ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କାଲାଇଗ୍ନାର ମୁଥୁଭେଲ୍କରୁଣାନିଧିଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି

ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ତାଙ୍କ ସମ୍ମାନାର୍ଥେ ଆଜି ଦେଶବ୍ୟାପୀ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏମ୍‌ କରୁଣାନିଧିଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ବୁଧବାର ପ୍ରତ୍ୟୁଷରୁ ରାଜାଜୀ ହଲ୍‌ରେ ଅସୁମାରି ଲୋକ ଧାଡ଼ିବାନ୍ଧି ଛିଡ଼ା ହୋଇଛନ୍ତି।

ବୁଧବାରଦିନ ଦେଶର ସବୁ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ଜାତୀୟ ପତାକା ଅର୍ଦ୍ଧନିମିତ ରହିଛି। ଆଜି କୌଣସି ସରକାରୀ କାର୍ଯ୍ୟକ୍ରମ ନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ଓ ପନ୍ନୀରସେଲ୍‌ବମ୍‌, ଲୋକସଭା ଉପବାଚସ୍ପତି ଏମ୍‌ ତମ୍ବିଦୁରାଇ, ବରିଷ୍ଠ ରାଷ୍ଟ୍ରମନ୍ତ୍ରୀମାନେ, ଏଏମ୍‌ଏମ୍‌କେ ନେତା ଏବଂ ଆର୍‌କେ ନଗର ବିଧାୟକ ଟିଟିଭି ଦିନକରଣ, ସୁପରଷ୍ଟାର୍‌ ରଜନୀକାନ୍ତ ଏବଂ ତାଙ୍କ ପରିବାର, ଓ ଅଭିନେତା ଶିବକାର୍ତ୍ତିକେୟନ୍‌ ମଧ୍ୟ କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଉପସ୍ଥିତ ହୋଇଥିଲେ।

ତାଙ୍କ ସିଆଇଟି ନଗର ବାସଭବନରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ କରୁଣାନିଧିଙ୍କ ଶବକୁ ବିରାଟ ରାଜାଜୀ ହଲ୍‌କୁ ଅଣାଯାଇଥିଲା। ତାଙ୍କ ଶବକୁ ଜାତୀୟ ପତାକାରେ ଆବୃତ କରାଯାଇଛି। ସେଠାରେ ପୁଅ ଷ୍ଟାଲିନ୍‌, ଏମ୍‌କେ ସେଲବମ୍‌ ଏବଂ ଝିଅ କାନିମୋଝିଙ୍କ ସମେତ ତାଙ୍କର ସନ୍ତାନସନ୍ତତି ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ସେଠାରେ ଉପସ୍ଥିତ ଅଛନ୍ତି।

କରୁଣାନିଧିଙ୍କ ସମ୍ମାନାର୍ଥେ ବୁଧବାର ଦିନ ଚେନ୍ନାଇ ଘରୋଇ ବସ୍‌ ଅପରେଟର୍‌ମାନେ ସକାଳୁ ସଞ୍ଜ ଯାଏଁ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବାରୁ ଯାତ୍ରୀମାନେ ସେମାନଙ୍କର ଟିକିଟ୍‌ କ୍ୟାନ୍‌ସଲ୍‌ କରିଛନ୍ତି। ଚେନ୍ନାଇ, ମଦୁରାଇ ଓ କୋଏମ୍ବାଟୁର୍‌ରେ ଦୈନିକ ହାରାହାରି ୧୦, ୦୦୦ ଯାତ୍ରୀ ଘରୋଇ ବସ୍‌ରେ ଯାତାୟାତ କରନ୍ତି।

ସିନେମା ହଲ୍‌ ସବୁ ସୋ’ କ୍ୟାନ୍‌ସଲ୍‌ କରିଥିବାରୁ ଦର୍ଶକମାନଙ୍କୁ ଟିକେଟର ମୂଲ୍ୟ ଫେରସ୍ତ ଦେବାକୁ ସ୍ଥିର କରିଛନ୍ତି। ରାଜ୍ୟର ଅନେକ ସ୍ଥାନରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

ଗତକାଲି ଏମ କରୁଣାନିଧିଙ୍କ ଅନ୍ତିମ ସଂସ୍କାରକୁ ନେଇ ବିବାଦ ଦେଖା ଦେଇଥିଲା। ପରଲୋକ ପରେ କରୁଣାନିଧିଙ୍କୁ କେଉଁଠାରେ ସମାଧି ମାରିନା ବିଚରେ ଦିଆଯିବ ବୋଲି ପରିବାର ଲୋକେ ଚାହୁଁଥିଲେ। ସମାଧି ସ୍ଥଳ ନିର୍ମାଣ ପାଇଁ ସରକାର ମାରିନା ବିଚରେ ଜାଗା ନ ଦେବାରୁ ବିବାଦ ସୃଷ୍ଟି ହୋଇଛି।

ଦଳୀୟ ନେତା ଓ ପରିବାର ସଦସ୍ୟ ତାଙ୍କୁ ମାରିନା ବିଚ୍‍ରେ ସମାଧି ପାଇଁ ଦେବାକୁ ଜାଗା ଦାବି କରିଥିବାବେଳେ ତାମିଲନାଡୁ ସରକାର ଏହାକୁ ପ୍ରଥମେ ଅଗ୍ରାହ୍ୟ କରିଦେଇଥିଲେ। ମାରିନା ବିଚ୍‍ ପରିବର୍ତ୍ତେ ଆନ୍ନା ବିଶ୍ୱବିଦ୍ୟାଳୟ ବିପରୀତ ପାର୍ଶ୍ବରେ ୨ଏକର ଜାଗା ଦେବାକୁ ତାମିଲନାଡୁ ସରକାର ସମ୍ମତି ପ୍ରକାଶ କରିଥିଲେ। ତେବେ ସମାଧି ପାଇଁ ମାରିନା ବିଚ୍‍ରେ ସ୍ଥାନ ଦାବି କରି ଡିଏମ୍‍କେ କ୍ୟାଡର ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ବୁଧବାରଦିନ ମାରିନାରେ ସମାଧି ଦେବାକୁ ମାଡ୍ରସ୍ ହାଇକୋର୍ଟ ଅନୁମତି ଦେଇଛନ୍ତି।

ମାରିନା ବିଚରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜିଆର୍ ଓ ଜୟଲଳିତାଙ୍କୁ ସମାଧି ଦିଆଯାଇଛି। କରୁଣାନିଧିଙ୍କୁ ଏଠାରେ ସମାଧି ଦେବା ପାଇଁ ହାଇକୋର୍ଟ ଅନୁମତି ଦେବା ପରେ ତାଙ୍କ ପୁଅ ଷ୍ଟାଲିନ୍ କାନ୍ଦି ପକାଇଥିଲେ।

ଚେନ୍ନାଇ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ପାଞ୍ଚଥର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା କରୁଣାନିଧି ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।

ଜ୍ୱର ଓ ମୂତ୍ରାଶୟରେ ସଂକ୍ରମଣ ପରେ ରକ୍ତଚାପ କମିଯିବାରୁ ତାଙ୍କୁ ଗୋପାଳପୁରମ୍‌ସ୍ଥିତ ବାସଭବନରୁ କାବେରୀ ହସ୍ପିଟାଲକୁ ଚିକିତ୍ସା ଲାଗି ନିଆଯାଇଥିଲା।

୧୯୨୪ ଜୁନ୍‌ ୩ରେ ତାମିଲନାଡୁର ନାଗପଟ୍ଟିନମ୍‌ ଜିଲାରେ ଜନ୍ମିତ କରୁଣାନିଧି ରାଜନୈତିକ କ୍ୟାରିୟରରେ ବହୁ ଘାତ ପ୍ରତିଘାତ ଦେଇ ଗତି କରିଥିଲେ। ସେ ୭ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ଥିଲେ। ଅସୁସ୍ଥତା ଯୋଗୁ ସେ ୨୦୧୬ ଅକ୍ଟୋବରଠାରୁ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ।

Comment