କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

  • ଅସୁରକ୍ଷିତ କେନ୍ଦ୍ରାପଡ଼ା ଉପକୂଳ
  • ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଉଦବେଗଜନକ
  • ନାଁକୁ ମାତ୍ର ସାମୁଦ୍ରିକ ଥାନା
  • ନାହାନ୍ତି କର୍ମଚାରୀ, ନାହିଁ ସ୍ପିଡ୍ ବୋଟ୍
  • ଆଲର୍ଟ ଜାରୀ କରି ପ୍ରଶାସନ ନୀରବ

ଆସାମ ଛାଡ଼ିବାକୁ ଥିବା ୪୦ ଲକ୍ଷ ବାଂଲାଦେଶୀ ନାଗରିକଙ୍କୁ ନେଇ ଓଡ଼ିଶାରେ ହାଇ ଆଲର୍ଟ। ଅଧିକାଂଶ ବାଂଲାଦେଶୀ ନାଗରିକ ଓଡ଼ିଶା ଆଡ଼େ ମୁହାଁଇବାର ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲାର ଏସ୍‌ପି ଏବଂ ସାମୁଦ୍ରିକ ଥାନାକୁ ସଜାଗ କରିଛନ୍ତି ସରକାର। ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ୩ଟି ସାମୁଦ୍ରିକ ଥାନାର ସ୍ଥିତି ଯାହା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ କେମିତି ଏବଂ କିଏ ନଜର ରଖିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୧୯୭୧ ମାର୍ଚ୍ଚ ୨୪ ତାରିଖ ପରେ ଆସାମରେ ପ୍ରବେଶ କରିଥିବା ବାଂଲାଦେଶୀମାନଙ୍କର ଭାରତରେ ସ୍ଥାନ ନାହିଁ। କେନ୍ଦ୍ର ସରକାରଙ୍କର ଏହି ଚରମବାଣୀ ପରେ ୪୦ ଲକ୍ଷ ବାଂଲାଦେଶୀ ନାଗରିକମାନଙ୍କ ପାଇଁ ଏବେ ବିପଦ ବଢ଼ିଛି। ସେମାନେ କେଉଁଠି ରହିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଓଡ଼ିଶାକୁ ଏହି ବାଂଲାଦେଶୀ ନାଗରିକମାନେ ଅନୁପ୍ରବେଶ କରିବାର ବହୁତ ସମ୍ଭାବନା ଥିବାରୁ ସମସ୍ତ ଜିଲ୍ଲାରେ ହାଇ ଆଲର୍ଟ ଜାରୀ କରାଯାଇଛି। ସାମୁଦ୍ରିକ ଥାନାଗୁଡ଼ିକୁ ସଜାଗ କରାଯାଇଛି।

କେନ୍ଦ୍ରାପଡା ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ପ୍ରତି ବର୍ଷ ଅତି ଉଦବେଗଜନକ ଭାବରେ ବୃଦ୍ଧି ପାଉଛି। ଏହି ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଏବେ ରାଜନଗର ବ୍ଲକର ତାଳଚୁଆ , ରଙ୍ଗଣୀ, ବାଘମାରି, କେରୁଆପାଳ, କୃଷ୍ଣ ନଗର, ଖମାରସାହି ଓ ଡାଙ୍ଗମାଳ ପଞ୍ଚାୟତରେ ସେମାନଙ୍କର କାୟା ବିସ୍ତାର କରିଛନ୍ତି। ସେହିପରି ମହାକାଳପଡା ବ୍ଲକର ଜମ୍ବୁ, ସୁନୀତି, ଲାଞ୍ଜୁଡା, ରାମନଗର, ଖରିନାସୀ, ବତୀଘର, ପେଟଛେଲା, ବଉଳକଣି ପଞ୍ଚାୟତରେ ମଧ୍ୟ ବାଂଲାଦେଶୀ ବସବାସ କରୁଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକର ଜିଗରଣ କଲୋନୀରେ ବି ଏମାନେ ରହୁଛନ୍ତି। ହେଲେ ରାଜ୍ୟ ସରକାର ଏମାନଙ୍କୁ ଚିହ୍ନଟ କରି ତଡ଼ିବାରେ କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ପାରିନାହାନ୍ତି।

ଦେଶାନ୍ତର ନୋଟିସକୁ ଭୁଲିଗଲେ ସରକାର

୨୦୦୫ ମସିହାରେ ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲାରେ ୧୫୫୧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦେଶାନ୍ତର ନୋଟିସ ଦେଇଥିଲେ। ହେଲେ ତାହା ଏପର୍ଯନ୍ତ କାର୍ଯ୍ୟକାରୀ ହୋଇ ପାରିଲାନି। ଦେଶାନ୍ତର  ନୋଟିସ ପାଇଥିବା ଅନେକ ଲୋକ ମରି ହଜି ଗଲେଣି। ଅନେକ ଲୋକ ନିଜର ନାମ ପରିବର୍ତ୍ତନ କରି ପୁଣି ଭୋଟର ତାଲିକାରେ ନାଁ ପଞ୍ଜିକୃତ କରିବା ସହ ଆଧାର କାର୍ଡ ହାସଲ କରିଛନ୍ତି।

ହେଲେ ଏବେ ଆସାମରେ ପ୍ରାୟ ୪୦ଲକ୍ଷ ବାଂଲାଦେଶୀ ଅନୁପ୍ରବେଶକାରୀ ଆସାମ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏମାନେ ସମୁଦ୍ର ଉପକୂଳ ବାଟେ ଓଡ଼ିଶାରେ ପ୍ରବେଶ କରିବାର ଆଶଙ୍କା କରି ରାଜ୍ୟ ସରକାର ହାଇ ଆଲର୍ଟ ଜାରି କରିଛନ୍ତି। ଏହି ହାଇ ଆଲର୍ଟ ନୋଟିସ କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସମସ୍ତ ଥାନକୁ ଏହି ସମ୍ପର୍କରେ ଜଣାଇ ଦେଇଥିବା ବେଳେ ରାଜନଗର ବ୍ଲକର ତାଳଚୁଆ ସାମୁଦ୍ରିକ ଥାନା, ମହାକାଳପଡା ବ୍ଲକର ଜମ୍ବୁ ସାମୁଦ୍ରିକ ଥାନା ଓ ତନ୍ତିଆପାଳ ସାମୁଦ୍ରିକଥାନାକୁ ଆଲର୍ଟ କରାଯାଇଛି।

ସାମୁଦ୍ରିକ ଥାନାରେ ନାହାନ୍ତି କର୍ମଚାରୀ

ଏହି ୩ଟି ସାମୁଦ୍ରିକ ଥାନାର  ଅବସ୍ଥା ବହୁ ଜଟିଳ। କେବଳ ସାମୁଦ୍ରିକ ଥାନା ତିଆରି କରିଦେଇ ରାଜ୍ୟ ସରକାର ବସିଛନ୍ତି। ପ୍ରତି ସାମୁଦ୍ରିକ ଥାନାରେ ୮୧ ଜଣ କର୍ମଚାରୀ ରହିବା କଥା। ସେମାନଙ୍କ ମଧ୍ୟରେ ଜଣେ ଇନ୍ସିପେକ୍ଟର, ୭ଜଣ ସବ୍ ଇନ୍ସିପେକ୍ଟର, ୮ଜଣ ଅତିରିକ୍ତ ସବ୍ଇନ୍ସିପେକ୍ଟର ,୨୨ ଜଣ ହାବିଲଦାର ଓ ୪୬ ଜଣ କନଷ୍ଟେବଳ ରହିବା କଥା। ଏହାଛଡ଼ା ସମୁଦ୍ରରେ ପଇନ୍ତରା ମାରିବାକୁ ୪ଟି ସ୍ପିଡ୍ ବୋଟ ଓ ବାଇକ୍  ରହିବା କଥା। ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଏହି ୩ଟି ସାମୁଦ୍ରିକ ଥାନାରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି।

ରାଜନଗର ବ୍ଲକର ତାଳଚୁଆ ସାମୁଦ୍ରିକ ଥାନାରେ ୮୧ ଜଣ କର୍ମଚାରୀଙ୍କ ସ୍ଥାନରେ ୯ଜଣ କର୍ମଚାରୀ ଅଛନ୍ତି। ଜଣେ ଏଏସ୍ଆଇ, ୩ ଜଣ ହାବିଲଦାର ଓ ୫ ଜଣ କନଷ୍ଟେବଳଙ୍କୁ ଥାନା ଚାଲୁଛି। ରାଜନଗର ଥାନା ଇନ୍ସପେକ୍ଟର ସାମୁଦ୍ରିକ ଥାନା ଦାୟିତ୍ୱରେ ରହିଛନ୍ତି।

ସେହିପରି ମହାକାଳପଡା ବ୍ଲକର ତନ୍ତିଆପାଳ ସାମୁଦ୍ରିକ ଥାନାରେ ଜଣେ ଏସ୍ ଆଇ, ଜଣେ ଏ ଏସ୍ ଆଇ, ଜଣେ ହାବିଲଦାର, ୭ ଜଣ କନଷ୍ଟେବଳ ଓ ୧୪ ଜଣ ଗୃହରକ୍ଷୀ ଅଛନ୍ତି। ଥାନା ଦାୟିତ୍ୱରେ ରହିଛନ୍ତି ମହାକାଳପଡ଼ା ଥାନା ଅଧିକାରୀ। ସେହିପରି ଜମ୍ବୁ ସାମୁଦ୍ରିକ ଥାନା ଜଣେ ଇନ୍ସପେକ୍ଟର, ଜଣେ ଏ ଏସ୍ ଆଇ, ଦୁଇ ଜଣ ହାବିଲଦାର ଓ ୧୧ ଜଣ କନଷ୍ଟେବଳଙ୍କୁ ନେଇ ଚାଲିଛି।

ତାଳଚୁଆ ଓ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଗୋଟିଏ ଲେଖାଏଁ ଜିପ୍ ରହିଥିବା ବେଳେ ତାଳଚୁଆ ଥାନାରେ ଦୁଇଟି ବାଇକ ରହିଛି। ଏହି ଦୁଇ ଥାନାରେ କୌଣସି ବୋଟ୍ ନାହିଁ। ଜମ୍ବୁ ସାମୁଦ୍ରିକ ଥାନରେ ୩ଟି ସ୍ପିଡ୍ ବୋଟ ଥିଲା। ମାତ୍ର ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରୁ ଏହି ସ୍ପିଡ୍ ବୋଟ୍ ପୁରୀ ଯାଇ ଆଉ ଫେରିନାହିଁ।

ଯଦି ଏଭଳି ସ୍ଥିତିରେ ବାଂଲାଦେଶୀ ଅନୁପ୍ରବେଶକାରୀ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବେଶ କରନ୍ତି ତାହାଲେ ସାମୁଦ୍ରିକ ଥାନା କିପରି ସେମାନଙ୍କୁ ରୋକିବେ?

କେନ୍ଦ୍ରାପଡ଼ା ଜିଲ୍ଲାର ରାମନଗର, ଜମ୍ବୁ ଓ ଖରିନାସୀ ଗ୍ରାମ ପଞ୍ଚାୟତରେ  ଦୀର୍ଘଦିନ ଧରି ଆସାମର ବାଂଲାଦେଶୀ ନାଗରିକ ରହୁଛନ୍ତି। ଯାହା ଜିଲ୍ଲା ପ୍ରଶାସନର ନଜର ଆଢୁଆଳରେ ରହିଛି। ଏମାନଙ୍କୁ ଦାସପଡ଼ାର ନାଗରିକ କୁହାଯାଏ। ଏମାନଙ୍କର ଟାଇଟଲ୍ ସବୁ ଦାସ। ଏମାନଙ୍କର ଭାଷା ମଧ୍ୟ ବଙ୍ଗାଳି ଭାଷା ଠାରୁ ଭିନ୍ନ। ତେଣୁ ଏହି ଲୋକମାନଙ୍କୁ ବଙ୍ଗାଳିମାନେ ଦାସପଡ଼ାର ଲୋକ ଭାବରେ ସମ୍ବୋଧନ କରିଥାନ୍ତି। ଏମାନଙ୍କ ମଧ୍ୟରୁ ଅନେକ ପଞ୍ଚାୟତ ପ୍ରତିନିଧି ରହିଥିବା ଜଣାପଡ଼ିଛି।

ଏଥିରୁ ସ୍ପଷ୍ଟ ଯେ ଦୁର୍ବଳ ଗୁଇନ୍ଦା ଯୋଗୁଁ  କେନ୍ଦ୍ରାପଡ଼ା ଜିଲ୍ଲା ବାଂଲାଦେଶୀ ଶରଣାର୍ଥୀଙ୍କ ପାଇଁ ଆଶୟସ୍ଥଳୀ ପାଲଟିଛି। ସମୁଦ୍ର ଉପକୂଳ ଲୁଣା ଜଙ୍ଗଲ ନଷ୍ଟ କରି ନିର୍ଭୟରେ ରହୁଛନ୍ତି। ଏଥିପ୍ରତି ପ୍ରଶାସନ ସତର୍କ ରହିବାକୁ ଦାବି ହେଉଛି।

Comment