ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସବ୍ୟସାଚୀ-ଏଲିନାଙ୍କ ଯୋଡ଼ି ଏବେ ପୁଣିଥରେ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି। ଜାଣନ୍ତୁ କେଉଁ ଫିଲ୍ମରେ…

ଚଳିତବର୍ଷ ଓଲିଉଡର ସୋବର ବୟ ସବ୍ୟସାଚୀ ଓ ଗର୍ଜିଅସ୍‌ ଏଲିନା ସାମନ୍ତରାୟଙ୍କ ଯୋଡ଼ିକୁ ଦର୍ଶକ ଦୁଇଟି ସିନେମାରେ ଦେଖି ସାରିଛନ୍ତି। ଏବେ ଏହି ଯୋଡ଼ି ତୃତୀୟ ଥର ଲାଗି ପରଦା ଉପରକୁ ଆସୁଛନ୍ତି। ଏଥର ପୁଣି ଏକ ବିଗ୍‌ବ୍ୟାନର ସିନେମାରେ କାମ କରୁଛନ୍ତି ସବ୍ୟସାଚୀ-ଏଲିନା।

ଜାତୀୟ ସ୍ତରର ମ୍ୟୁଜିକ୍‌ କମ୍ପାନି ଆମର ମ୍ୟୁଜିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବେ ଓଡ଼ିଆ ସିନେମା ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଛି। ଏହି ବ୍ୟାନରର ପ୍ରଥମ ସିନେମା ହେଲା ‘ମାଲ୍ ମହୁ ଜୀବନ ମାଟି: ଭାଗ୍ୟର ନୋ ଗ୍ୟାରେଣ୍ଟି’। ଲେଡି ବାର୍ଡ ଏଣ୍ଟରଟେନମେଣ୍ଟର ସହଯୋଗରେ ଆମର ମ୍ୟୁଜିକ୍‌ ଏହି ସିନେମା ପ୍ରଯୋଜନା କରୁଛନ୍ତି।

‘ମାଲ୍ ମହୁ ଜୀବନ ମାଟି: ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ସବ୍ୟସାଚୀଙ୍କ ବିପକ୍ଷରେ ପୁଣି ନାୟିକା ବନିବେ ଏଲିନା। ଏହାଛଡ଼ା ଏହି ସିନେମାରେ ୨୦ ଜଣ ପ୍ରତିଭାବାନ ଭିନ୍ନକ୍ଷମ କଳାକାରଙ୍କୁ ନିଆଯାଉଥିବା ଜଣାଯାଇଛି। ଏହାର କାରଣ ହେଲା ଫିଲ୍ମର କାହାଣୀରେ ସେଭଳି ଆବଶ୍ୟକତା ରହିଛି। ଏହି ସିନେମାରେ ନିଜେ ସବ୍ୟସାଚୀ ବି ଜଣେ ଭିନ୍ନକ୍ଷମ ଯୁବକ ଭୂମିକାରେ ଅଛନ୍ତି।

ଏହି  ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ଏହା ପୂର୍ବରୁ ନିର୍ଦ୍ଦେଶକ ରମେଶ ରାଉତ ‘ଚାନ୍ଦ ନା ତୁମେ ତାରା’, ‘ଗଡ଼ଫାଦର୍’ ‘ଟୋକାଟା ଫସିଗଲା’ ଓ କାବୁଲା ବାରବୁଲା, ସର୍ଚ୍ଚିଂ ଫର୍ ଲୈଲା ଆଦି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ରମେଶ ରାଉତଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ସିନେମା ‘ଲଭ୍‌ ଏକ୍ସପ୍ରେସ୍‌’ ଏବେ ରିଲିଜ୍‌ ଅପେକ୍ଷାରେ ରହିଛି। ଏ ଦୃଷ୍ଟିରୁ ‘ମାଲ୍‌ମହୁ’ ଜୀବନମାଟି, ଭାଗ୍ୟର ଯେ ଗ୍ୟାରେଣ୍ଟି ହେବ ରମେଶ ରାଉତଙ୍କ ନିର୍ଦ୍ଦେଶିତ ଷଷ୍ଠ ସିନେମା।

ଏହି ଓଡ଼ିଆ ସିନେମାର ସଂଳାପ ଲେଖିଛନ୍ତି ଡକ୍ତର ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଏହି ସିନେମାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ।

ଏବେ ଆସନ୍ତୁ ଜାଣିବା ସବ୍ୟସାଚୀ- ଏଲିନାଙ୍କ ଯୋଡ଼ିକୁ ଦର୍ଶକ ଆଗରୁ କେଉଁ ସିନେମାରେ ଦେଖିବାକୁ ପାଇଛନ୍ତି।

ଟୋକାଟା ଫସିଗଲା

ସବ୍ୟସାଚୀ ଓ ଏଲିନାଙ୍କୁ ପ୍ରଥମେ ଏକାଠି ଆଣିବାରେ ସଫଳ ହୋଇଥିଲେ ନିର୍ମାତା ସୀତାରାମ ଅଗ୍ରୱାଲ ଓ ନିର୍ଦ୍ଦେଶକ ରମେଶ ରାଉତ। ଏ ଦୁହେଁ ନିର୍ମାଣ କରିଥିଲେ ‘ଟୋକାଟା ଫସିଗଲା’। ଏହି ସିନେମାର କାହାଣୀ ଅନୁଯାୟୀ ଜଣେ ସାଙ୍ଗ କଥାରେ ପଡ଼ି ସବ୍ୟସାଚୀ ସାଙ୍ଗର ଶାଳୀର ବାହାଘର ଭାଙ୍ଗେ, ହେଲେ ତା’ର ପ୍ରେମରେ ପଡ଼ିଯାଏ। ତା’ପରେ କିଭଳି ପରିସ୍ଥିତି ସୃଷ୍ଟି ହୁଏ, ତାହା ଦେଖିବାକୁ ମିଳିଥିଲା ‘ଟୋକାଟା ଫସିଗଲା’ ସିନେମାରେ। ‘ଟୋକାଟା ଫସିଗଲା’ରେ ସବ୍ୟସାଚୀ-ଏଲିନାଙ୍କ ଯୋଡ଼ିକୁ ପସନ୍ଦ କରିଥିଲେ ଦର୍ଶକ। ଏଥିରେ ପପୁ ପମ୍‌ ପମ୍‌ ଥିଲେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାସ।

ଫୋର୍‌ ଇଡିଅଟ୍ସ

‘ଟୋକାଟା ଫସିଗଲା’ ଫିଲ୍ମରେ ପ୍ରଥମେ ଏକାଠି କାମ କରିଥିଲେ ସବ୍ୟସାଚୀ-ଏଲିନା। ମାତ୍ର ତା’ ଆଗରୁ ରିଲିଜ୍‌ ହୋଇଥିଲା ‘ଫୋର ଇଡିଅଟ୍ସ’। ଏହା ହେଲା ସବ୍ୟସାଚୀ-ଏଲିନା ଯୋଡ଼ିଙ୍କ ଅଭିନୀତ ମୁକ୍ତିପ୍ରାପ୍ତ ପ୍ରଥମ ଓଡ଼ିଆ ସିନେମା। ଏହି ସିନେମାରେ ସବ୍ୟସାଚୀ-ଏଲିନା ଯୋଡ଼ିଙ୍କ ବ୍ୟତୀତ ଆକାଶ-ପୁନମ୍‌, ଚିତ୍ତ ତ୍ରିପାଠୀ- ଲିପ୍‌ସା ଏବଂ କୁନା ତ୍ରିପାଠୀ- ଚାନ୍ଦିନୀଙ୍କ ଯୋଡ଼ି ବି ନଜର ଆସିଥିଲେ।

ଏହି ସିନେମାର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା ଓ ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ। ଡକ୍ତର ରଜନୀ ରାଜନ ଏହାର ସଂଳାପ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ପ୍ରେମ ଆନନ୍ଦ।

Comment