ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ତଥା ହଲିଉଡର ପପୁଲାର ଆକ୍ଟର ଇରଫାନ ଖାନଙ୍କ ମୁଭି ‘କାରୱାଁ’ ଆଜି ରିଲିଜ୍‍ ହୋ‍ଇଛି। ଲଣ୍ଡନରେ ରହି ନିଜ ରୋଗର ଚିକିତ୍ସା କରାଉଥିବା ବେଳେ ନିଜର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି ଇରଫାନ।  କହିଛନ୍ତି, “ଏହି ରୋଗରେ ପୀଡ଼ିତ ହେବା ପରେ ମୁଁ ନିଜ ଭବିଷ୍ୟତ ବିଷୟରେ ଭାବିବା ଛାଡ଼ିଦେଇଛି”।

ବଲିଉଡ ଅଭିନେତା ଇରଫାନ୍ ଖାନ୍ ବିରଳ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର ରୋଗରେ ପୀଡ଼ିତ ଥିବା କଥା ନିଜର ସୋସିଆଲ ମିଡିଆ ଜରିଆରେ କିଛିଦିନ ପୂର୍ବରୁ ଜଣାଇଥିଲେ। ଏବେ ଇରଫାନ୍ ଲଣ୍ଡନରେ ରହି ନିଜ ରୋଗର ଚିକିତ୍ସା କରୁଛନ୍ତି। ଏହି ଖବର ପ୍ରସାର ହେବା ପରେ ତାଙ୍କର ଫ୍ୟାନ ତଥା ସାଥୀ କଳାକାରମାନେ ସେ ସୁସ୍ଥ ହୋଇ ଶୀଘ୍ର ଫେରନ୍ତୁ ବୋଲି ପ୍ରାର୍ଥନା କରିଥିଲେ।  ତେବେ କିଛି ଦିନର ବ୍ୟବଧାନ ପରେ ନିଜର ସ୍ୱାସ୍ଥ୍ୟାବସ୍ଥାକୁ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି ଇରଫାନ।

ଏକ ସାକ୍ଷାତକାରରେ ଇରଫାନ କହିଛନ୍ତି, “ମୁଁ କେମୋଥେରାପିର ୪ଟି ପର୍ଯ୍ୟାୟ ଶେଷ କରିସାରିଛି। ସମୁଦାୟ ୬ଟି ପର୍ଯ୍ୟାୟ ଶେଷ କରିବାକୁ ହେବ। ତାହାପରେ ହିଁ ସ୍କାନିଂ ଦ୍ୱାରା ଜୀବନ ମୋତେ କେଉଁ ଆଡ଼କୁ ନେବ ଜଣାପଡ଼ିଯିବ”।

“ମୋ ମନରେ ବାରମ୍ବାର ଭିନ୍ନ ଭିନ୍ନ ପ୍ରକାରର ଚିନ୍ତା ଆସୁଛି। ଇଛା ହେଉଛି ବେକରେ ଏକ ବୋର୍ଡ ଝୁଲାଇଦେଇ ବୁଲିବି ଯେଉଁଥିରେ ଲେଖାଥିବ ’ମୁଁ କିଛି ମାସ ବା ବର୍ଷ ଭିତରେ ମରିବାକୁ ଯାଉଛି’। ଆଉ କେତେବେଳେ ଇଛା ହେଉଛି ମୋତେ ଯେପରି ବି ଜୀବନ ମିଳିଛି, ମୁଁ ତାକୁ ନେଇ ଖୁସିରେ ବଞ୍ଚିବି”, ଭାବବିହ୍ୱଳତାର ସହିତ କହିଛନ୍ତି ଇରଫାନ୍‍।

ଆଗକୁ କୌଣସି ସିନେମା ପାଇଁ ପ୍ଲାନିଙ୍ଗ୍ କରିଥିବା ବିଷୟରେ ପ୍ରଶ୍ନର ଉତ୍ତରରେ ସେ କହିଲେ, “ମୁଁ ଏବେ କିଛି ବି ପ୍ଲାନିଙ୍ଗ୍ କରିବା ଛାଡି ଦେଇଛି।  ମୋ ଜୀବନ ଉପରେ ମୋର ଆଉ ଭରସା ନାହିଁ। କେତେବେଳେ ଯେ ସେ ମୋତେ ମୃତ୍ୟୁର ଦ୍ୱାରକୁ ନେଇ ଚାଲିଯିବ ତାହା ମୁଁ ବି ଜାଣିନାହିଁ। ଏପରିକି ବ୍ରେକଫାଷ୍ଟ ପରେ ମୁଁ କ’ଣ କରିବି, ତାହା ବି ମୁଁ ଜାଣିନାହିଁ। ତେବେ ପ୍ରତିକ୍ଷଣ ମୁଁ ବିନା ପ୍ଲାନିଙ୍ଗରେ ବଞ୍ଚିବାକୁ ଚାହୁଁଛି।

କିଛିଦିନ ପୂର୍ବରୁ ଇରଫାନ ଖାନ ସୋସିଆଲ ମିଡିଆରେ ଏହି ବିରଳ ରୋଗରେ ପୀଡ଼ିତ ଥିବା ସମ୍ପର୍କରେ ନିଜେ ସୂଚନା ଦେଇଥିଲେ। ଏଭଳି କଠିନ ସମୟରେ ସେ ତାଙ୍କ ଆଖପାଖରେ ଉପସ୍ଥିତ ଥିବା ଆତ୍ମୀୟସ୍ୱଜନ ତଥା ଫ୍ୟାନମାନଙ୍କ ଭଲ ପାଇବା ଓ ସମର୍ଥନ ପାଇଁ ଅନୁରୋଧ ମଧ୍ୟ କରିଥିଲେ।

Comment