ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରଚନା ଝିଲିକଙ୍କ ପରେ ଏବେ ପୁଣି ଜଣେ ବଙ୍ଗୀୟ ନାୟିକା ବେଶ୍ ସକ୍ରିୟ ଅଛନ୍ତି ଓଲିଉଡରେ ଆସନ୍ତୁ ଜାଣିବା ଏହି ଗ୍ଲାମରସ୍ ଓଲିଉଡ୍ ନାୟିକା ଏଲସାଙ୍କ ସମ୍ପର୍କରେ କିଛି ଜଣାଅଜଣା କଥା

ବାପାଙ୍କ ଇଛାକୁ ପୂରଣ କରିବା ପାଇଁ ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦଦେଇଥିଲେ ନବାଗତା ନାୟିକା ଏଲସା ଘୋଷ। ‘ଦୀପୁ ଦ ଡ୍ୟାନସ ବୟ’ ସିନେମାରେ ପ୍ରଥମ ଥର ପାଇଁ ନଜର ଆସିଥିଲେ ଏଲସା।

ବାବୁସାନଙ୍କ ସହ ସମାନ ଜନ୍ମ ତାରିଖ

ଏଲସାଙ୍କର ଜନ୍ମ ତାରିଖ ହେଲା ଜୁଲାଇ ୩୦। ସଂଯୋଗବଶତଃ ସେହି ସମାନ ତାରିଖ ହେଉଛି ଓଲିଉଡର ସୁପରଷ୍ଟାର ବାବୁସାନଙ୍କ ଜନ୍ମଦିବସ।

ଶିଶୁ କଳାକାରରୁ ଅଭିନୟ ଜୀବନର ଆରମ୍ଭ

ଏଲସାଙ୍କର ପିଲାଦିନରୁ ଅଭିନୟ ପ୍ରତି ରୁଚି ଥିଲା। ଏଣୁ ସେ ବଙ୍ଗଳା ଚଳଚ୍ଚିତ୍ରରେ ହିଁ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ। ଓଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ରବି କିନ୍ନାଗୀଙ୍କ ସୁପରହିଟ୍ ବଙ୍ଗଳା ଛବି ‘ହଣ୍ଡ୍ରେଡ୍ ପରସେଣ୍ଟ ଲଭ୍’ ସମେତ ବେଶ୍ କେତୋଟି ବଙ୍ଗଳା ସିନେମାରେ ଶିଶୁ କଳାକାର ଭାବେ କାମ କରିଛନ୍ତି।

ମୀନକେତନଙ୍କ ଜରିଆରେ ଓଲିଉଡରେ ଡେବ୍ୟୁ

ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁଗୁଣ ପ୍ରତିଭାସମ୍ପନ୍ନ ଦିବଂଗତ ଅଭିନେତା ମୀନକେତନଙ୍କ ମାଧ୍ୟମରେ ଏଲସାଙ୍କୁ ଓଲିଉଡରେ ହିରୋଇନ୍ ଭାବେ ପ୍ରଥମେ ସୁଯୋଗ ମିଳିଥିଲା।

ଏଲସା କହନ୍ତି ଯେ ଥରେ ସେ ଭୁବନେଶ୍ୱରରେ ମୀନକେତନଙ୍କୁ ଆସି ଦେଖା କରି ନିଜର ଇଚ୍ଛା ଜଣାଇଥିଲେ। ତା’ପରେ ମୀନକେତନ ନିର୍ଦ୍ଦେଶକ ଅରୁଣ ଦାସଙ୍କୁ ଏଲସାଙ୍କ ସମ୍ପର୍କରେ କହିଥିଲେ। ଏହିପରି ଭାବେ ଏଲସାଙ୍କୁ ଓଲିଉଡରେ ବ୍ରେକ୍ ମିଳିଥିଲା ମନୋଜ ରାଉତଙ୍କ ପ୍ରଯୋଜିତ ତଥା ଅରୁଣ ଦାସଙ୍କ ନିର୍ଦ୍ଦେଶିତ ‘ଦୀପୁ ଦ ଡ୍ୟାନସ ବୟ’ ସିନେମାରେ।

ଏଲସାଙ୍କର ପ୍ରିୟ ବଲିଉଡ୍ ନାୟିକା ହେଲେ ଦୀପିକା ପାଦୁକୋନ୍। ଓଲିଉଡର ନାମୀ ନାୟିକା ରଚନା ବାନାର୍ଜୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିଜର ମନପସନ୍ଦ ନାୟିକା ବୋଲି ମଧ୍ୟ କହନ୍ତି ଏଲସା।

ଏଲସା ଖାଇବା ପିଇବା ମାମଲାରେ ଏକଦମ୍ ବିନ୍ଦାସ। ସେ ଖାଇବାକୁ ଆଦୌ ନିୟନ୍ତ୍ରଣ କରିପାରନ୍ତି ନାହିଁ। ନିଜକୁ ଜଣେ ଭାରି ଫୁଡି ବୋଲି ଜଣାଇବାରେ ସଙ୍କୋଚ ନାହିଁ ତାଙ୍କର। ଜଙ୍କ୍ ଫୁଡ୍ ଖାଇବାକୁ ବେଶି ପସନ୍ଦ କରନ୍ତି ଏଲସା।

ପ୍ଲସ ଟୁ ସେକେଣ୍ଡ ଇଅରର ଛାତ୍ରୀ ଏଲସା ଅବସର ସମୟରେ ବିଭିନ୍ନ ପ୍ରକାରର ବହି ପଢ଼ିବାକୁ ପସନ୍ଦ କରନ୍ତି।

ଏଲସା ଇତିମଧ୍ୟରେ ତିନିଟି ଓଡ଼ିଆ ଚଳଚ୍ଚିତ୍ର ଓ ଗୋଟିଏ ତେଲୁଗୁ ଓଡ଼ିଆ ଦ୍ୱିଭାଷୀ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିସାରିଲେଣି।

ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଦୀପୁ ଦ ଡ୍ୟାନ୍ସ ବୟ’ରେ ନାୟକ ଥିଲେ ମନୋଜ ରାଉତ। ଏଥିରେ ଏଲସାଙ୍କ ଅଭିନୀତ ଚରିତ୍ରର ନାଁ ଥିଲା ‘ସୌମ୍ୟା’। ତା’ ପରେ ଏଲସାଙ୍କୁ ପପୁ ପମପମଙ୍କ ବିପକ୍ଷରେ ‘ଭୈରବ’ ସିନେମାରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଅଭିନୀତ ଚରିତ୍ର ଥିଲା ‘ସୁରଭି’।

ତାଙ୍କର ଅଭିନୀତ ଏକ ତେଲୁଗୁ-ଓଡ଼ିଆ ଦ୍ୱିଭାଷୀ ସିନେମା ‘କ୍ରିଷ୍ଣା ସାହୁ ସୁପର ମାର୍କେଟ’ ବି ରିଲିଜ୍ ଅପେକ୍ଷାରେ ରହିଛି। ଏହାଛଡା ଏଲସା ‘ପ୍ରେମକଥା’ ଟାଇଟଲରେ ନିର୍ମିତ ଏକ ବଙ୍ଗଳା ସିନେମାରେ ମଧ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି।

ତୁ ମୋ ସୁନା ଚଢ଼େଇରେ ଇଚ୍ଛାଧାରୀ ନାଗୁଣୀ ଭୂମିକା

ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ତୁ ମୋ ସୁନା ଚଢ଼େଇ’ ସିନେମାରେ ଏକ ଇଚ୍ଛାଧାରୀ ନାଗୁଣୀ ଭୂମିକାରେ ଅଭିନୟ କରିଛନ୍ତି ଏଲସା। ଏହା ଦୁଇଜନ୍ମର କାହାଣୀ। “ଏହି ଫିଲ୍ମ ପାଇଁ ମୁଁ ବହୁତ ପରିଶ୍ରମ କରିଛି। ମୁଁ ନିଜେ ସବୁତକ ଷ୍ଟଣ୍ଟ ସିନ୍ ଦେଇଛି”, କହିଛନ୍ତି ଏଲସା।

ସେ ଏହି ସିନେମାରେ ଫିମେଲ ଲିଡରେ ଆସୁଛନ୍ତି। ଏଥିରେ ତାଙ୍କୁ ଦର୍ଶକ ‘ଶିବାନୀ’ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ଅଛନ୍ତି ଜ୍ୟୋତି।

Comment