ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାରଠୁ ଆରମ୍ଭ ହେବ ମେକ୍‌ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ – ୨୦୧୮। ପାଞ୍ଚ ଦିନ ଧରି ଚାଲିବ ଶିଳ୍ପ ମହାକୁମ୍ଭ।

ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ – ୨୦୧୮ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଦେଶ ବିଦେଶର ଶିଳ୍ପ ପ୍ରତିନିଧି ଏବଂ ବିଶିଷ୍ଟ ଶିଳ୍ପପତିମାନଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱରର ଜନତା ମଇଦାନ ପ୍ରସ୍ତୁତ ହୋଇ ରହିଛି। ପାଞ୍ଚ ଦିନ ଧରି ଓଡ଼ିଶାରେ ଶିଳ୍ପାୟନର ପ୍ରଗତିକୁ ନେଇ ମାନସମନ୍ଥନ କରାଯିବ। ଆଗାମୀ ପିଢ଼ିର ଯୁବ ଉଦ୍ୟୋଗୀମାନଙ୍କ ମନରେ ଏହି କନକ୍ଲେଭ ଉତ୍ସାହ ଭରିବ ବୋଲି ସରକାର ଆଶାବାଦୀ ଅଛନ୍ତି।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି।

ରବିବାରଠୁ ଶିଳ୍ପ ମହାକୁମ୍ଭ

ମେକ୍‌ ଇନ ଓଡ଼ିଶା କନକ୍ଲେଭକୁ ଆକର୍ଷଣୀୟ କରିବା ପାଇଁ ରବିବାର ସକାଳ ୬ଟାରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। କୋଷ୍ଟାଲ୍ ଫନ୍ ରନ୍, ହେରିଟେଜ ୱାକ, ଗଲ୍ଫ ଟୁର୍ଣ୍ଣାମେଣ୍ଟ, ଆଦିବାସୀ ସଂଗ୍ରହାଳୟ ଏବଂ ହସ୍ତଶିଳ୍ପ ସଂଗ୍ରହାଳୟ ପରିଦର୍ଶନ ଭଳି କାର୍ଯ୍ୟକ୍ରମ ରଖାଯାଇଛି।

ଏହାସହ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ ମଞ୍ଚରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ଏବଂ ତାଙ୍କ ଟିମ୍ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ଆମେରିକାର ବିଶିଷ୍ଟ ଫ୍ୟାସନ ଡିଜାଇନର ଓଡ଼ିଆ ପୁଅ ବିଭୂ ମହାପାତ୍ର କ୍ରିଏଟିଭ୍ ଅର୍ଥନୀତି ଉପରେ ଆଲୋଚନା କରିବେ। ରାଉରକେଲାରୁ ଆମେରିକା କିପରି ତାଙ୍କର ଯାତ୍ରା ଥିଲେ ସେ ଉପରେ ଆଲୋକପାତ କରିବେ। ଏହାପରେ ଓଡ଼ିଶାର ହସ୍ତତନ୍ତ ଶାଢ଼ି ଏବଂ ପୋଷାକକୁ ନେଇ ଏକ ଫ୍ୟାଶନ ସୋ’ ଆୟୋଜନ କରାଯିବ।

ବିଜିନେସ୍ ଲିଡରସିପ୍‌ ସମିଟ୍

ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବିଜିନେସ୍ ଲିଡରସିପ୍ ସମିଟ୍। ଏହି କାର୍ଯ୍ୟକ୍ରମ ୧୨ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଷ୍ଟାର ବକ୍ତା ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନି ଯୋଗ ଦେବେ। ଏହି ଆଲୋଚନାରେ ଜାତୀୟ ଏବଂ ଓଡ଼ିଶାର ପ୍ରମୁଖ ଶିଳ୍ପୋଦ୍ୟୋଗୀମାନେ ଭାଗ ନେବେ। ଆଗାମୀ ପିଢ଼ିର ଯୁବ ଉଦ୍ୟୋଗୀମାନେ କିପରି ନେତୃତ୍ୱ ନେଇପାରିବେ ସେନେଇ ଆଲୋଚନା କରାଯିବ। ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏହି ଆଲୋଚନା ଚାଲିବ।

ଜାପାନ ସେମିନାର

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କଣ୍ଟ୍ରି ପାର୍ଟନର୍ ରହିଛି ଜାପାନ। ଏଣୁ ଜାପାନରୁ ଆସିଥିବା ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ପାଇଁ ୧୨ ତାରିଖରେ ଏକ ଅଧିବେଶନ ରଖାଯାଇଛି। ଏହାକୁ ଜାପାନ ସେମିନାର ନାଁରେ ନାମିତ କରାଯାଇଛି। ଜାପାନିଜ କମ୍ପାନିଗୁଡ଼ିକୁ ଓଡ଼ିଶାର ମାନୁଫାକ୍ଚରିଂ କ୍ଷେତ୍ରରେ ରହିଥିବା ନିବେଶ ସୁଯୋଗ ସମ୍ପର୍କରେ ପ୍ରଦର୍ଶନ କରାଯିବ। ଏଥିରେ ମିତ୍‌ସୁବିସ୍ ହେଭି ଇଣ୍ଡଷ୍ଟ୍ରିଜ, ମାରୁବେନି, ଜେଏଫ୍‌ଇ ଷ୍ଟିଲ୍, ନିସିନ୍ ଫୁଡ୍, ମିତ୍‌ସୁଇ, ତାକାହାତା ପ୍ରେସିସନ ଭଳି କମ୍ପାନି ଅଂଶଗ୍ରହଣ କରିବେ। ଏହାସହ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଭୁବନେଶ୍ୱର-ରାଉରକେଲା ସ୍ମାର୍ଟସିଟିର ବିକାଶ ଉପରେ ଆଲୋଚନା ରହିଛି।

ଏହାସହ ଲଜିଷ୍ଟିକ ଓ ଭିତ୍ତିଭୂମି ଉପରେ ଅଧିବେଶନ, ଖାଦ୍ୟ ପ୍ରକ୍ରିୟାକରଣ, ଭୁବନେଶ୍ବର-ରାଉରକେଲା ସ୍ମାର୍ଟସିଟି, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ, କଳିଙ୍ଗ ଷ୍ଟାଡିୟମଠାରେ ହେବାକୁ ଥିବା ଏକ୍ସିଲେନ୍ସ କାର୍ଯ୍ୟକ୍ରମ (କ୍ରୀଡ଼ା) ପାଇଁ ଏମ୍‌ଓୟୁ ସ୍ୱାକ୍ଷର ହେବ।

ଓଡ଼ିଶା ଥିମ୍ ପାଭିଲିୟନ

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ଏଥର ମୁଖ୍ୟ ଆକର୍ଷଣ ହେଉଛି ‘ଦେଓମାଳୀ’ ନାଁରେ ଓଡ଼ିଶା ଥିମ୍ ପାଭିଲିୟନ। ଏଥିରେ ବୃତ୍ତାକାର ଗମ୍ବୁଜରେ ବିଭିନ୍ନ ସମ୍ଭାବନାକୁ ପ୍ରଦର୍ଶନ କରାଯିବ। ଏଥିରେ ‘କାଇନେଟିକ୍ ଇନଷ୍ଟାଲେସନ’ ଭଳି ବ୍ୟାପକ କଟିଙ୍ଗ ଏଜ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି।

ଟେକ୍ ଟକ୍

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ମଞ୍ଚରେ ୧୩ ତାରିଖ ଦିନ ‘ଟେକ୍ ଟକ୍’ କାର୍ଯ୍ୟକ୍ରମ ରହିଛି। ଏଥିରେ ସିସ୍‌କୋ ସିଷ୍ଟମ୍‌ସର ପୂର୍ବତନ ବରିଷ୍ଠ ଉପସଭାପତି ଓ ମହାପ୍ରବନ୍ଧକ ମିସ୍ ୟେଭେତ୍ କନୌଫ ଆମେରିକା ପ୍ରଗତିଶୀଳ ଟେକ୍ନୋଲୋଜି ଉପରେ ଟକ୍ ଦେବେ। ଟେକ୍ନୋଲୋଜି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବିଶେଷ ସହାୟକ ହେବ।

ଷ୍ଟାଟ୍ଅପ୍ ଟକ୍

ମେକ୍‌ ଓଡ଼ିଶା କନକ୍ଲେଭରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ନିବେଶକ, ମେଣ୍ଟର, ପ୍ରତିଷ୍ଠିତ ଉଦ୍ୟୋଗୀମାନେ ଯୋଗଦେବେ। ଯେଉଁ ଯୁବପିଢ଼ିମାନେ ଉଦ୍ୟୋଗ କ୍ଷେତ୍ରରେ ନୂଆ ନୂଆ ପ୍ରବେଶ କରୁଛନ୍ତି ସେମାନେ ଏହି ମଞ୍ଚରେ ଦେଶ ବିଦେଶର ପ୍ରତିଷ୍ଠିତ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ।

ଏହି ଆଲୋଚନାଚକ୍ରରେ ନେଷ୍ଟଆୱେର ସିଇଓ ଅମରେନ୍ଦ୍ର ସାହୁ, ପରପଲ୍‌ର ସିଇଓ ରାହୁଲ ଦାଶ, ମିଲ୍କମନ୍ତ୍ରାର ଏମ୍‌ଡି ଶ୍ରୀକୁମାର ମିଶ୍ର, ଭିଡୋଲିର ସିଇଓ ସୁବ୍ରତ କର ପ୍ରମୁଖ ଭାଗନେବେ।

୧୩ ତାରିଖରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ଅଧିବେଶନ, ବୟନ ଓ ପୋଷାକ ଶିଳ୍ପ ଉପରେ ଅଧିବେଶନ, ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ ଶିଳ୍ପ ଉପରେ ଅଧିବେଶନ, କେମିକାଲ୍‌ସ ଓ ପେଟ୍ରୋ କେମିକାଲ୍‌ସ ଉପରେ ଅଧିବେଶନ, ମହାକାଶ ଓ ପ୍ରତିରକ୍ଷା ମାନୁଫାକ୍ଚରିଂ ଉପରେ ଅଧିବେଶନ, ଦକ୍ଷତା ବିକାଶ ଉପରେ  ଅଧିବେଶନ ରହିଛି।

ସେହିପରି ନଭେମ୍ବର ୧୪ରେ ମହିଳା ଔଦ୍ୟୋଗିକ ପ୍ଲେନାରୀ, ଇଲେକ୍ଟ୍ରୋନିକ୍ସ ଓ ଆଇଟି, କୃଷି ବିପଣନ, ସିଏସ୍‌ଆର୍, ଏକାଡେମିକ ମିଟ୍ ପ୍ଲେନାରୀ ଅନୁଷ୍ଠିତ ହେବ।

ସ୍ମାର୍ଟ ଓଡ଼ିଶା ହାକାଥନ

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ ଅବସରରେ ପ୍ରଥମ ଥର ପାଇଁ ସ୍ମାର୍ଟ ଓଡ଼ିଶା ହାକାଥନ୍ ଆୟୋଜନ କରାଯିବ। ୨୯୩ ଛାତ୍ରଛାତ୍ରୀଙ୍କୁ ନେଇ ୯୩ଟି ଟିମ୍ ଗଠନ କରାଯାଇଛି। ୩୬ ଘଣ୍ଟିଆ ସ୍ମାର୍ଟ ଓଡ଼ିଶା ହାକାଥନର ବିଜେତାଙ୍କୁ ୧୫ ତାରିଖରେ ପୁରସ୍କୃତ କରାଯିବ।

ଏହାସହ ବାୟୋଟେକ୍ନାଲୋଜି କ୍ଷେତ୍ରରେ ପୁଞ୍ଜି ନିବେଶ, ମିଡିଆ ଏବଂ ମନୋରଞ୍ଜନ ଅଧିବେଶନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି।

ପୁରସ୍କାର

ଚଳିତ କନକ୍ଲେଭରେ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ସହାୟକ ହେଉଥିବା କମ୍ପାନିଗୁଡ଼ିକୁ ‘ଓଡ଼ିଶା ସିଏସ୍‌ଆର୍ ପୁରସ୍କାର – ୨୦୧୮’ ପ୍ରଦାନ କରାଯିବ। ଏହାସହ ୩ ଜଣ ସଫଳ ଉଦ୍ୟୋଗୀଙ୍କୁ ‘ଓଡ଼ିଶା ଗୌରବ’ ସମ୍ମାନ, ୩ଟି ଶ୍ରେଷ୍ଠ କମ୍ପାନିକୁ ଏକ୍ସପୋ ପୁରସ୍କାର ପ୍ରଦାନ କରାଯିବ।

ଏହି କନକ୍ଲେଭରେ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କର ୧୫ଟି ବିଭାଗ ଏଥିରେ ଅଂଶ ଗ୍ରହଣ କରିବେ।

ଖାଦ୍ୟ ପ୍ରକ୍ରିୟାକରଣ, ସି-ଫୁଡ୍, କେମିକାଲ, ପେଟ୍ରୋ କେମିକାଲ୍‌ସ, ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ ଶିଳ୍ପ, ବୟନ ଓ ପୋଷାକ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଭଳି କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ରାଜ୍ୟ ସରକାର ଫୋକସ୍ କରିଛନ୍ତି।

ଜନତା ମଇଦାନରେ ୫ ଦିନ ଧରି ଚାଲିବ ମେକ୍ ଇନ୍ ଓଡ଼ିଶା କନକ୍ଳେଭ। ଏଥିରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନି, ଗୌତମ ଆଦାନି, କମର ମଙ୍ଗଳମ ବିର୍ଲା, ଆନନ୍ଦ ମହିନ୍ଦ୍ରାଙ୍କ ଭଳି ପ୍ରମୁଖ ଶିଳ୍ପ ଟାଇକୁନମାନେ ଯୋଗଦେବେ। ଓଡ଼ିଶାର ଶିଳ୍ପାୟନକୁ ଆଗକୁ ନେବା ପାଇଁ ଏହି ମହାକୁମ୍ଭରେ ମନ୍ଥନ ହେବ।

Comment