ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଜି ରାଜ୍ୟ ସରକାର ତଦନ୍ତ କମିଶନ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଟର୍ମ୍ସ ଅଫ୍ ରେଫରେନ୍ସ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେଉଁ କାରଣ ଏବଂ କେଉଁ ପରିସ୍ଥିତିରେ ଚାବି ହଜିଲା କମିଶନ ତଦନ୍ତ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଚାବି ହଜିବା ଘଟଣାରେ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନର ଭୂମିକା ଅଛି କି ନାହିଁ ସେନେଇ ମଧ୍ୟ ତଦନ୍ତ ହେବ। ଏଭଳି ଘଟଣାରେ ଆଗାମୀ ଦିନରେ ଯେପରି ପୁନରାବୃତ୍ତି ନଘଟେ ସେଥିପ୍ରତି ମଧ୍ୟ କମିଶନ ଦୃଷ୍ଟି ଦେବେ।

“ଚାବି ମିଳିବା ପରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। କେଉଁ ପରିସ୍ଥିରେ ଚାବି ହଜିଲା ଏବଂ ପରେ ମିଳିଲା ତାର ତଦନ୍ତ କମିଶନ କରିବେ। କମିଶନଙ୍କ ତଦନ୍ତ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହୋଇଯିବ”, କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।

ରତ୍ନଭଣ୍ଡାର ଚାବି ହଜିବା ପରେ ବିବାଦ ତେଜିଥିଲା। ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାସଙ୍କୁ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଜଷ୍ଟିସ ଦାସଙ୍କ ନେତୃତ୍ୱରେ ରତ୍ନଭଣ୍ଡାର ଚାବି ବିବାଦର ତଦନ୍ତ ହେବ। ୩ ମାସ ଭିତରେ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି।

କମିଶନ ଅଫ୍ ଇନକ୍ୱାରୀ ଆକ୍ଟ ୧୯୫୨ ଅନୁଯାୟୀ ଘଟଣାର ତଦନ୍ତ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Comment