ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ସାଉଥ୍‌ର ଜଣେ ସୁପରଷ୍ଟାର୍ ହେଲେ ଆର୍, ମାଧବନ୍। ସେ ବେଶ୍ କେତୋଟି ହିନ୍ଦୀ ସିନେମାରେ ବି ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି।

ସାଉଥ୍‌ର ସୁପରଷ୍ଟାର ତଥା ବଲିଉଡର ଜଣେ ଜଣାଶୁଣା ଅଭିନେତା ହେଲେ ଆର୍ ମାଧବନଙ୍କ ପୁରା ନାମ ହେଲା ରଙ୍ଗନାଥ ମାଧବନ୍। ମାଧବନ୍‌ କେବଳ ଜଣେ ଅଭିନେତା ନୁହଁନ୍ତି, ସେ ଜଣେ ଲେଖକ ଓ ନିର୍ଦ୍ଦେଶକ ମଧ୍ୟ।

ହେଲେ ଆପଣ କ’ଣ ଜାଣନ୍ତି କି ମାଧବନ୍ ପିଲାଟି ଦିନରୁ ଜଣେ ଆର୍ମି ଅଫିସର ହେବାର ସ୍ୱପ୍ନ ଦେଖୁଥିଲେ। ମାଧବନ୍‌ଙ୍କ ପିତା ଟାଟା ଷ୍ଟିଲରେ ମ୍ୟାନେଜମେଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ମାଆ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ, ମାଧବନଙ୍କ ଭଉଣୀ ଦେବିକା ରଙ୍ଗନାଥନ୍ ଲଣ୍ଡନରେ ସଫ୍ଟୱୟାର ଇଞ୍ଜିନିୟର ଭାବେ କାର୍ଯ୍ୟରତ।

ଆର୍ ମାଧବନ୍ ଏନସିସିରେ ଜଣେ ଭଲ କ୍ୟାଡେଟ୍ ଥିଲେ। ସେ ମହାରାଷ୍ଟ୍ରର ଶ୍ରେଷ୍ଠ କ୍ୟାଡେଟ୍ ଭାବେ ମଧ୍ୟ ପୁରସ୍କୃତ ହୋଇଥିଲେ। ଏନସିସି କ୍ୟାଡେଟ୍ ଭାବେ ଏହି ଲୋକପ୍ରିୟ ଅଭିନେତାଙ୍କୁ ଇଂଲଣ୍ଡ ଯିବାର ସୁଯୋଗ ମିଳିଥିଲା। ସେ ବ୍ରିଟିଶ ଆର୍ମି, ରୟାଲ ନେଭି ଓ ରୟାଲ୍ ଏୟାରଫୋର୍ସ ବି ଟ୍ରେନିଂ ନେଇଥିଲେ।

ଚଳଚ୍ଚିତ୍ରରେ କିପରି ସୁଯୋଗ ପାଇଥିଲେ?

୧୯୯୬ ମସିହାରେ ମାଧବନ୍ ନିଜର ଏକ ପୋର୍ଟଫୋଲିୟୋ ମଡେଲିଂ ଏଜେନ୍ସିକୁ ଦେଇଥିଲେ। ସେହି ବର୍ଷ ସେ ପ୍ରଥମେ ସାଣ୍ଡଲ୍‌ଉଡ଼ ଟକ୍ ବିଜ୍ଞାପନରେ କାମ କରିଥିଲେ। ଏହି ବିଜ୍ଞାପନ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଖ୍ୟାତନାମା ସିନେମାଟୋଗ୍ରାଫର୍ ସନ୍ତୋଷ ଶିବନ୍।

ସନ୍ତୋଷ ଶିବନ୍ ହିଁ ମାଧବନଙ୍କୁ ପ୍ରଖ୍ୟାତ ନିର୍ଦ୍ଦେଶକ ମଣିରହମଙ୍କ ସହିତ ଭେଟ କରାଇଥିଲେ। ମଣିରହମ୍ ମାଧବନଙ୍କୁ ସୁପରହିଟ୍ ଫିଲ୍ମ ‘ଇରୁଭର୍’ରେ ହିରୋ ଭାବେ ଲଞ୍ଚ୍ କରିଥିଲେ।

ବଲିଉଡରେ ମାଧବନ୍

ପ୍ରଖ୍ୟାତ ଅଭିନେତା ଆର୍ ମାଧବନ୍ ‘ରେହନା ହେ ତେ ଦିଲ ମେଁ’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ଏହାପରେ ତାଙ୍କୁ ‘ଥ୍ରି ଇଡିଅଟ୍ସ’ ଓ ‘ତନୁ ୱେଡସ୍ ମନୁ’ ଆଦି ସିନେମାରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ।

ପ୍ରେମ ଓ ବିବାହ

ସାଉଥ୍ ସୁପରଷ୍ଟାର୍ ମାଧବନଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ମଜାଦାର। ସେ ସରିତା ବିର୍ଜେଙ୍କୁ ବିବାହ କରିଛନ୍ତି। ଉଭୟଙ୍କର ପ୍ରଥମ ସାକ୍ଷାତ ମହାରାଜ କୋହ୍ଲାପୁରଠାରେ ହୋଇଥିଲା।

ସେତେବେଳେ ଆର୍ ମାଧବନ ଜଣେ ପ୍ରଫେସର ଭାବେ ବ୍ୟକ୍ତିତ୍ୱ ବିକାଶର ପ୍ରଶିକ୍ଷଣ ଦେଉଥାନ୍ତି। ୧୯୯୧ ମସିହାର କଥା। ସେ କୋହ୍ଲାପୁରରେ ଏହି ପ୍ରଶିକ୍ଷଣ ଦେଉଥାନ୍ତି। ତାଙ୍କ ପାଖକୁ ପ୍ରଶିକ୍ଷଣ ନେବାକୁ ଅନେକ ଯୁବକ, ଯୁବତୀ ଥାଆନ୍ତି। ସେମାନଙ୍କ ଭିତରୁ ଜଣେ ହେଲେ ସରିତା ବିର୍ଜେ।

ସେତେବେଳେ ମାଧବନ୍ ଥିଲେ ଶିକ୍ଷକ ଓ ସରିତା ଛାତ୍ରୀ। ହେଲେ ଦୁହିଁଙ୍କୁ ଜଣାନଥିଲା ଯେ ସେ ଦୁହେଁ ଦିନେ ପରସ୍ପରର ହାତ ଧରିବେ। କିନ୍ତୁ ତାହା ହିଁ ଘଟିବାର ଥିଲା।

ବ୍ୟକ୍ତିତ୍ୱ ବିକାଶର ପ୍ରଶିକ୍ଷଣ ଦେବା ପରେ ସରିତା ଭିର୍ଜେ ବିମାନ ପରିଚାରିକା ଭାବେ ନିଯୁକ୍ତି ପାଇଗଲେ। ଏହାର ଶ୍ରେୟ ସେ ତାଙ୍କର ପ୍ରଶିକ୍ଷକ ଆର୍. ମାଧବନଙ୍କୁ ଦେଲେ। ଏଥିପାଇଁ ସରିତା ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ମାଧବନଙ୍କୁ ରାତ୍ରି ଭୋଜନରେ ଆପ୍ୟାୟିତ କରିଥିଲେ।

ମାଧବନ ମଧ୍ୟ ସରିତାଙ୍କ ବ୍ୟବହାରରେ ପ୍ରଭାବିତ ହେଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ସେତିକି ନୁହେଁ ମାଧବନ୍ ଓ ସରିତା ପ୍ରାୟ ଆଠ ବର୍ଷ ଯାଏଁ ଡେଟିଂ କରିଥିଲେ। ଅବଶେଷରେ ସେ ଦୁହେଁ ୧୯୯୯ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ଅଛି, ଯାହାଙ୍କ ନାଆଁ ହେଲା ବେଦାନ୍ତ।

Comment