କପିଳାସ ଭୂୟାଁ

ରାଜଧାନୀ ଭୁବନେଶ୍ଵରରେ ଯେଉଁ ୨୦୦ଟି ସ୍ମାର୍ଟ ବସ ଷ୍ଟପ ତିଆରି ହେବ ସେଥିପାଇଁ ଏବେ ଜାଗା ଚିହ୍ନଟ କରାଯାଉଛି। ୧୦୦ଟି ଜାଗା ଚିହ୍ନଟ ସରିଲାଣି। ସେଥି ମଧ୍ୟରୁ ୫୦ଟି ସ୍ଥାନରେ ପୂର୍ବରୁ ନିର୍ମିତ ବସ୍ ଷ୍ଟପ୍ ଥିଲା।

ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ ବା ବିଏସସିଏଲ ପକ୍ଷରୁ ସେପ୍ଟେମ୍ବର ୧୧ ତାରିଖ ଦିନ ଯେଉଁ ୩୩ତମ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା, ସେଥିରେ ସ୍ମାର୍ଟ ବସ୍ ଷ୍ଟପ୍‌ଗୁଡ଼ିକୁ ନଭେମ୍ବର ମାସରେ ହେବାକୁ ଥିବା ହକି ବିଶ୍ଵ କପ୍ ପୂର୍ବରୁ ଶେଷ କରିବା ପାଇଁ ନିଷ୍ପତ୍ତି ନିଆଗଲା। ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ ତଥା ଅତିରିକ୍ତ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ପୋଲିସ କମିଶନର, ବିଏସସିଏଲର ଏମ୍‌ଡି ଓ ସିଇଓ, ଇତ୍ୟାଦି ସ୍ମାର୍ଟ ସିଟି ଭାଗ୍ୟ ନିୟନ୍ତାମାନଙ୍କ ଉପସ୍ଥିତିରେ ସ୍ମାର୍ଟ ବସ୍ ଷ୍ଟପ୍‌ଗୁଡ଼ିକର ସମୁଦାୟ ଖର୍ଚ୍ଚ ଅଟକଳ ବାବଦରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଗଲା। ସ୍ମାର୍ଟ ବସ୍ ଷ୍ଟପ୍‌ଗୁଡ଼ିକୁ ନିର୍ମାଣ କରିବା ପାଇଁ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ସମୁଦାୟ ତିନିଟି ସଂସ୍ଥା ମଧ୍ୟରୁ ଯୋଗ୍ୟ ବିବେଚିତ ଜେଏସ୍‌ଏଲ୍ ଲାଇଫ ଷ୍ଟାଇଲ ଲିମିଟେଡର କାର୍ଯ୍ୟ ଅଗ୍ରଗତିର ତର୍ଜମା କରାଗଲା।

ଏଥି ମଧ୍ୟରେ ୫୦ଟି ସ୍ଥାନରେ ପୂର୍ବରୁ ଥିବା ବସ୍ ଷ୍ଟପ୍ ଭଙ୍ଗାଯାଇ ସାରିଛି। ସେ ମଧ୍ୟରୁ ୨୦ଟି ସ୍ଥାନରେ କଂକ୍ରିଟ କାମ ଆରମ୍ଭ ହୋଇଗଲାଣି। ତେବେ ମନକୁ ସହସା ଯେଉଁ ପ୍ରଶ୍ନଟି ଆସୁଛି ତା’ ହେଲା ଯେ ପୂର୍ବରୁ ଥିବା ବସ୍ ଷ୍ଟପ୍‌ଗୁଡ଼ିକୁ ଭାଙ୍ଗି ଦିଆଗଲା କାହିଁକି?

ସହସା ଉତ୍ତର ମଧ୍ୟ ମିଳିବ ଯେ ସେଗୁଡ଼ିକୁ ସ୍ମାର୍ଟ ରୂପ ଦିଆଯିବ। ହକି ବିଶ୍ଵ କପ୍ ହେଲା ବେଳକୁ ସେଗୁଡ଼ିକ ସ୍ମାର୍ଟ ଦେଖାଯିବା ଦରକାର। ତାହା ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ ମଧ୍ୟ।

ଏହି ପରିପ୍ରେକ୍ଷୀରେ ଟିକେ ପଛକୁ ଫେରି ଚାହିଁଲେ ଦେଖିବା ଯେ ଏବେ ଯେଉଁ ବସ୍ ଷ୍ଟପ୍‌ଗୁଡ଼ିକୁ ଭାଙ୍ଗି ଦିଆଗଲା ସେଗୁଡ଼ିକ ମାତ୍ର ପାଞ୍ଚ ସାତ ବର୍ଷ ତଳେ ତିଆରି କରାଯାଇଥିଲା। ପବ୍ଲିକ-ପ୍ରାଇଭେଟ ସହଭାଗିତାରେ ଡ୍ରିମ ଟିମ ସାହାରା ଦ୍ଵାରା ୨୦୧୦ ମସିହା ଅକ୍ଟୋବର ମାସରେ ଭୁବନେଶ୍ଵର ସହରାଞ୍ଚଳ ବସ୍ ସେବା ଆରମ୍ଭ ହୋଇଥିଲା। ଜବାହାରଲାଲ ନେହେରୁ ନାସନାଲ ଅରବାନ ରିନୱାଲ ମିସନ ଅନ୍ତର୍ଗତ ସହରାଞ୍ଚଳ ମଧ୍ୟରେ ଯାତାୟାତ ପାଇଁ ଏହି ବସ୍ ସେବା ଭୁବନେଶ୍ଵର-ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ ଓ ଡ୍ରିମ ଟିମ ସାହାରା ଦ୍ଵାରା ଆରମ୍ଭ ହୋଇଥିଲା। ଭୁବନେଶ୍ଵର, କଟକ, ପୁରୀ ଓ ଖୋର୍ଦ୍ଧା ସହରରେ ସମୁଦାୟ ୧୭ଟି ରୁଟରେ ୧୨୫ଟି ବସ ଚଳାଚଳ କରିବା ଆରମ୍ଭ ହୋଇଥିଲା।

ଲୋକମାନେ ଚଢ଼ିବା ଓ ଓହ୍ଲାଇବା ପାଇଁ ସେତେବେଳେ ବସଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବା ନିମନ୍ତେ ପିଚୁ ଢଳେଇ ବସ-ବେ ତିଆରି କରିବା ସହ ଛାତଯୁକ୍ତ ବସ୍ ଷ୍ଟପ ସବୁ ନିର୍ମାଣ ହୋଇଥିଲା। ବସ୍ ଷ୍ଟପ୍‌ଗୁଡ଼ିକରେ ବଡ଼ ବଡ଼ କମ୍ପାନିର ସୁଶୋଭିତ ବିଜ୍ଞାପନ ସ୍ଥାନ ପାଇଥିଲା। ଲୋକମାନେ ବସିବା ପାଇଁ ଚଉକି ବ୍ୟବସ୍ଥା ମଧ୍ୟ ରହିଥିଲା। କିନ୍ତୁ କାଳକ୍ରମେ ଦେଖାଗଲା ଯେ ବସ୍ ଧରିବା ପାଇଁ ସେହିସବୁ ବସ୍ ଷ୍ଟପଗୁଡ଼ିକରେ ନା ଲୋକେ ଅପେକ୍ଷା କରୁଛନ୍ତି, ନା ଟାଉନ ବସ୍ ରହୁଛି! ଅର୍ଥାତ, ସହରାଞ୍ଚଳ ବସ୍ ସେବା କ୍ଷେତ୍ରରେ ଏହି ସବୁ ବସ୍ ଷ୍ଟପଗୁଡ଼ିକର କୌଣସି ମହତ୍ତ୍ଵ ରହିଲା ନାହିଁ। ବରଂ, ସେଠାରେ ଭିକାରୀମାନେ ସେମାନଙ୍କ ସଂସାର ବସାଇଲେ, ନଚେତ ନିଶାଖୋରମାନେ ସେଠି ରାତି ଅନ୍ଧାରରେ ମଉଜ କଲେ।

ଅବଶ୍ୟ ଯୋଜନା ପ୍ରଣୟନକାରୀମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ସମସ୍ତେ ଜାଣି ନଜାଣିଲା ପରି ରହିଲେ। ତେବେ ରାଜକୋଷରୁ ଯେଉଁ ଅର୍ଥ ଖର୍ଚ୍ଚ ହେଲା, ତାହାର କେହି ଉତ୍ତରଦାୟୀ ରହିଲେ ନାହିଁ!

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ) 

Comment