ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ତିନିମୁହାଣି ରାମ ମନ୍ଦିର ପଛପାଖରେ ଗୋବରୀ ନଦୀ କୂଳରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଗୌରାଙ୍ଗ ଚନ୍ଦ୍ର କାପ। ଘର ପଟ୍ଟାମୁଣ୍ଡାଇ ବ୍ଲକର ନପଙ୍ଗ ଗାଁରେ।

ଧାର କରଜ କରି ଗୌରାଙ୍ଗ ଏବର୍ଷ ନସିପୁର ଗାଁର ଶିବରାମ ଦାଶଙ୍କର ୩ ଏକର ଜମିରେ ଧାନ ଚାଷ କରିଥିଲେ। ତିତ୍‌ଲି ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଧାନ ସମ୍ପୂର୍ଣ୍ଣ ଧୋଇଯାଇ ନଷ୍ଟ ହୋଇଯାଇଛି। ଏହାକୁ ସହି ନପାରି ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

୬୦ ବର୍ଷ ବୟସ୍କ ଗୌରାଙ୍ଗ ଜଣେ ଭୂମିହୀନ ଲୋକ। ଅନ୍ୟର ଜମି ଭାଗ ଚାଷ କରି ପରିବାର ଚଳାନ୍ତି। ଧାନ ଚାଷ କରିବାକୁ ଗୌରାଙ୍ଗ ସ୍ଥାନୀୟ ଲୋକମାନଙ୍କଠାରୁ ହାତଉଦ୍ଧାରି କରିଥିଲେ ବୋଲି ନପଙ୍ଗ ଗାଁର ମା’ ବୁଢି ଜାଗୁଳାଇ କୃଷକ ସଂଘର ସଭାପତି ବାବୁରାମ ନାୟକ କହିଛନ୍ତି।

ବାବୁରାମ କହିଛନ୍ତି, “ଲଗାଣ ବର୍ଷାରେ ଧାନ କ୍ଷେତ ଧୋଇଯିବା ପରେ ମାନସିକ ଭାରସାମ୍ୟ ହରାଇଥିଲେ ଗୌରାଙ୍ଗ। କରଜ ଟଙ୍କା କେମିତି ସୁଝିବେ ସେନେଇ ସେ ଚିନ୍ତାରେ ରହିଥିଲେ। ଧାନ ବିକି ସୁଧିଆ ସୁଝିବେ ବୋଲି ମନରେ ଚିନ୍ତା କରିଥିଲେ ଗୌରାଙ୍ଗ। ହେଲେ ବର୍ଷା ସବୁ ଉଜାଡ଼ିଦେଲା।”

ଏହି ଧାର କରଜ ପାଇଁ ଗୌରାଙ୍ଗଙ୍କ ପରିବାରରେ ଝଗଡ଼ା ଲାଗି ରହୁଥିଲା ବୋଲି ଗୌରାଙ୍ଗଙ୍କ ସ୍ତ୍ରୀ ଜାନକୀ କାପ କହିଛନ୍ତି।

ଶୁକ୍ରବାର ସକାଳୁ ଗୌରାଙ୍ଗ ଘରୁ ଚାଲି ଆସିଥିଲେ। ଗୌରାଙ୍ଗ କେନ୍ଦ୍ରାପଡ଼ା ଆସି ତିନିମୁହାଣୀ ନିକଟରେ ଥିବା ରାମ ମନ୍ଦିର ପଛପାଖ ଗୋବରୀ ନଦୀ କୂଳରେ ବିଷ ପିଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଦେଖି ଘରକୁ ଖବର ଦେଇଥିଲେ।

ପରିବାର ଲୋକେ ଗୌରାଙ୍ଗଙ୍କ ମୃତଦେହକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଛନ୍ତି।

ଚାଷୀ ଆତ୍ମହତ୍ୟା ସମ୍ପର୍କରେ ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comment