ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରେ ବସି ଅନଲାଇନ୍‌ରେ ଏଫଆଇଆର୍ (ଇ- ଏଫଆଇଆର୍) ଦାଏର୍ କରିପାରିବେ କି ନାହିଁ ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଇନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି।

ଅନଲାଇନରେ ଏଫଆଇଆର ଦାଏର କରିହେବ କି ନାହିଁ ଏନେଇ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରାଳୟ ଆଇନ ଆୟୋଗ ବା ଲ’ କମିଶନକୁ ମତାମତ ମାଗିଛନ୍ତି।

ନଭେମ୍ବର ୨୦୧୩ରେ ସୁପ୍ରିମ୍‌ କୋର୍ଟ ଦେଇଥିବା ଆଦେଶ ମୁତାବକ ଯଦି କୌଣସି ଧର୍ତ୍ତବ୍ୟ ଅପରାଧ ହୋଇଥିବ ତା’ହେଲେ ସିଆରପିସିର ଧାରା ୧୫୪ ଅଧୀନରେ ଏଭଳି ଏଫ୍‌ଆଇଆର୍‌ ଦାଖଲ କରିହେବ।

ଅନଲାଇନ ଏଫଆଇଆରକୁ ଅନୁମତି ଦେଲେ ସିଆରପିସିରେ ସଂଶୋଧନ କରିବା ଆବଶ୍ୟକ ପଡ଼ିବ। ଏ ସମ୍ପର୍କରେ ବିଚାର କଲା ବେଳେ ଲ’ କମିଶନଙ୍କୁ ମିଳିଥିବା କେତେକ ମତାମତରେ କୁହାଯାଇଛି ଯେ ଅନଲାଇନ ଏଫଆଇଆରକୁ ଅନୁମତି ଦେଲେ ଏହାର ଅପ ବ୍ୟବହାର ହେବାର ଆଶଙ୍କା ରହିଛି। କେତେକ ଅନ୍ୟକୁ ବଦନାମ କରିବାକୁ ଏହାକୁ ବ୍ୟବହାର କରିପାରନ୍ତି।

ଅନ୍ୟପକ୍ଷରେ ପୋଲିସ ଷ୍ଟେସନକୁ ଯାଇ ଏଫଆଇଆର ଦାଏର କରିବା ଅନେକ କ୍ଷେତ୍ରରେ କଷ୍ଟକର ହୋଇଥାଏ। ତେବେ ଏହାର ସକାରାତ୍ମକ ଦିଗଟି ହେଉଛି ପୋଲିସ ସାମନାରେ ଏଫଆଇଆର ଦେଲେ ଅନେକ ମିଛ କହିପାରନ୍ତି ନାହିଁ। କିନ୍ତୁ ଅନଲାଇନରେ ଏହା ରହିବ ନାହିଁ। ଏହିପରି ବିଭିନ୍ନ ଦିଗ ଉପରେ ଲ କମିଶନ ବିଚାର କରୁଛି ଓ ଖୁବ ଶୀଘ୍ର ସରକାରଙ୍କୁ ମତାମତ ଦେବ।

ପୋଲିସ ଥାନାକୁ ଯାଇ ବିଧିବଦ୍ଧ ଏଫ୍‌ଆଇଆର୍‌ ଦେଲେ ମିଛ ଏଫ୍ଆଇଆର୍‌ ସଂଖ୍ୟା କମିବ ବୋଲି ଆଇନ କମିଶନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ମୁତାବକ ୨୦୧୬ରେ ମୋଟ ୪୮,୩୧,୫୧୫ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। ସେଥିରୁ ଆଇପିସି ଅଧୀନରେ ୨୯,୭୫,୭୧୧ଟି ଏଫ୍‌‌ଆଇଆର୍‌ ରୁଜୁ ହୋଇଥିଲା। ତେବେ ଏ ବାବଦରେ ସବିଶେଷ ଅନୁଧ୍ୟାନ କରି ଅନଲାଇନ୍‌ ଏଫ୍‌‌ଆଇଆର୍‌ ଗ୍ରହଣ ସମ୍ଭବ କି ନୁହେଁ ତାହା ସ୍ପଷ୍ଟ କରାଯାଉ ବୋଲି ସରକାର ଆଇନ କମିଶନଙ୍କୁ କହିଛନ୍ତି।

Comment