ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ବୁଧବାରଦିନ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ବିକେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

ଅଗଷ୍ଟ ୯ରେ ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଜାତୀୟ ରାଜନୀତି ସରଗରମ ଥିବାବେଳେ ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣ ସିଂହଙ୍କ ବିରୋଧରେ ଲଢ଼ିବେ ବିକେ ହରିପ୍ରସାଦ।

ରାଜ୍ୟସଭାରେ ଏବେ ମୋଟ ୨୪୪ ଜଣ ସଦସ୍ୟ ଥିବାରୁ ଉପାଧ୍ୟକ୍ଷ ପଦବୀ ଜିତିବା ପାଇଁ ୧୨୩ଜଣ ସାଂସଦଙ୍କ ସମର୍ଥନ ଜରୁରୀ।

ଏନ୍‌ଡିଏ ପ୍ରାର୍ଥୀ ହରିବଂଶଙ୍କ ସପକ୍ଷରେ ଏବେ ସୁଦ୍ଧା କେବଳ ଏଆଇଡିଏମ୍‌କେ(୧୩ ସାଂସଦ)ର ସମର୍ଥନ ମିଳିପାରିଛି। ଟିଆରଏସ୍ (୬), ୱାଇଏସ୍ଆର(୨) ଓ   ବିଜେଡି(୯) ନିଜର କାର୍ଡ ଖୋଲି ନଥିବାବେଳେ ସହଯୋଗୀ ଶିବସେନା(୩) ଓ ଶିରୋମଣି ଅକାଳୀ ଦଳ(୩) ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି।

୭୩ ସାଂସଦଙ୍କ ସହ ବିଜେପି ରାଜ୍ୟସଭାରେ ସର୍ବବୃହତ ଦଳ। ଏବେ ଏନ୍‌ଡିଏର ସମର୍ଥକ ଭାବେ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (୧), ଜେଡିୟୁ(୬), ନାଗା ପିପୁଲ୍ସ ଫ୍ରଣ୍ଟ (୧), ଆରପିଆଇ(କ)-୧, ସିକିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (୧) ଓ ୪ ଜଣ ମନୋନୀତ ସାଂସଦଙ୍କ ସମର୍ଥନ ରହିଛି। ତେବେ  ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ଚୟନକୁ ନେଇ ଅକାଳୀ ଦଳ କ୍ଷୁବ୍ଧ ଥିବାରୁ ତା’ର ଭୂମିକା ଏବେ ଅସ୍ପଷ୍ଟ ରହିଛି।

ତଥାପି ବିଜେଡିର ସମର୍ଥନ ପାଇଲେ ଏନ୍‌ଡିଏ ପ୍ରାର୍ଥୀ ହରିବଂଶଙ୍କ ବିଜୟ ସହଜ ହୋଇଯିବ। ଗତକାଲି ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ପରୋକ୍ଷରେ ସୂଚନା ଦେଇଥିଲା।

ବିରୋଧୀ ଦଳଙ୍କ ରଣନୀତିର ମୁକାବିଲା ପାଇଁ କଂଗ୍ରେସ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ ଶେଷ ଦିନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତେବେ ଏନେଇ ଅନ୍ୟ ସହଯୋଗୀ ଦଳଙ୍କ ସହିତ କଂଗ୍ରେସ ଆଲୋଚନା କରିବ ବୋଲି କଂଗ୍ରେସ କହିଛି।

Comment