ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏମିତି କେତେକ ଯାତ୍ରା ନାଟକ ଅଛି, ଯାହାକୁ ଦର୍ଶକ କ୍ରମାଗତ ଭାବେ ରାତି ପରେ ରାତି ଦେଖିଥାନ୍ତି ସେମିତି ଏକ ନାଟକ ହେଲା ହିମାଂଶୁ ସାମଲଙ୍କ ସିନ୍ଦୂର ବିକୁଛି ସୁନ୍ଦରୀ ଝିଅ ଆସନ୍ତୁ ଜାଣିବା ଏହି ନାଟକ କାହିଁକି ଲୋକପ୍ରିୟ

କଳିଙ୍ଗ ଗଣନାଟ୍ୟର ଏକ ସୁପରହିଟ୍‌ ନାଟକ ହେଲା ‘ସିନ୍ଦୂର ବିକୁଛି ସୁନ୍ଦରୀ ଝିଅ’। ଏହାର ନାଟ୍ୟକାର ହେଲେ ଯଲିଉଡର ଲୋକପ୍ରିୟ ନାଟ୍ୟକାର ଚିନ୍ମୟ ଦାସ ଓ ନିର୍ଦ୍ଦେଶନା ଦେଇଥିଲେ ଜଣାଶୁଣା ବ୍ୟକ୍ତି ହିମାଂଶୁ ସାମଲ।

ଏହି ସୁପରହିଟ୍‌ ନାଟକ ୨୦୧୦ ମସିହାରେ ଖଣ୍ଡଗିରି ମେଳାରେ ଲଗାତର ଛଅ ରାତି ମଞ୍ଚସ୍ଥ ହୋଇ ଏକ ରେକର୍ଡ ସୃଷ୍ଟି କରିଥିଲା। ‘ସିନ୍ଦୂର ବିକୁଛି ସୁନ୍ଦରୀ ଝିଅ’ର ଏହା ହେଉଛି ବିରଳ ସଫଳତା।

‘ସିନ୍ଦୂର ବିକୁଛି ସୁନ୍ଦରୀ ଝିଅ’ର ସଂକ୍ଷିପ୍ତ କଥାବସ୍ତୁ ଏପରି। ପଟ୍ଟନାୟକ ଆଣ୍ଡ୍ ପଟ୍ଟନାୟକ କମ୍ପାନିର ଏକମାତ୍ର ଦାୟାଦ ହେଲେ ଶ୍ରୁତି ପଟ୍ଟନାୟକ। କହିବାକୁ ଗଲେ ଶ୍ରୁତି ହେଉଛି କମ୍ପାନିର ଭାବି ମାଲିକାଣୀ। ସେ ସୁନ୍ଦରୀ ହେଲେ ମଧ୍ୟ ଅତି ଅହଙ୍କାରୀ ଓ ପ୍ରବଳ ଜିଦଖୋର ସ୍ୱଭାବର। ଏହି କାରଣରୁ ଶ୍ରୁତିକୁ କେହି ପସନ୍ଦ କରନ୍ତି ନାହିଁ।

ଥରେ ଶ୍ରୁତି ନିଜ କମ୍ପାନିର ଜଣେ ସୌମ୍ୟ ଯୁବକ ସିଦ୍ଧାନ୍ତକୁ ଦେଖେ। ସେ ପ୍ରଥମ ଦେଖାରେ ତା’ ଉପରେ ଫିଦା ହୋଇଯାଏ ଏବଂ ତାକୁ ବାହା ହେବାର ନିଷ୍ପତ୍ତି ନିଏ। ସିଦ୍ଧାନ୍ତ ଜଣେ ମାମୁଲି କର୍ମଚାରୀ, ଆଉ ଶ୍ରୁତି କମ୍ପାନି ମାଲିକଙ୍କର ଏକମାତ୍ର ଝିଅ। ଏହା ଏକ ସାମାଜିକ ଭେଦଭାବ। ଏଥିପ୍ରତି ଭ୍ରୁକ୍ଷେପ କରେନା ଶ୍ରୁତି। ସେ ଏହି ଭେଦଭାବ ଦୂର କରିବା ପାଇଁ ସିଦ୍ଧାନ୍ତକୁ ପଟ୍ଟନାୟକ ଆଣ୍ଡ୍ ପଟ୍ଟନାୟକ କମ୍ପାନିର ମ୍ୟାନେଜିଂ ଡିରେକ୍ଟର ଭାବେ ଅବସ୍ଥାପିତ କରାଏ।

ସିଦ୍ଧାନ୍ତ ବୁଝି ପାରେନା ଶ୍ରୁତି କାହିଁକି ଏଭଳି କରୁଛି। ଦିନେ ଶ୍ରୁତି ସିଦ୍ଧାନ୍ତକୁ ପ୍ରେମ ନିବେଦନ କରି ନିଜର ଅସଲ ଉଦ୍ଦେଶ୍ୟକୁ ପଦାକୁ ଆଣେ। ତେବେ ଶ୍ରୁତିର ପ୍ରେମକୁ ପ୍ରତ୍ୟାଖ୍ୟାନ କରିଦିଏ ସିଦ୍ଧାନ୍ତ କାରଣ ସେ ଭଲ ପାଏ ଏକ ଗରିବ ଝିଅ ଶ୍ରାବଣୀକୁ।

ଶ୍ରୁତି କିନ୍ତୁ ହାରିବାର ଝିଅ ନୁହେଁ। ସେ କଳେବଳେ କୌଶଳେ ସିଦ୍ଧାନ୍ତ ହାତରେ ସିନ୍ଦୂର ପିନ୍ଧିବାକୁ ଚାହେଁ। ସେ ଜାଣିବାକୁ ଚେଷ୍ଟା କଲା କାହିଁକି ସିଦ୍ଧାନ୍ତ ତା’ର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଲା। ପ୍ରକୃତ ସତ୍ୟ ତା’ ସାମ୍ନାକୁ ଆସିଲା, ଯେତେବେଳେ ଜାଣିବାକୁ ପାଇଲା ଯେ ସିଦ୍ଧାନ୍ତ ଶ୍ରାବଣୀ ପଛରେ ପଡ଼ିଛି। ଶ୍ରାବଣୀ ପାଇଁ ସିଦ୍ଧାନ୍ତ ପାଗଳ।

ଏହା ପରେ ଭୟଙ୍କର ରୂପ ନେଲା ଶ୍ରୁତିର କ୍ରୋଧ। ସେ ଶ୍ରାବଣୀର ପରିବାରକୁ ତଳିତଳାନ୍ତ କରିଦେଲା। ଖାଲି ସେତିକି ନୁହେଁ, ଶ୍ରୁତି ଶ୍ରାବଣୀକୁ କୁଳଟା ସଜାଇ ବେଶ୍ୟାପଡ଼ାରେ ପହଞ୍ଚାଇ ଦେଲା। ଏହାପରେ ବି ସିଦ୍ଧାନ୍ତ ଶ୍ରାବଣୀକୁ ଭଲ ପାଇଚାଲିଲା, କାରଣ ତା’ର ଶ୍ରାବଣୀ ଉପରେ ଥିଲା ଅଗାଧ ବିଶ୍ୱାସ।

ସିଦ୍ଧାନ୍ତ ବେଶ୍ୟାପଡ଼ାରୁ ଶ୍ରାବଣୀକୁ ଆଣି ମଥାରେ ସିନ୍ଦୂର ପିନ୍ଧାଇ ନିଜ ସ୍ତ୍ରୀର ମର୍ଯ୍ୟାଦା ଦେଲା। ଶ୍ରାବଣୀକୁ ସିଦ୍ଧାନ୍ତର ବାପା ଓ ସାବତ ମା’ କୁଳବଧୂ ରୂପେ ଗ୍ରହଣ କଲେ। ହେଲେ ସାବତ ଭାଇ ସଞ୍ଜୟ ଏହାର ତୀବ୍ର ବିରୋଧ କରି ଘରଛାଡ଼ି ଚାଲିଗଲା।

ସିଦ୍ଧାନ୍ତ ଶ୍ରାବଣୀକୁ ବିବାହ କରିବା ପରେ ଶ୍ରୁତିର ରାଗ ଆହୁରି ବଢ଼ିଗଲା। ସେ ନିଜର ଏକ ତରଫା ପ୍ରେମକୁ ସଫଳ କରିବା ଲାଗି ଖଳନାୟକର ସହାୟତାରେ ସିଦ୍ଧାନ୍ତକୁ ଚକ୍ରାନ୍ତ କରି ଜେଲ୍ ପଠାଇ ଦେଲା। ତା’ ପରେ ଶ୍ରାବଣୀ ରାଜରାସ୍ତାକୁ ଚାଲି ଆସିଲା। ଉପାୟଶୂନ୍ୟ ହୋଇ ଫେରିବାଲା ବନିଲା ଶ୍ରାବଣୀ।

ସିଦ୍ଧାନ୍ତ ଜେଲରୁ ମୁକୁଳିବା ପରେ ଶ୍ରାବଣୀ ସହ ତାକୁ ବନ୍ଦୀ କରି ରଖିଲା ଶ୍ରୁତି। ଏହାପରେ ଶ୍ରୁତି ଶ୍ରାବଣୀକୁ ନିଜ ମଥାର ସିନ୍ଦୂର ବିକିବାକୁ ବାଧ୍ୟ କରିଲା। ଶ୍ରାବଣୀ ଏଥିରେ ରାଜି ହେଲା କି ନାହିଁ, ତାହା ଦେଖିବାକୁ ମିଳିଛି ନାଟକ ’ସିନ୍ଦୂର ବିକୁଛି ସୁନ୍ଦରୀ ଝିଅ’ର କ୍ଲାଇମାକ୍ସରେ।

 

Comment