ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କାଜୋଲ୍ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ସେ ଅଭିନେତା ଅଜୟ ଦେବଗନଙ୍କୁ ବିବାହ କରିଛନ୍ତି କାଜୋଲ୍ ଅଜୟ ଦେବଗନଙ୍କ ପ୍ରେମକାହାଣୀ ଫିଲ୍ମର କାହାଣୀଠୁ କିଛି କମ୍ନୁହେଁ

କାଜୋଲ୍‌ ଅଜୟ ଦେବଗନଙ୍କ ବାହାଘରକୁ ୧୯ ବର୍ଷ ପୁରିଲା। ଅଜୟ ଓ କାଜୋଲ୍‌ ସର୍ବପ୍ରଥମେ ୧୯୯୫ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହଲ୍‌ଚଲ୍‌’ରେ ଏକାଠି କାମ କରିଥିଲେ। ତା’ପରେ ସେ ‘ପ୍ୟାର ତୋ ହେନା ହି ଥା’, ‘ରାଜୁ ଚାଚା’, ‘ୟୁ ମି ଔ ରହମ୍‌’ ଆଦି ହିନ୍ଦୀ ସିନେମାରେ ଏକାଠି ଅଭିନୟ କରିଥିଲେ।

କାଜଲ ଓ ଅଜୟଙ୍କ ପ୍ରେମ ସମ୍ପର୍କ ତ ଆଦୌ ପ୍ରଥମ ଦେଖାରେ ପ୍ରେମ ଭଳି ନୁହେଁ। ‘ହଲଚଲ୍‌’ ଫିଲ୍ମର ସୁଟିଂ ସେଟରେ ଉଭୟଙ୍କର ପ୍ରଥମ ସାକ୍ଷାତ ହୁଏ। ତା’ ପୂର୍ବରୁ ଅଜୟ ଦେବଗନ୍‌ ଓ କାଜୋଲ୍‌ କେହି କାହାରିକୁ ଚିହ୍ନି ନଥିଲେ। ଏପରିକି କେବେ ସେ ଦୁହେଁ କୌଣସି ପାର୍ଟି, ଫଙ୍କସନରେ ଭେଟାଭେଟି ହୋଇନଥିଲେ।

ଅଜୟ ଦେବଗନ୍‌ ଏକ ସାକ୍ଷାତକାରରେ କହିଥିଲେ ଯେ ‘ହଲଚଲ୍‌’ ସିନେମା ସୁଟିଂରେ କାଜୋଲ୍‌ ପହଞ୍ଚିବା ମାତ୍ରେ ଖୁବ୍‌ ଚିଲ୍ଲାଉଥିଲେ। ସେ ସମସ୍ତଙ୍କ ସହ ଥଟ୍ଟାମଜା ହେଉଥିଲେ। ସତ କହିବାକୁ ଗଲେ କାଜୋଲ୍‌ ତାଙ୍କୁ ପ୍ରଥମ ଦିନର ସୁଟିଂ ସମୟରେ ଖୁବ୍‌ ଗର୍ବୀ ମନେ ହୋଇଥିଲେ ବୋଲି ଅଜୟ ଦେବଗନ୍‌ କହିଥିଲେ।

ଅଜୟ ଦେବଗନ ଓ କାଜୋଲ୍‌ଙ୍କର ସ୍ୱଭାବ ଏକଦମ୍‌ ବିପରୀତ ଧର୍ମୀ। ଅଜୟ ଖୁବ୍‌ ଲାଜକୁଳା ଥିଲେ ଓ ସେଟରେ ଚୁପଚାପ୍‌ ରହୁଥିଲେ। ସେ ସଟ୍‌ ଦେବା ବେଳେ କାଜୋଲଙ୍କ ପ୍ରତି ଧ୍ୟାନ ଦେଉ ନ ଥିଲେ କି ‘ହଲ୍‌ଚଲ୍‌’ ସେଟ୍‌ରେ ତାଙ୍କ ସହ ବିଶେଷ କଥାବାର୍ତ୍ତା ମଧ୍ୟ ହେଉନଥିଲେ। ତେବେ ‘ହଲ୍‌ଚଲ୍‌’ର ସୁଟିଂ ସେଟ୍‌ରେ ଉଭୟଙ୍କ ଭିତରେ ଅବଶ୍ୟ କିଛିଦିନ ପରେ ବନ୍ଧୁତା ହୋଇଯାଇଥିଲା।

ସେହି ସମୟରେ ଅଜୟ ବଲିଉଡର ଲୋକପ୍ରିୟ ନାୟିକା କରିସ୍ମା କପୁରଙ୍କୁ ଡେଟ୍‌ କରୁଥିଲେ। ତେଣେ କାଜୋଲ୍‌ ତାଙ୍କର ସାଙ୍ଗ କାର୍ତ୍ତିକ ମେହେତାଙ୍କ ସହିତ ପ୍ରେମସମ୍ପର୍କ ରଖିଥିଲେ।

ଅଜୟ ପ୍ରଥମେ ରବିନା ଟଣ୍ଡନଙ୍କ ସହିତ ଆଫେଆର୍‌ ରଖିଥିଲେ। ହେଲେ ଏ ଦୁହିଁଙ୍କର ସମ୍ପର୍କ ବେଶି ଦିନ ତିଷ୍ଠି ନଥିଲା। ତା’ପରେ ଅଜୟଙ୍କ ଜୀବନ ପରିଧିକୁ ଆସିଥିଲେ କରିସ୍ମା କପୁର। କରିସ୍ମା ଓ ଅଜୟଙ୍କ ଆଫେଆର୍‌ ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା।

ଅଜୟ ଓ କରିସ୍ମା ପ୍ରଥମେ ‘ଜିଗର୍’ ଫିଲ୍ମରେ ଏକାଠି କାମ କରିଥିଲେ। ଏହାପରେ ସେ ଦୁହେଁ ‘ଧନବାନ୍’, ‘ସରଗମ୍‌’ ଓ ‘ସୁହାଗ୍‌’ ଆଦି ଫିଲ୍ମରେ କାମ କରିଥିଲେ। କରିସ୍ମା ଅଜୟ ଦେବଗନଙ୍କୁ ବାହା ହେବାକୁ ଚାହୁଁଥିଲେ।

ହେଲେ କାଜୋଲ ବି କ୍ରମଶଃ ଅଜୟ ଦେବଗନଙ୍କ ପ୍ରତି ଆକର୍ଷିତ ହୋଇଥିଲେ। କାଜୋଲଙ୍କର ବୟଫ୍ରେଣ୍ଡ କାର୍ତ୍ତିକଙ୍କ ସହିତ ସମ୍ପର୍କ ତିକ୍ତ ହୋଇଉଠିଥିଲା। ଏଣୁ ସେ ନୂଆ ଲଭ୍‍ ସନ୍ଧାନରେ ଥିଲେ। ଅଜୟ ଦେବଗନଙ୍କର ଚୁପ୍‌ଚାପ୍‌ ଓ ଶାନ୍ତ ସ୍ୱଭାବ ହିଁ ତାଙ୍କୁ ଆକର୍ଷିତ କରିଥିଲା ବୋଲି କାଜୋଲ୍‌ କହିଥିଲେ।

ଅଜୟ ଓ କାଜୋଲଙ୍କ ପ୍ରେମସମ୍ପର୍କ ଆରମ୍ଭ ହେବାର କିଛିମାସ ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାର ନିଷ୍ପତ୍ତି ନେଇଥିଲେ। ଶେଷରେ ୧୯୯୯ ମସିହାରେ ଅଜୟ-କାଜୋଲ ବାହା ହୋ‍ଇଥିଲେ। ତା’ ଆଗରୁ କରିସ୍ମାଙ୍କଠାରୁ ଦୂରେଇ ଯାଇଥିଲେ ଅଜୟ ଦେବଗନ୍‌। ଏବେ ଅଜୟ-କାଜୋଲଙ୍କୁ ବଲିଉଡର ଆଦର୍ଶ ଦମ୍ପତ୍ତି ବୋଲି କୁହାଯାଏ।

Comment