ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଆଜି ମାରାଥନ ଜେରା କରିଛି ଇଡି।

କେନ୍ଦୁଝର ଜିଲ୍ଲା ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ଙ୍କୁ ଇଡି ଆଜି ୭ ଘଣ୍ଟା ଜେରା କରିଛି। ଶାହା କମିଶନଙ୍କ ରିପୋର୍ଟ ଆଧାରରେ ବେଆଇନ୍ ଲୁହାପଥର ପରିବହନ ଲିଙ୍କ୍‌ ଅଭିଯୋଗରେ ସନାଙ୍କୁ ମାରାଥନ ଜେରା କରିଛି ଇଡି।

ଏମ୍‌ ବି ଶାହା କମିଶନଙ୍କ ଖଣି ଦୁର୍ନୀତି ସମ୍ପର୍କିତ ରିପୋର୍ଟ ଆଧାରରେ ଇଡି ଘଟଣାର ତଦନ୍ତ କରୁଛି। ସନାତନ ମହାକୁଡ଼ଙ୍କ ଟାନ୍ସପୋର୍ଟ ‘ମା କୁଆଁରୀ ଟ୍ରାନ୍ସପୋର୍ଟ ଏଜେନ୍ସୀ’ ଏକାଧିକ ସଂସ୍ଥା ପାଇଁ ଲୁହାପଥର ପରିବହନ କରୁଥିବା ଇଡି ଅଧିକାରୀ ଜାଣିବାକୁ ପାଇଥିଲେ।

ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ସନାତନଙ୍କୁ ହାଜର ହେବା ପାଇଁ ଇଡି ସମନ ଜାରି କରିଥିଲା। ସମନ ପାଇବା ପରେ ସନାତନ ଆଜି ଇଡି ଅଫିସରେ ହାଜର ହୋଇଥିଲେ। ୭ ଘଣ୍ଟା କାଳ ଇଡି ଅଧିକାରୀ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ।

“ଇଡି ମୋତେ ସମନ କରିଥିଲା। ସମନ ପାଇ ମୁଁ ଆଜି ହାଜର ହୋଇଥିଲି। ମୋତେ ଯେଉଁ କାଗଜପତ୍ର ମଗାଯାଇଥିଲା ତାହା ମୁଁ ଇଡି ଅଧିକାରୀଙ୍କୁ ଦେଇଛି”, କହିଛନ୍ତି ସନାତନ ମହାକୁଡ଼।

୨୦୧୫ ଜୁଲାଇ ୯ ତାରିଖରେ ବିଭିନ୍ନ ଖଣି କମ୍ପାନି ସହ ମାଆ କୁଆଁରୀ ଟ୍ରାନ୍ସପୋର୍ଟ ଏଜେନ୍ସୀ ଉପରେ ଚଢ଼ାଉ କରିଥିଲା ଇଡି।

ବିଧାୟକ ହେବା ପୂର୍ବରୁ ସନାତନ ମହାକୁଡ଼ ଶ୍ରମିକ ନେତା ଥିଲେ। ପରେ ଟ୍ରାନ୍ସପୋର୍ଟ ଏଜେନ୍ସୀ କରି ବିଭିନ୍ନ ଖଣି ସଂସ୍ଥାରେ ନିଜ ଗାଡ଼ି ଲଗାଇଥିଲେ। ୨୦୧୪ରେ ସେ ଚମ୍ପୁଆରୁ ସ୍ୱାଧୀନ ଭାବେ ବିଧାୟକ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Comment