ଡକ୍ଟର ଭାଗ୍ୟଲିପି ମଲ୍ଲ

ରାତି ଅଧ। ନିଶା ଗର୍ଜୁଛି। ନୀଳ ସମୁଦ୍ର। ଢେଉ ପରେ ଢେଉ କୂଳକୁ ଛୁଉଁଛନ୍ତି। ଗୀତ ଗାଇଗାଇ ପୁଣି ଫେରି ଯାଉଛନ୍ତି। ସେ ଗୀତରେ କ’ଣ କହୁଛନ୍ତି ସେମାନେ? ସମୟର କଥା? ବିଭଙ୍ଗତାର କଥା? ଗତିଶୀଳତାର କଥା? ନା ଉଦ୍‌ବେଳନର କଥା? କିଏ ଠିଆ ହୋଇଛି ଏକୁଟିଆ ଏ ଶୁନଶାନ୍ ରାତିରେ? କିଏ ସେ?

ସେ ସଞ୍ଜବେଳେ ବେଳାଭୂମିରେ ଗୁଣୁଗୁଣୁ ଗୀତଗାଇ ଏକୁଟିଆ ବୁଲୁଥିବା କଣ୍ଢେଇଟିଏ। ଲୁଣର କଣ୍ଢେଇ। ଚୁପଚାପ୍ ନିରେଖି ଦେଖୁଛି ସମୁଦ୍ର ଗର୍ଭରୁ କୂଳରେ ମଥା ପିଟୁଥିବା ଉତ୍ତାଳ ତରଙ୍ଗମାଳାକୁ। କେତେକେତେ ଢେଉଁ କେଉଁଠୁ ଆସୁଛନ୍ତି? ପୁଣି କେଉଁଠିକୁ ଫେରିଯାଉଛନ୍ତି? ଏ ନୀଳସାଗରର ଗଭୀରତା, ତା’ର ବ୍ୟାପ୍ତି କେଉଁଠୁ ଆରମ୍ଭ, ପୁଣି କେଉଁଠି ଶେଷ? ଢେଉ ପଛେପଛେ ଯାଇ ଦେଖିଲେ ହୁଅନ୍ତାନି? କୂଳରୁ ଫେରି କେଉଁଠିକୁ ଯାଆନ୍ତି ସେମାନେ? ଅସୀମ ସମୁଦ୍ରର ରହସ୍ୟକୁ ମାପିବାର ଅଭିଳାଷ ଏବେ ତୀବ୍ର ହୋଇଛି। ଭାବିଛି, ନା, ଆଉ ଡେରି କରି ଲାଭ ନାହିଁ। ଢେଉମାନଙ୍କୁ ଅନୁସରଣ କରିବାକୁ ପଡ଼ିବ।

ଗତି ଆଗକୁ ଆଗକୁ। ମାତ୍ର ଏ କ’ଣ? ଢେଉମାନଙ୍କ ଭଳି ସେ ନିଜେ ତ ମିଳେଇ ଯାଉଛି ପାଣିରେ! ତା’ର ଅସ୍ତିତ୍ୱ ତା’ହେଲେ କେଉଁଠି? କିଛି ବୁଝିବା ଆଗରୁ ସମୁଦ୍ରର ନୀଳ ଜଳରାଶିରେ ହଜି ଯାଇଛି ତା’ର ସତ୍ତା। ମଣିଷ ବି ସେହିଭଳି। ଠିକ୍ ସେଇ ଲୁଣ କଣ୍ଢେଇଟି ଭଳି। ଜାଣି ବି ଅଜଣା ଥାଏ, ତା’ ଦେହ ମାଟିପିଣ୍ଡରେ ତିଆରି। ମାଟିରେ ମିଶିଯିବ ଦିନେ। ମାତ୍ର ସୃଷ୍ଟି ରହସ୍ୟର ପୃଷ୍ଠକୁ ଭେଦ କରିବାକୁ ଏତେ ଆସ୍ଫର୍ଦ୍ଧା କରେ କାହିଁକି? କ’ଣ ହୁଏ ଶେଷରେ?? ମାଟିଘଟ ମିଳେଇଯାଏ ମାଟିରେ। ରହସ୍ୟମୟ ଦେବତା ହସୁଥାଏ। ମୁରୁକି ହସ।

ଆଡ଼ପମଣ୍ଡପରେ ବସି ରହିଛନ୍ତି ସେହି ରହସ୍ୟମୟ ଦେବତା। ଗୁଣ୍ଡିଚାମନ୍ଦିର ପ୍ରାଙ୍ଗଣରେ ଆଡ଼ପମଣ୍ଡପ। ସେଇଠି ବିଶ୍ୱବ୍ରହ୍ମାଣ୍ଡର ଅଧିପତିଙ୍କ ଜନ୍ମସ୍ଥାନ। ପୁରୁଷୋତ୍ତମକ୍ଷେତ୍ର ତାଙ୍କର କଳେବର, ଅନ୍ତର୍ବେଦୀ(ଆଡ଼ପମଣ୍ଡପ) ହୃଦୟ ଏବଂ ସ୍ୱୟଂ ଶରୀର ଧାରଣପୂର୍ବକ ଅବସ୍ଥାନ କରୁଥିବାରୁ କ୍ଷେତ୍ରର ନାଁ ପୁରୁଷୋତ୍ତମ। ପୁରାଣରେ ଏହାର ବର୍ଣ୍ଣନା ରହିଛି – “ବିଷ୍ଣୋଃ କଳେବର ତସ୍ମିନ୍, କ୍ଷେତ୍ରେ ଶ୍ରୀପୁରୁଷୋତ୍ତମ/ ଅନ୍ତର୍ବେଦୀ ମହାପୁଣ୍ୟା ବିଷ୍ଣୋଃ ହୃଦୟ ସନ୍ନିଭା।” ସ୍ୱୟଂ କୋଟିବ୍ରହ୍ମାଣ୍ଡର ଅଧିପତିଙ୍କ ଜନ୍ମସ୍ଥଳୀ ଯେଉଁଠି, ସେଠି ତ ପଞ୍ଚତୀର୍ଥର ବର୍ତ୍ତମାନ ଅବଶ୍ୟମ୍ଭାବୀ। ପଞ୍ଚତୀର୍ଥ। ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ।

“ମାର୍କଣ୍ଡେୟ ବଟକୃଷ୍ଣେ ରୋହିଣୀ ଚ ମହୋଦଧି

ଇନ୍ଦ୍ରଦ୍ୟୁମ୍ନ ସରେ ସ୍ୱାତ୍ୱା ପୁନର୍ଜନ୍ମ ନ ବିଦ୍ୟତେ।”

ମାର୍କଣ୍ଡେୟ, ବଟକୃଷ୍ଣ, ରୋହିଣୀକୁଣ୍ଡ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନପୁଷ୍କରିଣୀ। ଏଥିରେ ସ୍ନାନ କଲେ ପୁନର୍ଜନ୍ମରୁ ମୁକ୍ତିମିଳେ। ଏଗୁଡ଼ିକ ମଧ୍ୟରୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଗୁଣ୍ଡିଚା ପ୍ରାଙ୍ଗଣରେ ଅବସ୍ଥିତ। ଅଶ୍ୱମେଧ ଯଜ୍ଞ ଅବକାଶରେ ସହସ୍ର ଅଶ୍ୱର ଖୁରାପାତରେ ସୃଷ୍ଟ ଗର୍ତ୍ତ ପୂର୍ଣ୍ଣ ହୋଇଛି ଗୋ-ଦାନର ଶଂଖଟେକା ପବିତ୍ର ଜଳରେ। ସେହି ସହସ୍ର ଅଶ୍ୱଙ୍କୁ ନେଇ ମହାବେଦୀରେ ଇନ୍ଦ୍ରଦ୍ୟୁମ୍ନ ସଂପନ୍ନ କରିଛନ୍ତି ସହସ୍ର ଅଶ୍ୱମେଧ ଯଜ୍ଞ। ତେଣୁ ଏ ମହାବେଦୀର ଅନ୍ୟ ଏକ ନାଁ ଯଜ୍ଞବେଦୀ। ପ୍ରଭୁଙ୍କର ଏଇଠାରେ ଉଦୟନ, ତେଣୁ ଅନ୍ତର୍ବେଦୀ। ସେହି ଅନ୍ତର୍ବେଦୀର ସନ୍ନିକଟରେ ଥିବା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ କୂଳରେ ସ୍ୱୟଂ ଭଗବାନ ସାତଦିନ ଅବସ୍ଥାନ କରିଛନ୍ତି। ଏ’କଥା ସ୍ୱୟଂ ଶ୍ରୀମୁଖରୁ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି। ସେହି ଯଜ୍ଞବେଦୀରେ ପ୍ରଥମେ ପ୍ରତିଷ୍ଠା ହୋଇଛନ୍ତି ନୃସିଂହ। ତେଣୁ ଶ୍ରୀକ୍ଷେତ୍ରର ନାଁ ନୃସିଂହକ୍ଷେତ୍ର। ନୃସିଂହକ୍ଷେତ୍ରରେ ଅବସ୍ଥିତ ଅନ୍ତର୍ବେଦୀରେ ମହାପ୍ରଭୁ ବିଜେ କରିଛନ୍ତି। ଆଜି ନବମୀ ଦର୍ଶନ ଦେବେ। ନବମୀରେ ସଂନ୍ଧ୍ୟା ଦର୍ଶନ କଲେ କୋଟିଜନ୍ମର ପୁଣ୍ୟଫଳ ମିଳିଥାଏ। “ନବମୀ ସନ୍ଧ୍ୟାଦର୍ଶନ, ଦିଏ କୋଟିଜନ୍ମ ପୁଣ୍ୟ, ଗୁଣ୍ଡିଚାବାଡ଼ିରେ ପ୍ରଭୁ ବିରାଜମାନ। ଯଜ୍ଞବେଦୀ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଦେଖିଲେ, ତ୍ରିଭୁବନେ ଧନ୍ୟ ହୁଏ ନରଜୀବନ।” ଆଡପମଣ୍ଡପ ଉପରେ ଦର୍ଶନ ଫଳ ନୀଳାଦ୍ରିର ଦଶବର୍ଷର ପୂଣ୍ୟଫଳ ସହ ସମାନ- ସ୍କନ୍ଦପୁରାଣରେ ବର୍ଣ୍ଣନା ରହିଛି –

“ନୀଳାଦ୍ରୌଃ ଦଶବର୍ଷାଣି, ଗୁଣ୍ଡିଚା ମଣ୍ଡପେ ଦିନେ

ଦିବାତି ଦର୍ଶନଂ ପୂଣ୍ୟଂ, ରାତ୍ରୌ ଦଶଗୁଣ ଭବେତ୍।” ପୁଣି ନବମୀ ସଂଧ୍ୟା ଦର୍ଶନ ଏହାଠାରୁ ଦଶଗୁଣ ଅଧିକ ।

ତ୍ରିଭୁବନକୁ ଧନ୍ୟକରି ପୁଣି ବାହୁଡ଼ିଯିବେ ଶ୍ରୀମନ୍ଦିରକୁ। ଶ୍ରୀମନ୍ଦିରରେ ଅପେକ୍ଷା କରିରହିଛନ୍ତି ମା’ ଲକ୍ଷ୍ମୀ। ତାଙ୍କ ମାନଭଞ୍ଜନ କରିବେ। ମହାପ୍ରଭୁଙ୍କର ଏ ତ୍ରିଭୁବନଯାତ୍ରାରେ କାହିଁକି ଆସିପାରିଲେନି ଲକ୍ଷ୍ମୀ? ଶ୍ରୀମଦ୍ଭାଗବତରୁ ଜଣାଯାଏ – ପ୍ରଭୁଙ୍କର ଏ ଅପୂର୍ବ ରାସଲୀଳାରେ ନିଜେ ଲକ୍ଷ୍ମୀସାଆନ୍ତାଣୀ ଚାହିଁଥିଲେ ଆସିବାପାଇଁ। ଏଥିପାଇଁ କଠୋର ତପସ୍ୟା ବି କରିଥିଲେ। ମାତ୍ର ସେ ତ ବୈକୁଣ୍ଠର ଅଧିପତି ବିଷ୍ଣୁଙ୍କର ପତ୍ନୀ। ସକଳ ଐଶ୍ୱର୍ଯ୍ୟର ଅଧିଶ୍ୱରୀ। ଗୁଣ୍ଡିଚାମନ୍ଦିର ବୃନ୍ଦାବନକ୍ଷେତ୍ର। ମାଧୁର୍ଯ୍ୟ ଲୀଳାର କ୍ଷେତ୍ର। ତେଣୁ ଐଶ୍ୱର୍ଯ୍ୟର ଠାକୁରାଣୀ ମାଧୁର୍ଯ୍ୟଲୀଳାରେ ଅବତୀର୍ଣ୍ଣ ହେବେ କେମିତି? ବୃନ୍ଦାବନ ତ ଗୋପୀମାନଙ୍କର ନିତ୍ୟ ନିବାସ ସ୍ଥଳ। ଏ ଅଧିକାରରୁ ତାଙ୍କୁ ବଞ୍ଚିତ କରାଗଲା। ପ୍ରଭୁଙ୍କର ଏ ଯାତ୍ରା-ମାଧୁର୍ଯ୍ୟଲୀଳାର ଯାତ୍ରା, ବୃନ୍ଦାବନଯାତ୍ରା ଏବଂ ରାହାସଯାତ୍ରା। ନିଜେ ଜଗନ୍ନାଥ ହେଉଛନ୍ତି ସ୍ୱୟଂ କୃଷ୍ଣ। ଦୁଃଖ ଓ ଗ୍ଲାନିରେ ତେଣୁ ଲକ୍ଷ୍ମୀ ସାଆନ୍ତାଣୀ ଏ ଯାତ୍ରାକୁ ସ୍ୱୀକାର କରନ୍ତି ନାହିଁ – ଏହା ଗୌଡ଼ୀୟ ବୈଷ୍ଣବମାନଙ୍କର ମତ।

ତେଣୁ ହେରାପଞ୍ଚମୀ ଦିନ ଲକ୍ଷ୍ମୀ ଆସନ୍ତି ଗୁଣ୍ଡିଚା ମନ୍ଦିର। ଅଧରାତିରେ ବଟମୂଳରୁ ପାଲିଙ୍କିରେ ବସି ଆସନ୍ତି। ମା’ ବିମଳାଙ୍କ ପାଖରୁ ସାଥିରେ ଆଣିଥାନ୍ତି ମୋହଚୂର୍ଣ୍ଣ। ଜଗନ୍ନାଥଙ୍କୁ ବଶ କରିବାପାଇଁ। ନାକଚଣା ଦ୍ୱାର ଦେଇ ଭିତରେ ପ୍ରବେଶ କରନ୍ତି। ଚାରିଚକ୍ଷୁର ମିଳନ ହୁଏ। ଅଭିମାନରେ ଫାଟିପଡେ ଛାତି। ନନ୍ଦିଘୋଷରୁ କାଠଖଣ୍ଡେ ଭାଙ୍ଗିଦେଇ ବାହୁଡ଼ିଯାଆନ୍ତି ହେରାଗୋହିରୀ ସାହି ପଟେ। ତରବରରେ ଯାଉଯାଉ ଦୁଆରପାଖରେ ଖସିପଡେ଼ ନାକରୁ ନାକଚଣା। ତେଣୁ ଦ୍ୱାର ନାଁ ନାକଚଣା ଦ୍ୱାର। କିନ୍ତୁ ଘୋଷଯାତ୍ରାର ଅନେକ ନାଁ ମଧ୍ୟରୁ ‘ଗୁଣ୍ଡିଚାଯାତ୍ରା’ ଏତେ ପ୍ରିୟ କାହିଁକି। କାହିଁକି ଏପରି ନାଁ? ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚାଦେବୀଙ୍କ ଅନୁରୋଧ। ପ୍ରତିବର୍ଷ ଥରେ ଆସି ଦେଖିଯିବାକୁ। ତେଣୁ କାଳେ ଯାତର ନାଁ ଗୁଣ୍ଡିଚାଯାତ୍ରା। ଆଉ କେହି କୁହନ୍ତି ‘ଗୁଡ଼ିସା’ ଶବ୍ଦରୁ ଗୁଣ୍ଡିଚାର ସୃଷ୍ଟି। ‘ଗୁଡ଼ିସା’ ଅର୍ଥାତ୍ କାଠ। ଦିଅଁଙ୍କ ଦେହ କାଠରେ ତିଆରି। ତେଣୁ ଯାତର ନାଁ ଗୁଣ୍ଡିଚାଯାତ।

ଅନ୍ୟମତରେ – ଚୋଡ଼ଗଙ୍ଗଦେବଙ୍କ ପତ୍ନୀ ‘ଗଣ୍ଡିରୋଡ଼ି’ଙ୍କ ନାଁ ଅନୁସାରେ ଏ ଯାତରା ନାଁ ଏପରି। ଅନେକେ ଭାବନ୍ତି ଗୁଣ୍ଡିଚାରାଣୀଙ୍କୁ ପ୍ରଭୁଙ୍କର ମାଉସୀ ମା’। ତାହା ନୁହେଁ। ମାଉସୀ ମା’ ଅର୍ଦ୍ଧାଶନୀ। ବାହୁଡ଼ା ଦିନ ବାଟରେ ଖୁଆନ୍ତି ପୋଡ଼ପିଠା। ପ୍ରଳୟ କାଳରେ ପ୍ରଳୟ ଜଳକୁ ଅଧା ଶୋଷି ନେଇଥିବାରୁ ତାଙ୍କ ନାଁ ଅର୍ଦ୍ଧାଶନୀ ବା ଅର୍ଦ୍ଧଶୋଷନୀ। କୁନି ମନ୍ଦିରଟିଏ। ବଡଦାଣ୍ଡର ମଝାମଝି ଶ୍ରୀମନ୍ଦିର ଆଡୁ ଗୁଣ୍ଡିଚାମନ୍ଦିର ଆଡକୁ ଆସିବାବେଳେ ଡାହାଣ ପଟେ ଓ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଆଡକୁ ଯିବାବେଳେ ବାଁ ପଟେ ପଡେ। ମା’ ଗୁଣ୍ଡିଚାରାଣୀ ପ୍ରଭୁଙ୍କର ମାତୃ ପ୍ରତିମ। ତିନିରଥ ଏବେ ଫେରିଯିବାକୁ ସଜବାଜ ହେଉଛନ୍ତି। ଦଣ୍ଡାୟମାନ ଶରଧାବାଲି ଉପରେ। ଏଇଠି କାଳେ ନଈଟିଏ ଥିଲା। ମାଳିନୀ ନଈ। (କେହି କେହି ଶଂଖୁଆ କୁହନ୍ତି)। ନଈ ଏପଟେ ଗୁଣ୍ଡିଚା ମନ୍ଦିର, ସେପଟେ ଶ୍ରୀମନ୍ଦିର। ଶ୍ରୀଜୀଉଙ୍କ ରଥଯାତ୍ରା ସୁରୁଖୁରୁରେ ସଂପନ୍ନ ପାଇଁ ରାଜା ନରସିଂହ ଦେବଙ୍କ ରାଣୀ ଶରଧାଦେବୀ ନଈଟିକୁ ପୋତି ଦେଇଥିଲେ। ତେଣୁ ନାଁ ଶରଧାବାଲି ।

ନବଦିନାତ୍ମକଯାତ୍ରା ସାରି, ମହାପ୍ରଭୁ ସଂନ୍ଧ୍ୟା ଦର୍ଶନଦେଇ ଶରଧାବାଲିରୁ ଫେରିଯିବେ ନୀଳକନ୍ଦରକୁ। ଫେରିବା ବାଟରେ ପୁଣି କେତେକେତେ ଲୀଳା। ଗଜପତିଙ୍କ ବନ୍ଦାପନା, ଲକ୍ଷ୍ମୀ-ନାରାୟଣ ଭେଟ, ମାଉସୀମା’ଠୁ ପୋଡ଼ପିଠା, ସୁନାବେଶ, ଅଧରପଣା। ତା’ପରେ ଯାଇ ନୀଳାଦ୍ରି ବିଜେ। ରସଗୋଲା ଦେଇ ଲକ୍ଷ୍ମୀଙ୍କୁ ମନେଇବେ। କେତେ ଲୀଳା, ମାତ୍ର ଏତେକଥା ପଛରେ ଥିବା କାହାଣୀଟି ଏହିପରି।

ପ୍ରଳୟବେଳର କଥା। ବରାହ ରୂପରେ ବିଷ୍ଣୁଙ୍କର ପୃଥିବୀକୁ ମହାପ୍ରଳୟରୁ ଉଦ୍ଧାର। କ୍ଳାନ୍ତ ବିଷ୍ଣୁଙ୍କ ବିଶ୍ରାମ ସମୟରେ ବ୍ରହ୍ମା ଜୀବଜଗତର ମୋକ୍ଷ ସଂପର୍କରେ ପଚାରିଛନ୍ତି। ଶ୍ରୀକ୍ଷେତ୍ରର ନୀଳଗିରିରେ ପୂଜିତ ନୀଳମାଧବ ଦର୍ଶନ ହିଁ ମୋକ୍ଷପ୍ରାପ୍ତିର ମାର୍ଗ – କହିଛନ୍ତି ବିଷ୍ଣୁ। ଠିକ୍ ଏତିକିବେଳେ ଯମ ସେଠାରେ ପହଞ୍ଚିଛନ୍ତି ଏବଂ ମୋକ୍ଷପ୍ରାପ୍ତିର ମାର୍ଗ ଶୁଣିବା ପରେ ବିଚଳିତ ହୋଇଛନ୍ତି। କାରଣ ଜୀବଜଗତଙ୍କ ମୃତୁ୍ୟ ନହେଲେ, ସୃଷ୍ଟିର ସ୍ଥିତି ରହିବ କେମିତି? ଯମଙ୍କ ଅସହାୟତା ବୁଝିପାରିଛନ୍ତି ଭଗବାନ ବିଷ୍ଣୁ ଏବଂ କୌଣସି ଏକ ଘଟଣାଚକ୍ରରେ ସେ ନିଶ୍ଚୟ ଅନ୍ତର୍ଦ୍ଧାନ ହେବାର ପ୍ରତିଶ୍ରୁତି ଦେଇଛନ୍ତି।

ତାହାହିଁ ହୋଇଛି। ଇନ୍ଦ୍ରଦ୍ୟୁମ୍ନ ଦର୍ଶନ କରିବା ପୂର୍ବରୁ ସେ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ଚତୁର୍ଦ୍ଧାମୂର୍ତ୍ତିରେ ରୂପାନ୍ତର ହୋଇଛନ୍ତି। ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଥିବା ଯଜ୍ଞବେଦୀରେ ପ୍ରତିଷ୍ଠିତ ହୋଇଛନ୍ତି। ସେହି ଯଜ୍ଞବେଦୀ ଉପରୁ ଆଜି ଅଗଣିତ ପ୍ରଣତ ଆତ୍ମାଙ୍କୁ ସଂନ୍ଧ୍ୟା ଦର୍ଶନ ଦେଇ ଫେରିଯିବେ ଶ୍ରୀମନ୍ଦିର ରତ୍ନସିଂହାସନକୁ।

ଗଲାବେଳେ ମହାପ୍ରଭୁଙ୍କ ଚେତନାକୁ ଚହଲାଇ ଶୁଭିଯାଉଥିବ ମୀରାବାଈଙ୍କ ନନ୍ଦିନୀ ମଠରୁ ଦରଦୀ କଣ୍ଠର କରୁଣ ଆଳାପ ମୀରା କହେ ପ୍ରଭୁ ଗିରିଧର ନାଗର…। ଦଶ ଅବତାର ମଠରୁ ବିରହିଣୀ ରାଧିକାଙ୍କ ବ୍ୟାକୁଳିତ ପ୍ରାଣର ଆବେଗ। କହୁଥିବେ ଯେମିତି – ଗୀତଗୋବିନ୍ଦର ପଂକ୍ତି- ୟାହି ମାଧବ, ୟାହି କେଶବ, ମା ବଦ କୟିତବ ବାଦମ୍। ହେ କେଶବ, ହେ ମାଧବ, ତୁମେ ଭାରି କପଟିଆ – ଯାଅ, ଫେରିଯାଅ। ଆଉ କେବେ ଆସିବା ଦରକାର ନାହିଁ। ମା’ ଗୁଣ୍ଡିଚାଦେବୀ ଆଖିର ଲୁହରେ ମେଲାଣି ଦେଉଥିବେ। ସତେକି କହୁଥିବେ – ଆରେ ବାବୁ ଶ୍ୟାମଘନ, ତୁ’ ଗଲେ ମଧୁଭୁବନ, କାହା ମୁଖ ଅନାଇ ବଞ୍ଚିବି…। ବୁକୁଫଟା ଏ ସ୍ୱର ବ୍ୟଥିତ କରୁଥିବ ଅଖିଳବ୍ରହ୍ମାଣ୍ଡର ପତିଙ୍କୁ। ହୃଦୟ ବ୍ୟାକୁଳିତ ହେଉଥିବ। ମାତ୍ର ସବୁ ବନ୍ଧନକୁ ତୁଟାଇ ତାଙ୍କୁ ଯିବାକୁ ହେବ। ବ୍ରହ୍ମାଣ୍ଡର ପାଳନ ପାଇଁ ତାଙ୍କୁ ତ ଫେରିବାକୁ ପଡ଼ିବ!

ଏତେସବୁ ରହସ୍ୟ ସେ ଲୁଣର କଣ୍ଢେଇ ବା ବୁଝନ୍ତା କେମିତି? କେମିତି ବୁଝନ୍ତା, ନୀଳସମୁଦ୍ରର ଅନନ୍ତ ଗଭୀରତାକୁ? କେମିତି ବୁଝନ୍ତା ରହସ୍ୟମୟଙ୍କ ରହସ୍ୟକୁ। ଯେଉଁ ରହସ୍ୟ ଦେବତା ବି ବୁଝିବାକୁ ସମର୍ଥ ନୁହନ୍ତି, ତା’କୁ ଲୁଣର କଣ୍ଢେଇଟେ ବା ବୁଝନ୍ତା କେମିତି? ଆଉ ମଣିଷ? ସେ ରହସ୍ୟର ପାଖୁଡ଼ାକୁ ଖୋଲୁଖୋଲୁ କୁଆଡେ଼ ହଜେଇ ଦିଏ ତା’ର ସତ୍ତା ସେଇ ଲୁଣକଣ୍ଢେଇ ପରି ନୀଳ ଜଳରାଶିରେ।

Comment