ଼ିଠାରେ ଆଲୁମିନା ରିଫାଇନାରୀର ସଂପ୍ରସାରଣ, ସ୍ମେଲ୍ଟର ପ୍ରକଳ୍ପର ସଂପ୍ରସାରଣ, ଗୁଜରାଟରେ କଷ୍ଟିକ୍ ସୋଡ଼ା ପ୍ରକଳ୍ପ ଆଦି କମ୍ପାନିର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ”, କହିଛନ୍ତି ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ।

ଡକ୍ଟର ଚାନ୍ଦ ଆହୁରି କହିଥିଲେ ଯେ ଦେଶରେ ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଉଛି। ସ୍ମାର୍ଟସିଟିକୁ ସବୁଜ ସହରରେ ପରିଣତ କରିବା ପାଇଁ ଭବିଷ୍ୟତରେ ଆଲୁମିନିୟମର ଚାହିଦା ବୃଦ୍ଧି ପାଇବ।

ଏହି ଅବସରରେ ଡକ୍ଟର ଚାନ୍ଦଙ୍କୁ ଉପଭୋକ୍ତା ଏବଂ ଯୋଗାଣକାରୀମାନେ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ମିଳନୀରେ ନିର୍ଦ୍ଦେଶକ (ବାଣିଜ୍ୟ) ପି.କେ. ମିଶ୍ର, କାର୍ଯନିର୍ବାହୀ ନିର୍ଦ୍ଦେଶକ (ମାର୍କେଟିଂ) ଏସ୍. ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Comment