ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡରେ ଅନେକ ଲଭଷ୍ଟୋରି ଚର୍ଚ୍ଚାକୁ ଆସିଛି। ଏଥିମଧ୍ୟରୁ ଗୋଟିଏ ପ୍ରେମ କାହାଣୀ ଏକଦା ଖୁବ୍ ଚର୍ଚ୍ଚାରେ ଥିଲା। ତାହା ହେଲା ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର ଓ ସାଏରା ବାନୋଙ୍କ ପ୍ରେମ କାହାଣୀ।

ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର ୧୯୬୫-୬୬ ମସିହା ବେଳକୁ ସଫଳତାର ଶୀର୍ଷରେ ପହଞ୍ଚି ଯାଇଥିଲେ। ତାଙ୍କର ବୟସ ବି ହୋଇସାରିଥିଲା ୪୪ ବର୍ଷ। ସେତେବେଳେ ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କୁ କୁହାଯାଉଥିଲା ‘ଦ ମୋଷ୍ଟ ଇଲିଜିବିଲ୍ ବ୍ୟାଚେଲର’।

ବଲିଉଡର ଲୋକପ୍ରିୟ ନାୟିକା ଥିଲେ ସାଏରା ବାନୋ। ସେ ୧୯୪୧ ମସିହା ଅଗଷ୍ଟ ୨୩ ତାରିଖରେ ମହୀଶୂରରେ ଜନ୍ମ ହୋଇଥିଲେ। ସାୟରାଙ୍କ ଆଈ ହେଲେ ପ୍ରଖ୍ୟାତ ଗାୟିକା ସମସାଦ୍ ବେଗମ୍। ସମସାଦ୍ ସୋହରବ୍ ମୋଦିଙ୍କ ଫିଲ୍ମ ‘ଖୁନ୍ କା ଖୁନ୍’ ରେ ଅଭିନୟ ମଧ୍ୟ କରିଥିଲେ।

ସାଏରା ବାନୋଙ୍କ ମାଆ ଥିଲେ ଅଭିନେତ୍ରୀ ନସିମ୍ ବାନୋ। ନସୀମ୍ ବାନୋ ଅହସାନ୍ ମିୟାଁଙ୍କୁ ବାହା ହୋଇଥିଲେ। ଅହସାନ୍ ସାଏରାଙ୍କ ପାଇଁ କେତୋଟି ସିନେମା ମଧ୍ୟ ନିର୍ମାଣ କରିଥିଲେ। କିନ୍ତୁ ପରେ ନସୀମ୍ ଓ ଅହସାନଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା।

ସାଏରା ବାନୋ ପିଲାଦିନେ ଲଣ୍ଡନରେ ରହୁଥିଲେ। ସେଠାରୁ ଫେରି ସାଏରା ୧୯୫୯ ମସିହାରେ ବଲିଉଡରେ ହିରୋଇନ୍ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଫିଲ୍ମାଳୟ ପ୍ରଯୋଜନା ସଂସ୍ଥାର ମାଲିକ ତଥା ନସୀମଙ୍କ ଶୁଭାକାଂକ୍ଷୀ ଏସକେ ମୁଖାର୍ଜୀ ଲୋକପ୍ରିୟ ନାୟକ ଶମ୍ମି କପୁରଙ୍କ ଅପୋଜିଟରେ ସାଏରାଙ୍କୁ ଲଞ୍ଚ୍ କରିଥିଲେ ଫିଲ୍ମ ‘ଜଙ୍ଗଲି’ରେ।

‘ଜଙ୍ଗଲି’ ସୁପରହିଟ୍ ହେବା ପରେ ସାଏରା ବାନୋ ଆଉ ପଛକୁ ଫେରି ଚାହିଁନଥିଲେ। ସାଏରା ବାନୋ ସେ ସମୟର ଜୁବୁଲି ଷ୍ଟାର୍ ଜିତେନ୍ଦ୍ର କୁମାରଙ୍କ ବିପକ୍ଷରେ ‘ଆଇ ମିଲନ୍ କି ବେଲା’ରେ ନାୟିକା ବନିଥିଲେ।

‘ଆଇ ମିଲନ୍ କି ବେଲା’ର ସୁଟିଂ ସମୟରେ ସାଏରା ବାନୋ ରାଜେନ୍ଦ୍ର କୁମାରଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ରାଜେନ୍ଦ୍ର କୁମାର ସେତେବେଳକୁ ତିନୋଟି ସନ୍ତାନର ଜନକ ହୋଇସାରିଥିଲେ। ସାଏରାଙ୍କୁ କିନ୍ତୁ ମାଆ ନସୀମ ବାନୋ ଆକଟ କରୁଥିଲେ। କିନ୍ତୁ ସାଏରା ସେଥିପ୍ରତି ଧ୍ୟାନ ଦେଉନଥିଲେ।

ସାଏରା ବାନୋ ଓ ରାଜେନ୍ଦ୍ର କୁମାରଙ୍କ ରୋମାନ୍ସର ଖବର ସେତେବେଳେ ବଲିଉଡରେ ଚର୍ଚ୍ଚାର ବିଷୟ ହୋଇଥିଲା।

ରାଜେନ୍ଦ୍ର କୁମାରଙ୍କଠାରୁ ଝିଅ ସାଏରାଙ୍କୁ ମୁକ୍ତ କରିବା ଲାଗି ନସୀମ ବାନୋ ଦିଲ୍ଲୀପ କୁମାରଙ୍କ ଦ୍ଵାରସ୍ଥ ହୋଇଥିଲେ। ଏକ ସୁଚିନ୍ତିତ ଯୋଜନା ଅନୁଯାୟୀ ଏସ୍ ମୁଖାର୍ଜୀ ଓ ନସୀମ୍ ବାନୋ ରାଜେନ୍ଦ୍ର କୁମାରଙ୍କ ଠାରୁ ଦୂରେଇବା ପାଇଁ ସାଏରାଙ୍କୁ କହିବାକୁ ଦିଲ୍ଲୀପ କୁମାରଙ୍କୁ ଅନୁରୋଧ କରିଥିଲେ।

ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର ସେତେବେଳକୁ ସାଏରା ବାନୋଙ୍କୁ ଚିହ୍ନି ନଥିଲେ। ଏଣୁ ତାଙ୍କୁ ଏହି ପ୍ରସ୍ତାବ ଅଜବ ଲାଗିଲା, ଏହାପରେ ନସୀମ ଝିଅ ସାୟରା ବାନୋଙ୍କୁ ବିବାହ କରିବା ଲାଗି ମଧ୍ୟ ପ୍ରସ୍ତାବ ଦେଲେ। ସେ ଯୁକ୍ତି ବାଢ଼ିଥିଲେ ଯେ ସାଏରା ସୁନ୍ଦରୀ ଓ ଉଚ୍ଚଶିକ୍ଷିତା। ଏଣୁ ତାଙ୍କୁ ବାହା ହେବାରେ ଅସୁବିଧା କେଉଁଠି।

ଏଣେ ଥରେ ସାଏରା ବାନୋ ତାଙ୍କ ଜନ୍ମଦିନ ପାର୍ଟିକୁ ଜୁବୁଲି ଷ୍ଟାର୍ ରାଜେନ୍ଦ୍ର କୁମାରଙ୍କ ନିମନ୍ତ୍ରଣ କରିଥିଲେ। ସେଠାରେ ସେ ପତ୍ନୀ ଶୁକ୍ଲାଙ୍କ ସହିତ ପହଞ୍ଚିଥିଲେ। ଏହା ଦେଖି ସାଏରା ରାଗି ଯାଇଥିଲେ।

ଏହାର ସୁଯୋଗ ନେଇ ନସୀମ୍ ବାନୋ ତା’ର ପୁଅ ସୁଲତାନଙ୍କୁ ସାଙ୍ଗରେ ଧରି ଦିଲ୍ଲୀପ କୁମାରଙ୍କ ଘରେ ପହଞ୍ଚିଥିଲେ ବାର୍ଥ ଡେ ପାର୍ଟିକୁ ଆସିବାକୁ ଜିଦ୍ ଧରିଲେ। ଦିଲୀପ କଥାକୁ ଏଡ଼ାଇ ନପାରି ସେଠାରେ ପହଞ୍ଚିଥିଲେ।

ସେହି ପାର୍ଟିରେ ଦିଲୀପ କୁମାର ସାଏରା ବାନୋଙ୍କୁ ବୁଝାଇବା ଢଙ୍ଗରେ କହିଥିଲେ କି ଜଣେ ବିବାହିତ ପୁରୁଷର ପ୍ରେମରେ ପାଗଳ ହେବାର ଅର୍ଥ କେବଳ ଦୁଃଖ ପାଇବା, ତା’ଛଡ଼ା ଅନ୍ୟ କିଛି ନୁହେଁ। ଏ କଥା କହିବା ପରେ ସାଏରା ଦିଲୀପ କୁମାରଙ୍କୁ ପ୍ରଶ୍ନ କଲେ, ତେବେ ଆପଣ କ’ଣ ମୋତେ ବାହା ହେବାକୁ ପ୍ରସ୍ତୁତ? କିନ୍ତୁ ଦିଲୀପ କୁମାର ଏହାର କିଛି ଉତ୍ତର ଦେଇନଥିଲେ।

ଏହାପରେ ନସୀମ ଓ ଏମ୍ ମୁଖାର୍ଜୀ ଦିଲୀପ କୁମାରଙ୍କୁ ସାଏରାଙ୍କୁ ବାହା ହେବା ଲାଗି ରାଜି କରାଇଥିଲେ।

 

Comment