ଓଡ଼ିଶାଲାଇଭ୍‌ ବ୍ୟୁରୋ

ବନ୍ୟା ପ୍ରଭାବିତ ଗାଁକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ସହ ବିଭିନ୍ନ ରୋଗରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି ସଚେତନତା ବାର୍ତ୍ତା।

ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ଦେଖାଦେଇଥିଲା ବନ୍ୟା। ବନ୍ୟା ପାଣି ବିଭିନ୍ନ ଗାଁରେ ପଶିଯିବା ସହ ଚାଷଜମିକୁ ଜଳମଗ୍ନ କରିଥିଲା। ଏବେ ବନ୍ୟାଞ୍ଚଳରେ ସ୍ଥିତି ସୁଧାରିବା ପାଇଁ ସରକାର ଏବଂ ପ୍ରଶାସନିକ ଅଧିକାରୀମାନେ ଲାଗି ପଡ଼ିଛନ୍ତି। ଏପଟେ ବନ୍ୟା ପୀଡ଼ିତଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ବାର୍ତ୍ତା ଜାରି କରାଯାଇଛି। ବନ୍ୟା ପରେ ଲୋକମାନେ ସୁସ୍ଥ ରହିବା ପାଇଁ କ’ଣ କରିବେ ଏବଂ କ’ଣ ନକରିବେ ସେନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଚେତନ କରାଯାଇଛି।

ପାଣିକୁ ଫୁଟାଇ ପିଅନ୍ତୁ

ବନ୍ୟା ପାଣି ବିଭିନ୍ନ ଗାଁରେ ପ୍ରବେଶ କରିଥିବାରୁ ନଳକୂପ ଏବଂ କୂଅ ପ୍ରଭାବିତ ହୋଇଥିଲା। ବନ୍ୟା ପାଣିରେ ଏହି ଜଳ ଉତ୍ସଗୁଡ଼ିକ ବୁଡ଼ି ରହିଥିଲା। ଏଣୁ କୂଅ ଏବଂ ନଳକୂପର ପାଣିକୁ ସିଧାସଳଖ ନପିଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ପାଣିକୁ ଫୁଟାଇ କିମ୍ବା ସେଥିରେ ହାଲୋଜେନ ବଟିକା ପକାଇ ପିଇବାକୁ ପରାମର୍ଶ ଦିଆଯାଇଛି।

ଖାଦ୍ୟରେ ମାଛି ବସିବାକୁ ଦିଅନ୍ତୁ ନାହିଁ

ବନ୍ୟା ପାଣି ଗାଁରୁ ଛାଡ଼ି ଯାଇଥିଲେ ମଧ୍ୟ ପରିବେଶ ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇନି। ଦୂଷିତ ବନ୍ୟା ଜଳ ପ୍ରବେଶ କରିଥିବାରୁ ଗ୍ରାମାଞ୍ଚଳରେ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି। ଏଣୁ ଖାଇବା ପୂର୍ବରୁ ଏବଂ ଶୌଚ ହେବା ପରେ ସାବୁନରେ ଭଲଭାବେ ହାତ ଧୋଇବାକୁ ସଚେତନ କରିଛି ସ୍ୱାସ୍ଥ୍ୟ ବିଭାଗ। ଏହାସହ ରନ୍ଧା ଖାଦ୍ୟକୁ ଘୋଡ଼ାଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି।

ମଶାରୀ ଟାଙ୍ଗି ଶୁଅନ୍ତୁ

ବନ୍ୟା ପରେ ମଶା ଓ ମାଛି ବଂଶ ବୃଦ୍ଧି ପାଇବାର ଅନେକ ସମ୍ଭାବନା ରହିଛି। ମଶା ଓ ମାଛିଙ୍କ ଯୋଗୁଁ ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ। ଏଣୁ ମଶା ଓ ମାଛିଙ୍କଠାରୁ ଦୂରରେ ରହିବା ପାଇଁ ମଶାରୀ ଟାଣି ଶୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ତରଳ ଝାଡ଼ା ହେଲେ ଓଆର୍‌ଏସ୍ ପିଇବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସାପ କାମୁଡ଼ିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

ବନ୍ୟା ପାଣିରେ ଅନେକ ବିଷ ଧର ସାପ ଭାସି ଆସିଥାନ୍ତି। ସାପ କାମୁଡ଼ାରୁ ଦୂରେଇ ରହିବା ପାଇଁ ଘର ଆଖପାଖ ସ୍ୱଚ୍ଛ ରଖିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଯଦି କାହାକୁ ସାପ କାମୁଡ଼େ ତାହାଲେ ଡେରି ନକରି ତରନ୍ତୁ ନିକଟସ୍ଥ ଡାକ୍ତରଖାନାକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଗାଁର କୂଅ, ନଳକୂଅ ଏବଂ ପରିବେଶକୁ ସଫାସୁତୁରା ରଖିବା ପାଇଁ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଆଗେଇ ଆସିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଗାଁରେ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ତାହାଲେ ତୁରନ୍ତ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀମାନଙ୍କର ସହାୟତା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment