ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଯେତେବେଳେ ଦେଶର କ୍ଷମତା ସମ୍ଭାଳିବା ଆରମ୍ଭ କଲେ ସେହି ସମୟରେ ସେ ଆର୍ଥିକ ନୀତିଗୁଡ଼ିକୁ ଲାଗୁ କରିବା ପାଇଁ ଆମେରିକାରେ କାର୍ଯ୍ୟରତ ତିନି ଜଣ ବିଦ୍ୱାନଙ୍କୁ ଆଣିଥିଲେ। ସେମାନଙ୍କ ଉପରେ ଢେର ଭରସା ରଖି ମଧ୍ୟ ଚାଲିଥିଲେ। ଏହି ତିନି ଜଣ ଯାକ ଆମେରିକାର ଉଦାରବାଦୀ ଅର୍ଥନୀତିର ଏଜେଣ୍ଡା ନେଇ କାମ କରୁଥିଲେ।

ଇତି ମଧ୍ୟରେ ମୋଦି ସରକାର କ୍ଷମତାକୁ ଆସିବାର ୪ ବର୍ଷ ବିତିଯାଇଛି ଏବଂ ମୁଣ୍ଡ ଉପରେ ୨୦୧୯ ସାଧାରଣ ନିର୍ବାଚନ। ଏହି ଘଡିସନ୍ଧି ମୁହୂର୍ତ୍ତରେ ଓ ଚାରି ବର୍ଷ ପୂରଣ ପରେ ମୋଦି ସରକାରଙ୍କ ଆର୍ଥିକ ନୀତିରେ ବେଶ୍ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଅତି କମ୍‌ରେ ଡଜନେ ସରକାରୀ ଅଧିକାରୀ, ନୀତି ନିର୍ଦ୍ଦେଶକ ଓ ବିଜେପିର ହିଁ କିଛି ନେତା ମାନିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନୀତି ନିର୍ଦ୍ଧାରଣ ଦାୟୀତ୍ୱ ଏଇକ୍ଷଣି ଅଧିକାଂଶ ପରିମାଣରେ ପିଏମ୍‌ଓ ପାଖରେ ହିଁ କେନ୍ଦ୍ରିଭୂତ ହୋଇ ରହିଛି।

ଅପରପକ୍ଷରେ ଦକ୍ଷିଣପନ୍ଥୀ ବା ରାଇଟିଷ୍ଟ ଓ ରାଷ୍ଟ୍ରବାଦୀ ଅର୍ଥନୀତିଜ୍ଞମାନଙ୍କ ଏକ ଗୋଷ୍ଠୀ ବି ମୋଦି ସରକାରଙ୍କ ଆଗାମୀ ଦିନର ନୀତି ନିର୍ଦ୍ଧାରଣ କାମରେ ଲାଗିପଡ଼ିଛନ୍ତି। ଜଣେ ଅଧିକାରୀଙ୍କ କହିବା କଥା ଯେ ମୋଦି ସରକାର ଏବେ ବାଧ୍ୟ ହୋଇ ମୁକ୍ତ ବାଣିଜ୍ୟ କାରବାର ବଦଳରେ ଘରୋଇ (ସ୍ୱଦେଶୀ) ଉଦ୍ୟୋଗର ଅଭିବୃଦ୍ଧି ଓ ଚାଷୀମାନଙ୍କ ସ୍ୱାର୍ଥ ହାସଲ ପାଇଁ କାମ କରିବା ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ତ୍ତମାନର ଦୃଷ୍ଟିକୋଣ ହେଉଛି ଯେ ଦେଶ ଭିତରେ କାମ କରୁଥିବା ଘରୋଇ ଉଦ୍ୟୋଗ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏହା ଠିକ୍ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ କାର୍ଯ୍ୟକ୍ରମ ଭଳି।

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚିତ ହେବା ପରଠାରୁ ଆମେରିକାର ଉଦ୍ୟୋଗ ଓ ଆମେରିକାର ବାଣିଜ୍ୟ କାରବାର ଉପରେ ପ୍ରାଧାନ୍ୟ ଦେବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଏବେ ଏବେ ବିଦେଶୀ ଜିନିଷପତ୍ର ଉପରେ ଆମଦାନୀ ଶୁଳ୍କ ଲଗାଇବା ଓ ବିଦେଶୀ କମ୍ପାନିମାନଙ୍କ ଉପରେ ଢେର କିଛି କଟକଣା ଲାଗୁ କରିଛନ୍ତି। ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କାର୍ଯ୍ୟ କରୁଥିବା କୌଣସି ଅଧିକାରୀ ଏ ବିଷୟରେ ମୁହଁ ଖୋଲିବା ପାଇଁ ଚାହୁଁନାହାନ୍ତି,କଥାଟି କିନ୍ତୁ ସତ।

୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ ଦୁଇ ବର୍ଷ ସୁରୁଖୁରୁରେ କାମ କରିବା ପରେ ସିକାଗୋ ବିଶ୍ୱବିଦ୍ୟାଳୟକୁ ଚାଲିଗଲେ। ସେହିଭଳି ନୀତି ଆୟୋଗର ଅଧ୍ୟକ୍ଷ ଅରବିନ୍ଦ ପନଗରିଆ ୨୦୧୭ରେ ମୋଦିଙ୍କ ‘ଥିଙ୍କଟ୍ୟାଙ୍କ’ ଛାଡ଼ି ଆମେରିକା ପ୍ରତ୍ୟାବର୍ତ୍ତନ କଲେ। ସେ ଏବେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପଢ଼ାଉଛନ୍ତି। ଏବେ କିଛି ଦିନ ତଳେ ଦେଶର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମନ୍ୟମ ମଧ୍ୟ ପରିବାର ସହ ରହିବା ଓ ଗବେଷଣା କରିବା ପାଇଁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ପୂର୍ବରୁ ସେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରେ କାର୍ଯ୍ୟରତ ଥିଲେ।

Comment