ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ଆକାଶ ଦାସ ନାୟକ ଏହିସବୁ ସିନେମାରେ କାମ କରିଥିଲେ, ଯାହା ପ୍ରଥମେ ଅନୁଭବ ବୁଦ୍ଧାଦିତ୍ୟଙ୍କୁ ଅଫର୍ ହୋଇଥିଲା

ଓଲିଉଡର ଆକ୍ସନ ବୟ ଭାବେ ପରିଚିତ ଆକାଶ ଦାସ ନାୟକ। ସେ ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘କଳିଙ୍ଗପୁତ୍ର’ ଜରିଆରେ ନାୟକ ଭାବେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ଏହା ପୂର୍ବରୁ ଅବଶ୍ୟ ଆକାଶ ଆଲବମ୍‌ ହିରୋ ଭାବେ ଓଡ଼ିଶାରେ ସୁପରିଚିତ ଥିଲେ।

‘କଳିଙ୍ଗପୁତ୍ର’ ସିନେମାରେ ନାୟକ ଭୂମିକା ଲାଗି ପ୍ରଥମେ ଅନୁଭବ ମହାନ୍ତିଙ୍କୁ ଅଫର୍ ମିଳିଥିଲା। ହେଲେ କୌଣସି କାରଣରୁ ଅନୁଭବ ସେଥିରେ କାମ କରିବାକୁ ସମୟ ଦେଇ ପାରିନଥିଲେ।

ଏହାପରେ ପ୍ରଯୋଜକ ଓ ନିର୍ଦ୍ଦେଶକ ଚିନ୍ତା କରିଥିଲେ, କାହାକୁ ହିରୋ ଭାବେ ନେଇ ଫିଲ୍ମଟି ତିଆରି କରିବେ। ‘କଳିଙ୍ଗପୁତ୍ର’ର ପ୍ରଯୋଜକ ଥିଲେ ଦେବାନନ୍ଦ ପଣ୍ଡା ଓ ନିର୍ଦ୍ଦେଶନା ଦେଇଥିଲେ ବରଦା ପ୍ରସନ୍ନ ତ୍ରିପାଠୀ। ଯଦିଓ ଉଭୟଙ୍କର ଆଗରୁ ସିନେମା ଲାଇନରେ ଯଥେଷ୍ଟ ଅଭିଜ୍ଞତା ଥିଲା, ମାତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ଦୁହିଁଙ୍କର ପ୍ରଥମ ସିନେମା ଥିଲା ‘କଳିଙ୍ଗପୁତ୍ର’।

ବହୁ ବିଚାରବିମର୍ଷ ପରେ ପ୍ରଯୋଜକ ଦେବାନନ୍ଦ ପଣ୍ଡା ଓ ନିର୍ଦ୍ଦେଶକ ବରଦା ପ୍ରସନ୍ନ ତ୍ରିପାଠୀ ‘କଳିଙ୍ଗପୁତ୍ର’ରେ ଜଣେ ନୂଆ ହିରୋଙ୍କୁ ଲଞ୍ଚ୍ କରିବେ। ସେମାନଙ୍କର ନଜର ପଡ଼ିଥିଲା ଆକାଶ ଦାସ ନାୟକଙ୍କ ଉପରେ। ସେ ଦୁହେଁ ଆକାଶଙ୍କୁ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଲେ। ସେତେବେଳେ ଆକାଶଙ୍କ ମନରେ ମଧ୍ୟ ବଡ଼ ପରଦାରେ ନାୟକ ହେବାର ଅଭିଳାଷ ଥିଲା।

‘କଳିଙ୍ଗପୁତ୍ର’ ଏକ ନାୟକକୈନ୍ଦ୍ରିକ ଚଳଚ୍ଚିତ୍ର ବୋଲି ଜାଣିବା ପରେ ତାଙ୍କର ଉତ୍ସାହ ଦ୍ୱିଗୁଣିତ ହୋଇଥିଲା। ତା’ପରେ ଅନୁଭବଙ୍କୁ ରିପ୍ଲେସ୍ କରିଥିଲେ ଆକାଶ। ନୂଆ ନାୟକ ଆକାଶଙ୍କ ବିପକ୍ଷରେ ପ୍ରଯୋଜକ, ନିର୍ଦ୍ଦେଶକ ଜଣେ ନବାଗତାଙ୍କୁ ନାୟିକା ଭୂମିକାରେ ମଧ୍ୟ ବ୍ରେକ୍ ଦେଇଥିଲେ ରାଲି ନନ୍ଦ।

‘କଳିଙ୍ଗପୁତ୍ର’ ହିଟ୍ ହେଲା ଓ ଆକାଶ ଓଲିଉଡରେ ନୂଆ ପରିଚୟ ପାଇଥିଲେ। ଏହାପରେ ନାୟକ ଆକାଶଙ୍କୁ ନୂଆ ସିନେମାର ଅଫର୍ ମିଳିଲା ଓ ସେ ମଧ୍ୟ ଆଗେଇ ଚାଲିଲେ।

ଆକାଶ ଦାସ ନାୟକଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଓଡ଼ିଆ ଛବି ହେଲା ‘ଆଲୋ ମୋର କଣ୍ଢେଇ’। ରବୀନ୍ଦ୍ର ମୋହନ ସାହୁଙ୍କ ନିବେଦିତ ତଥା ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଆକାଶଙ୍କୁ ଦମଦାର ଚରିତ୍ରରେ ଦେଖିବାକୁ ମିଳିଥିଲା।

‘ଆଲୋ ମୋର କଣ୍ଢେଇ’ ସିନେମାରେ ଆକାଶଙ୍କର ଆକ୍ସନ୍, ରୋମାନ୍ସ ସାଙ୍ଗକୁ ଇମୋସନାଲ୍ ରୋଲ୍ ଦର୍ଶକଙ୍କୁ ପସନ୍ଦ ଆସିଥିଲା। ବିଶେଷକରି ଏଥିରେ ଆକାଶଙ୍କୁ ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇଥିବା ବାପା ଭୂମିକାରେ ଦେଖି ଦର୍ଶକ ବିସ୍ମିତ ହୋଇଥିଲେ। କାରଣ ଆଗରୁ ତାଙ୍କୁ ଅନ୍ୟ କୌଣସି ସିନେମାରେ ସେଭଳି ଚରିତ୍ର ମିଳିନଥିଲା ଏହି ସିନେମାରେ ଆକାଶଙ୍କ ବ୍ୟତୀତ ପ୍ରିୟା, ଅର୍ଚ୍ଚିତା ଓ ସିଦ୍ଧାନ୍ତ ଥିଲେ ମୁଖ୍ୟ ଭୂମିକାରେ।

‘ଆଲୋ ମୋର କଣ୍ଢେଇ’ ପାଇଁ କିନ୍ତୁ ପ୍ରଥମ ପସନ୍ଦ ନଥିଲେ ଆକାଶ ଦାସ ନାୟକ। ଏହି ଭୂମିକା ଲାଗି ନିର୍ଦ୍ଦେଶକ ପ୍ରଥମେ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଅଫର୍ ଦେଇଥିଲେ। ବୁଦ୍ଧାଦିତ୍ୟ ସେତେବେଳେ ମୁମ୍ବାଇରେ ରହୁଥିଲେ। କାହାଣୀ ଓ ନିଜର ଚରିତ୍ର ଶୁଣିବା ପରେ ବୁଦ୍ଧାଦିତ୍ୟ ସବୁଜ ସଙ୍କେତ ଦେଇଥିଲେ।

ପରେ କିନ୍ତୁ ବୁଦ୍ଧାଦିତ୍ୟଙ୍କୁ ‘ଆଲୋ ମୋର କଣ୍ଢେଇ’ରେ ନିଆଯାଇ ନଥିଲା। ସେହି ସମୟରେ ଓଲିଉଡରେ ଚର୍ଚ୍ଚା ହୋଇଥିଲା ଯେ ବୁଦ୍ଧାଦିତ୍ୟ ସେହି ଫିଲ୍ମରେ କାମ କରିବା ପାଇଁ ୫ ଲକ୍ଷ ଟଙ୍କା ପାରିଶ୍ରମିକ ଦାବି କରିଥିଲେ, ଯାହା ଦେବାକୁ ପ୍ରଯୋଜନା ସଂସ୍ଥା ପ୍ରସ୍ତୁତ ନ ଥିଲେ। ଫଳରେ ଏହି ସିନେମାଟି ବୁଦ୍ଧାଦିତ୍ୟଙ୍କ ହାତରୁ ଖସି ଯାଇଥିଲା।

ତା’ପରେ ଆକାଶଙ୍କୁ ମିଳିଥିଲା ‘ଆଲୋ ମୋର କଣ୍ଢେଇ’ ପାଇଁ ଅଫର। ଏହି ଫିଲ୍ମଟି ହିଟ୍ ବି ହୋଇଥିଲା ଓ ଆକାଶଙ୍କ କ୍ୟାରିଅର୍‌ ଆଗକୁ ନେବା ପାଇଁ ସହାୟକ ହୋଇଥିଲା।

Comment