ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ କ’ଣ କରିବା ଦରକାର? ଏନେଇ ରାହୁଲ ସବୁ ପିସିସି ସଭାପତିଙ୍କୁ ମାଗିଛନ୍ତି ରିପୋର୍ଟ।

ବିଜେପିକୁ ୨୦୧୯ ନିର୍ବାଚନରେ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କଷୁଛନ୍ତି ଅଙ୍କ। ଏଥିପାଇଁ ନିଜ ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଲାଗି ପଡ଼ିଛନ୍ତି। କେଉଁ ଲୋକସଭା ନିର୍ବାଚନ ମଣ୍ଡଳରେ କଂଗ୍ରେସର ସ୍ଥିତି କ’ଣ ତାହା ଜଣାଇବା ପାଇଁ ସବୁ ପିସିସି ସଭାପତିଙ୍କୁ ରିପୋର୍ଟ ମାଗିଛନ୍ତି ରାହୁଲ୍।

ଆସନ୍ତା ୧୫ ତାରିଖ ସୁଦ୍ଧା ଲୋକସଭା ନିର୍ବାଚନମଣ୍ଡଳୀର ତଥ୍ୟ ଦେବାକୁ ରାହୁଲ ପିସିସି ସଭାପତିଙ୍କୁ ଚିଠି ଲେଖିଛନ୍ତି।

ଏହାସହ ସମସ୍ତ ପିସିସି ସଭାପତି ଏବଂ ଏଆଇସିସି ସାଧାରଣ ସମ୍ପାଦକଙ୍କୁ ଜୁଲାଇ ତୃତୀୟ ସପ୍ତାହରେ ରାହୁଲ ନୂଆଦିଲ୍ଲୀରେ ଭେଟିବେ ବୋଲି ଜଣାପଡ଼ିଛି। ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ସଙ୍ଗଠନକୁ ମଜଭୁତ କରିବା ପାଇଁ କିଏ କ’ଣ କରିଛି ତାହା ଏହି ବୈଠକରେ ଆଲୋଚନା ହେବ।

ରାହୁଲ ଜାଣିବାକୁ ଚାହିଁଛନ୍ତି ଯେ ବିଭିନ୍ନ ରାଜ୍ୟରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି କେମିତି ଅଛି? ଗତ ନିର୍ବାଚନରେ କିଏ କେତେ ଭୋଟ ପାଇଥିଲା? ନିର୍ବାଚନମଣ୍ଡଳୀର ଜନସଂଖ୍ୟା କେତେ? କଂଗ୍ରେସ ଜିତିବା ପାଇଁ କେତେ ପ୍ରତିଶତ ଭୋଟ ଆବଶ୍ୟକ? ଭୋଟହାର ବୃଦ୍ଧି ପାଇଁ କ’ଣ କରିବା ଦରକାର? ଲୋକସଭା ନିର୍ବାଚନମଣ୍ଡଳୀରେ ବୁଥ୍‌ କମିଟିର ସ୍ଥିତି କ’ଣ ଅଛି? ଏସବୁ ଜାଣିବା ପାଇଁ ରାହୁଲ ପିସିସି ସଭାପତିଙ୍କୁ ରିପୋର୍ଟ ମାଗିଛନ୍ତି।

ରାହୁଲ ଗାନ୍ଧି କଂଗ୍ରେସର ସଭାପତି ହେବା ପରେ ୨୦୧୯ ନିର୍ବାଚନକୁ ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ବିଜେପିକୁ ମାତ୍‌ ଦେଇ କିପରି କେନ୍ଦ୍ରରେ କଂଗ୍ରେସ ସରକାର ପ୍ରତିଷ୍ଠା କରାଯିବ ସେଦିଗରେ ରାହୁଲ ଫୋକସ୍ କରୁଛନ୍ତି। ସଙ୍ଗଠନକୁ ମଜଭୁତ କରିବା ପାଇଁ ଯାହା ଦରକାର ରାହୁଲ କରି ଚାଲିଛନ୍ତି। ଏଣୁ ବିଜେପି ପାଇଁ ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ଏତେଟା ସହଜ ନୁହେଁ ବୋଲି ଆଲୋଚନା ହେଉଛି।

Comment