ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଯେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳର ଭିନ୍ନଭିନ୍ନ ମତ ଓ ବିଚାରଧାରା ଥାଏ। ଏ ନେଇ ଅନେକ ସମୟରେ ବିବାଦ ବି ଦେଖାଯାଏ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ଗୋଟିଏ ଦଳର ନେତାଙ୍କ ଭିତରେ ଭିନ୍ନଭିନ୍ନ ଓ ପରସ୍ପର ବିରୋଧୀ ମତ ରହିବା ଅସ୍ୱାଭାବିକ ଲାଗେ। ହେଲେ ଏହିଭଳି ହିଁ କିଛି ହୋଇଛି ବିଜେପିରେ।

ଦଳର ଦୁଇ ଜଣ ନେତାଙ୍କ ମଧ୍ୟରେ ମହନଦୀକୁ ନେଇ ଯେଉଁ ବୟାନବାଜି ଚାଲିଛି ସେଥିରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ ପାଣିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ମଧ୍ୟରେ ନିକଟରେ ଯେଉଁ ବିଭେଦ ସୃଷ୍ଟି ହୋଇଛି ତାହା ଗଣମାଧ୍ୟମରେ ଏକ ହଟ ଟପିକ କେବଳ ହୋଇଛି ତାହା ନୁହେଁ, ଶାସକ ବିଜେଡି ଏଥିରେ ଏକ ରକମ ଆନନ୍ଦ ନେଉଛି।

ଦୀର୍ଘଦିନ ଧରି ମହାନଦୀ ବିବାଦରେ ଧର୍ମେନ୍ଦ୍ର ପରୋକ୍ଷରେ ରମଣ ସିଂଙ୍କୁ ସମର୍ଥନ କରିବା ପରେ ହଠାତ ଯେଉଁ ସ୍ୱର ପରିବର୍ତ୍ତନ ହୋଇଛି ସେଥିରେ ଓଡ଼ିଶାର ଲୋକେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ବିଜେଡି ତ ସିଧାସଳଖ ଧର୍ମେନ୍ଦ୍ରଙ୍କୁ ଆକ୍ଷେପ କରି କହିଛି ଯେ ମହାନଦୀ ବିବାଦରେ ତାଙ୍କର ଆନ୍ତରିକତା ନାହିଁ।

ନିଜ ଦଳର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ପରେ ଏହି ମାମଲାଟି ଆହୁରି ଗରମ ହୋଇଛି। ମେ ୨୯ତାରିଖରେ ରମଣ ସିଂ ବିବୃତି ଦେଇ କହିଥିଲେ ଯେ ଆମେ ମହାନଦୀ ପାଣିକୁ ବ୍ୟବହାର କରି ଆସିଛୁ ଓ ଭବିଷ୍ୟତରେ ମଧ୍ୟ କରିବୁ। ଅଧିକ ପାଣି ବ୍ୟବହାର କରିବୁ।

ଏହାର ଜବାବରେ ଧର୍ମେନ୍ଦ୍ର କହିଥିଲେ, “ରମଣ ସିଂଙ୍କ ବିବୃତି ନିନ୍ଦନୀୟ ଓ ଓଡ଼ିଶା ବିଜେପିର ସ୍ପଷ୍ଟ ମତ ହେଉଛି ଯେ ଓଡ଼ିଶାର ସ୍ୱାର୍ଥକୁ କଦାପି ବଳି ଦିଆଯିବ ନାହିଁ।”

ବିଜେପିର ଦୁଇ ବଡ଼ ନେତାଙ୍କ ମଧ୍ୟରେ ଏହି ବିବାଦ ନିଶ୍ଚିତ ଭାବରେ ଆସନ୍ତା ବିଧାନସଭା ନିର୍ବାଚନ ଉପରେ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ।

ଧର୍ମେନ୍ଦ୍ରଙ୍କ ବିବୃତିରେ ହଠାତ ଯେଉଁ ପରିବର୍ତ୍ତନ ଆସିଲା ତା’ ପଛରେ କାରଣ କଣ? କାରଣ ହେଉଛି ଯେ ମହନଦୀକୁ ଅଣଦେଖା କରି ବିଜେପି କଦାପି ୨୦୧୯ ନିର୍ବାଚନ ଲଢ଼ିପାରିବ ନାହିଁ। ଓଡ଼ିଶାର ସ୍ୱାର୍ଥ ରକ୍ଷା କଥା ନକହିଲେ ଭୋଟରଙ୍କ ପାଖକୁ ଯିବା ଅସମ୍ଭବ ବୋଲି ବିବେଚନା କରିବା ପରେ ଓଡ଼ିଶା ବିଜେପିର ମନୋଭାବରେ ପରିବର୍ତ୍ତନ ଆସିଛି ଓ ସେହି ଅନୁସାରେ ଷ୍ଟାଣ୍ଡ ବି ବଦଳିଛି।

ରମଣ ସିଂଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା କେତେଦୂର ଦଳକୁ ଆଗାମୀ ନିର୍ବାଚନରେ ସାହାଯ୍ୟ କରିବ ତାହା କହିବା ମୁସ୍କିଲ। କାରଣ ନିଜର ଯାବତୀୟ ତ୍ରୁଟି ଥିବା ସତ୍ତ୍ୱେ ଶାସକ ବିଜେଡି ମହାନଦୀକୁ ନର୍ବାଚନରେ ଏକମାତ୍ର ପ୍ରସଙ୍ଗ କରିଛି ଓ ଏଥିରେ ଗୁଡ଼ାଏ ମାଇଲେଜ ବି ପାଇସାରିଛି।

Comment