ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଭାରତର ପ୍ରଥମ ମିସ୍ ଇଣ୍ଡିଆ ହେଲେ ଏସ୍‌ଥର ଭିକ୍ଟୋରିୟା ଆବ୍ରାହମ୍। ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତିବାବେଳେ ଏସ୍‌ଥରଙ୍କ ବୟସ ଥିଲା ୩୧ ବର୍ଷ। ଖାଲି ସେତିକି ନୁହେଁ ସେ ସମୟରେ ପଞ୍ଚମ ସନ୍ତାନର ଜନନୀ ହେବାକୁ ଯାଉଥିଲେ ସେ।

ଭାରତରେ ସୌନ୍ଦର୍ଯ୍ୟ ପ୍ରତିଯୋଗିତାକୁ ଆଜିକାଲି ଅନେକ ଗୁରୁତ୍ଵ ଦିଆଯାଉଛି। ଏବେ ଏହି ଜରିଆରେ ମଡେଲମାନେ ବଲିଉଡରେ ସହଜରେ ଏଣ୍ଟ୍ରି ନେଇ ପାରୁଛନ୍ତି। ଭାରତରେ ମିସ୍ ଇଣ୍ଡିଆ ଟାଇଟଲ୍‌ ହାସଲ କରିଥିବା କେତେକ ଭାରତୀୟ ସୁନ୍ଦରୀଙ୍କ ମଧ୍ୟରୁ ସୁସ୍ମିତା ସେନ୍ ଓ ଲାରା ଦତ୍ତ, ମିସ୍‌ ୟୁନିଭର୍ସ ବନିଛନ୍ତି। ଠିକ୍ ସେହିପରି ଐଶ୍ଚର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରା ଓ ଯୁକ୍ତା ମୁଖୀଙ୍କୁ ମିଳିଥିଲା ମିସ୍ ୱାର୍ଲଡ୍ ଟାଇଟଲ୍।

ଭାରତର ପ୍ରଥମ ମିସ୍ ଇଣ୍ଡିଆ ଟାଇଟଲ୍ ହାସଲ କରିଥିଲେ ଏସ୍‌ଥର୍‌ ଭିକ୍ଟୋରିୟା ଆବ୍ରାହମ୍ (ପ୍ରମିଳା)। ସେ ୧୯୪୭ ମସିହାରେ ଏହି ଟାଇଟଲ୍ ହାସଲ କରିଥିଲେ। ଏସ୍‌ଥର ଯେତେବେଳେ ମିସ୍‌ ଇଣ୍ଡିଆ ଟାଇଟଲ୍‌ ହାସଲ କରିଥିଲେ, ସେତେବେଳେ ତାଙ୍କୁ ବୟସ ହୋଇଥିଲା ୩୧ ବର୍ଷ। ଖାଲି ସେତିକି ନୁହେଁ ସେହି ସମୟରେ ପଞ୍ଚମ ସନ୍ତାନ ଜନ୍ମ ଦେବା ପାଇଁ ଯାଉଥିଲେ। ଏସଥର୍‌ଙ୍କୁ ‘ମିସ୍ ଇଣ୍ଡିଆ’ର ମୁକୁଟ ପିନ୍ଧାଇଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜି ଦେଶାଇ।

ଏସ୍‌ଥର ଏକ ସାକ୍ଷାତକାରରେ କହିଥିଲେ ଯେ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିବା ମୋ ପାଇଁ ବିଶେଷ ମହତ୍ତ୍ୱ ରଖିନଥିଲା। ୧୯୪୭ରେ ମିସଇଣ୍ଡିଆ ଟାଇଟଲ୍ ଜିତିବାକୁ କେହି ଗୁରୁତ୍ୱ ଦେଇନଥିଲେ। କିନ୍ତୁ ୨୦ ବର୍ଷ ପରେ ଏହାର ମହତ୍ୱ ବୃଦ୍ଧି ପାଇଥିଲା।

୧୯୧୬ ମସିହା ଡିସେମ୍ବର ୩୦ ତାରିଖରେ ଏସଥରଙ୍କ ଜନ୍ମ ହୋଇଥିଲା। ପିଲାଟି ଦିନରୁ ତାଙ୍କର ଆକ୍ଟିଂ, ଡ୍ୟାନ୍ସ ଓ ଥିଏଟରରେ କାମ କରିବାର ରୁଚି ଥିଲା। ସେ ମଡେଲିଂରେ ବି ଖୁବ୍ ସକ୍ରିୟ ଥିଲେ। ଏସ୍‌ଥରଙ୍କୁ ଜଣେ ଫ୍ୟାସନ୍‌ ଆଇକନ୍‌ ବୋଲି କୁହାଯାଏ। ସେ ନିଜେ ନିଜର କଷ୍ଟ୍ୟୁମ୍‌ ଡିଜାଇନ୍ କରୁଥିଲେ। ୩୦ ଓ ୪୦ ଦଶକରେ ଫ୍ୟାସନ୍‌ ମାଗାଜିନ୍‌ରେ ପପୁଲାର୍‌ ହୋଇଥିଲେ ସେ।

ଏସ୍‌ଥର ଭିକ୍ଟୋରିୟା ଆବ୍ରାହମ୍ ମାତ୍ର ୨୩ ବର୍ଷ ବୟସରେ ଫିଲ୍ମଷ୍ଟାର ସୟଦ୍ ହସନ୍ ଅଲୀଙ୍କୁ ବିବାହ କରିଥିଲେ। ଏହା ସୟଦ୍ ହସନ ଅଲୀଙ୍କର ଦ୍ୱିତୀୟ ବିବାହ ଥିଲା।

ଭାରତର ପ୍ରଥମ ମିସ୍ ଇଣ୍ଡିଆ ଏସଥର ପ୍ରାୟ ୩୦ଟି ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ସେ କେବଳ ଜଣେ ନାୟିକା ନଥିଲେ, ବରଂ ପ୍ରଥମ ମହିଳା ପ୍ରଯୋଜକ ମଧ୍ୟ, ପ୍ରଥମ ମିସ୍ ଇଣ୍ଡିଆ ଏସଥର ତାଙ୍କ ସ୍ଵାମୀଙ୍କ ସହିତ ପ୍ରଯୋଜନାରେ ପାଦ ଦେଇଥିଲେ।

ଏସଥରଙ୍କ ପ୍ରଯୋଜନା ସଂସ୍ଥାର ନାମ ହେଲା ସିଲଭର ପ୍ରଡକ୍ସନ। ଏହି ବ୍ୟାନରରେ ପ୍ରଥମ ମିସ ଇଣ୍ଡିଆ ଏସ୍‌ଥର ଷୋହଳଟି ହିନ୍ଦୀ ସିନେମାର ପ୍ରଯୋଜନା କରିଥିଲେ।

୧୯୬୭ ମସିହାରେ ଏସଥରଙ୍କ ଝିଅ ନକି ଜହାଁ ମଧ୍ୟ ମିସ୍ ଇଣ୍ଡିଆ ଟାଇଟଲ୍‌ ହାସଲ କରିଥିଲେ। ମାଆ ମିସଇଣ୍ଡିଆ ହେବାର ଠିକ୍ ୨୦ ବର୍ଷ ପରେ ଝିଅଙ୍କୁ ମିଳିଥିଲା ସେହି ସୌଭାଗ୍ୟ। ଏସଥର ଓ ନକି ଜାହାଁନ ହେଉଛନ୍ତି ପ୍ରଥମ ମାଆ-ଝିଅ ଯେ କି ମିସଇଣ୍ଡିଆ ଟାଇଟଲ୍ ହାସଲ କରିଛନ୍ତି। ୯୦ ବର୍ଷ ବୟସରେ ଏସଥର ‘ଠାଙ୍ଗ୍’ ଟାଇଟଲରେ ନିର୍ମିତ ଏକ ସିନେମାରେ ଅଭିନୟ କରିଥିଲେ। ୨୦୦୬ ମସିହାରେ ଏସଥରଙ୍କ ମୃତ୍ୟୁ ହୋଇଥିଲା।

Comment