ଓଡ଼ିଶାଲାଇଭ୍‌ ବ୍ୟୁରୋ


କଳାହାଣ୍ଡିର ପୁଅ ସର୍ବେଶ୍ୱର ଭୋଇ ଚଳିତ ବର୍ଷ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଉସ୍ତାଦ୍ ବିସମିଲ୍ଲା ଖାଁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। କଳାହାଣ୍ଡି ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନ୍ମିତ କଣ୍ଠଶିଳ୍ପୀ ସର୍ବେଶ୍ୱର କଳାହାଣ୍ଡିର ଲୋକ ସଙ୍ଗୀତକୁ ଅନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ସବୁବେଳେ ଉଦ୍ୟମ କରୁଥିଲେ। ତାଙ୍କୁ ମିଳୁଥିବା ଏହି ପୁରସ୍କାର ପାଇଁ ସମଗ୍ର କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଦେଇଛି।

ସର୍ବେଶ୍ୱର ପିଲାଟି ବେଳରୁ କଳାହାଣ୍ଡିର ଲୋକନୃତ୍ୟ ଓ ସଙ୍ଗୀତକୁ ଭଲ ପାଇ ଆସିଛନ୍ତି। ୨୦୦୬ ମସିହାରେ ସେ ଗାଇଥିବା ‘‘ପଖାନ ଉପରେ ଝରନ ପାନି’’ ବହୁତ ଲୋକପ୍ରିୟ ହୋଇଥିଲା। କହିବାକୁ ଗଲେ ଏହି ଗୀତଟି ସର୍ବେଶ୍ୱରଙ୍କ ପାଇଁ ଏକ ସଫଳତାର ଶୀର୍ଷକୁ ପହଞ୍ଚାଇଥିଲା। ସର୍ବେଶ୍ୱର ଗୀତ ରଚନା, କଣ୍ଠଦାନ ଏବଂ ଅଭିନୟ କରିବାରେ ମାହିର।

କଳାହାଣ୍ଡିର ମାଣ୍ଡେଲ୍ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ ସର୍ବେଶ୍ୱର କାର୍ଯ୍ୟରତ। ‘ଖଲ୍‌ ଖଲ୍ ଝରନ୍ ପାନି’, ‘ସେରାରେତା ସାରଙ୍ଗି ବଜାଇ ଦେମା ରାଏତ୍‌କେ’ ପରି ଗୀତ ମଧ୍ୟ ସର୍ବେଶ୍ୱରଙ୍କୁ ଲୋକପ୍ରିୟ କରାଇଥିଲା। ସମ୍ବଲପୁରୀ ଚଳଚ୍ଚିତ୍ର ‘ଆଦିମ ବିଚାର’ରେ ‘ଲିକ୍‌ରି ଝିକ୍‌ରି ତାଲପୁରିଆ ମନଟା ପରଫୁଲ୍…’ ଗୀତ ଗାଇ ସର୍ବେଶ୍ୱର ସାରା ଓଡ଼ିଶାରେ ଲୋକପ୍ରିୟତା ଅର୍ଜନ କରିଥିଲେ। ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ଆଦିମ ବିଚାର’ର ନିର୍ଦ୍ଦେଶନା ଦେଇଥିଲେ ସବ୍ୟସାଚୀ ମହାପାତ୍ର। ମ୍ୟୁଜିକ୍ ଦେଇଥିଲେ ପଙ୍କଜ ଜାଲ। ଗୀତ ଲେଖିଥିଲେ ସର୍ବେଶ୍ୱର ଭୋଇ।

ସର୍ବେଶ୍ୱର ଭାରତର ବିଭିନ୍ନ ମଞ୍ଚ ଓ ସୁଦୁର ଲଣ୍ଡନରେ କଳାହାଣ୍ଡି ଲୋକନୃତ୍ୟ ଓ ସଙ୍ଗୀତକୁ ପରିବେଷଣ କରିସାରିଛନ୍ତି।

କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇ ‘ଓଡ଼ିଶା ଲାଇଭ୍‌’କୁ କହିଛନ୍ତି, “କଳାହାଣ୍ଡିର ଲୋକସଙ୍ଗୀତ ଓ ଲୋକନୃତ୍ୟକୁ ବିଶ୍ଵଦରବାରରେ ପହାଞ୍ଚାଇବା ପାଇଁ ମୁଁ ସବୁବେଳେ ଉଦ୍ୟମ କରିଆସୁଛି। ମୁଁ ତୋଷାଳି ମହୋତ୍ସବରେ ଗାଇଥିବା ‘ଲିକ୍‌ରି ଝିକ୍‌ରି ତାଲପୁରିଆ ମନଟା ପରଫୁଲ୍ ଗୀତଟି ‘ଓଡ଼ିଶାଲାଇଭ୍‌’ ୟୁଟ୍ୟୁବ ଚ୍ୟାନେଲ ୧୦ଲକ୍ଷ ଭ୍ୟୁଜ ହୋଇସାରିଲାଣି। ଏଥିପାଇଁ ମୁଁ ବହୁତ ଖୁସି। ଦେଶ ଓ ଦେଶ ବାହାରେ ବାସ କରୁଥିବା ଓଡ଼ିଆମାନେ ମୋ ଗୀତକୁ ପସନ୍ଦ କରି କମେଣ୍ଟ୍ ମଧ୍ୟ ଦେଉଛନ୍ତି। ଏହା ଆଗାମୀ ଦିନରେ ମୋତେ ଆହୁରି ପ୍ରୋତ୍ସାହିତ କରିବ। ଏଥିପାଇଁ ମୁଁ ଓଡ଼ିଶାଲାଇଭ୍‌କୁ ଧନ୍ୟବାଦ ଜଣାଉଛି।”

Comment