ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ଦିନ ବିଜେପିରୁ ଇସ୍ତଫା ଦେବେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ!

ପୂର୍ବତନ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳରେ ମିଶାଇ ବିଜେପି ଶିବିର ଉତ୍ସାହିତ ହୋଇପଡ଼ିଛି। ଅପରାଜିତାଙ୍କୁ ବିଜେପିର ଚେହେରା ଭାବେ ଉପସ୍ଥାପିତ କରୁଛନ୍ତି କିଛି ନେତା। କିନ୍ତୁ ଏହି ଉତ୍ସାହକୁ ଫିକା ପକାଇ ଦେଇଛନ୍ତି ବରିଷ୍ଠ ନେତା ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର। ଦିଲ୍ଲୀପ ବିଜେପି ଛାଡ଼ିବା ପାଇଁ ଇସାରା ଦେବା ପରେ ବିଜେପି ଶିବିର ହଲଚଲ ହୋଇଯାଇଛି।

କୁହାଯାଉଛି ଦିଲ୍ଲୀପ ଶୁକ୍ରବାର ଦିନ ଉଭୟ ଦଳ ଏବଂ ବିଧାୟକ ପଦବୀରୁ ଇସ୍ତଫା ଦେଇ ପାରନ୍ତି। ଦିଲ୍ଲୀପଙ୍କ ସହ ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ବିଜେପି ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅପରାଜିତା ବିଜେପିରେ ସାମିଲ ହୋଇ ଯେଉଁଦିନ ଭୁବନେଶ୍ୱର ଆସିଛନ୍ତି ସେହିଦିନ ହିଁ ଦିଲ୍ଲୀପ ଏବଂ ବିଜୟଙ୍କ ଦଳ ଛାଡ଼ିବା ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତି ଉଠୁଛି ପଡ଼ୁଛି।

କୁଆଡ଼େ ଯିବେ ଏହି ଦୁଇ ନେତା?

ବିଜେପି ଛାଡ଼ିବା ପରେ ଏହି ଦୁଇ ନେତା କୁଆଡ଼େ ଯିବେ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ଉଠିଛି। କୁହାଯାଉଛି ବିଜୟ ଏବଂ ଦିଲ୍ଲୀପ ବିଜେଡି ଯାଇପାରନ୍ତି। କାରଣ ଉଭୟ ଅଣ କଂଗ୍ରେସ ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି ଉଭୟଙ୍କର ସୁନାମ ରହିଛି। ଏଣୁ ବିଜେପି ଛାଡ଼ିବା ପରେ ସେମାନେ କଂଗ୍ରେସକୁ ଯିବା ପାଇଁ ଉଚିତ୍ ମଣିବେନି ବୋଲି ଚର୍ଚ୍ଚା ହେଉଛି।

ଏପଟେ ବିଜେଡି ମଧ୍ୟ ଦିଲ୍ଲୀପ ଏବଂ ବିଜୟଙ୍କୁ ନେବା ପାଇଁ ଗୋଟି ଚାଳନା କରୁଛି। ବିଜେଡିରୁ ବୈଜୟନ୍ତ ପଣ୍ଡା ଏବଂ ଦାମ ରାଉତ ବିଦା ହେବା ପରେ ଦଳର ପାଣିପାଗ ଠିକ୍ ଚାଲି ନଥିବା କୁହାଯାଉଛି। ଏହି ଦୁଇ ନେତାଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ବିଜୟ ଏବଂ ଦିଲ୍ଲୀପଙ୍କୁ ଆପଣାଇପାରେ।

ଦିଲ୍ଲୀପ କେବଳ ବିଜେପିର ନୁହନ୍ତି। ସେ ହେଉଛନ୍ତି ରାଉରକେଲାର ବିଧାୟକ। ରାଉରକେଲାରେ ଦିଲ୍ଲୀପଙ୍କ ଭଲ ସଙ୍ଗଠନ ରହିଛି। ୨୦୧୪ରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଳରେ ୧୧୬ଟି ନିର୍ବାଚନମଣ୍ଡଳୀରେ ଶଙ୍ଖ ବାଜିଥିବା ବେଳେ ରାଉରକେଲାରେ ପଦ୍ମ ଫୁଟାଇଥିଲେ ଦିଲ୍ଲୀପ। ବିଜେଡିର ପ୍ରଭାବୀ ବନେତା ସାରଦା ପ୍ରଧାନଙ୍କୁ ପରାଜିତ କରି ଦିଲ୍ଲୀପ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଏହି ଚାରି ବର୍ଷ ଭିତରେ ଅନେକ କିଛି ପରିବର୍ତ୍ତନ ହୋଇଯାଇଛି। ରାଉରକେଲାରେ ବିଜେଡି ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି। ସଙ୍ଗଠନ ସୁଦୃଢ଼ ପାଇଁ ବିଜେଡି ଦିଲ୍ଲୀପଙ୍କୁ ଆପଣାଇପାରେ ବୋଲି କୁହାଯାଉଛି।

ଏପଟେ ବିଜୟ ମହାପାତ୍ର ବିଜେଡି ଗଲେ ତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ ବୋଲି ଆଲୋଚନା ହେଉଛି।

“ଦିଲ୍ଲୀପ ରାୟ ଏବଂ ମୁଁ ଏ ବିଷୟରେ ଆଲୋଚନା କରିଛୁ। କ’ଣ ନିଷ୍ପତ୍ତି ନେବୁ ସେ ସମ୍ପର୍କରେ ଶୁକ୍ରବାର ଦିନ ଆମେ ଗଣମାଧ୍ୟମରେ ଜଣାଇବୁ”, କହିଛନ୍ତି ବିଜୟ ମହାପାତ୍ର।

କାହିଁକି ଛାଡ଼ିବେ ବିଜୟ?

୨୦୦୯ରେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ବିଜେପିରେ ଯୋଗ ଦେଇଥିଲେ। ସେତେବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ ବର୍ତ୍ତମାନର କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ। ବିଜୟ ଏବଂ ଦିଲ୍ଲୀପଙ୍କ ଭଳି ହେଭିୱେଟ ନେତାଙ୍କୁ ପାଇ ବିଜେପି ଶିବିରରେ ଉତ୍ସାହ ଭରି ଯାଇଥିଲା। ବିଜୟ ହିଁ କେବଳ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେଇପାରିବେ ବୋଲି ବିଜେପି ନେତାମାନେ ଧରି ନେଇଥିଲେ।

ଦିନ ଥିଲା ବିଜୟ ମହାପାତ୍ର ଗଣମାଧ୍ୟମରେ ଯାହା ବିବୃତି ଦେଉଥିଲେ ତାହା ଗଣମାଧ୍ୟମର ପ୍ରମୁଖ ଖବର ପାଲଟୁଥିଲା। ଗଣମାଧ୍ୟମ ପ୍ରତିନିଧି ବିଜୟଙ୍କ ମନ୍ତବ୍ୟକୁ ଗୁରୁତ୍ୱ ଦେଉଥିଲେ। ବିଜେପି ପାର୍ଟି ଅଫିସରେ ବିଜୟ ଯାହା କହୁଥିଲେ ସେଥିରେ ବିଜେଡି ଶିବିର ହଲଚଲ ହୋଇଯାଉଥିଲା।

କନ୍ଧମାଳ ଉପ-ନିର୍ବାଚନରେ ବିଜୟ ପ୍ରଚାର ମଙ୍ଗ ଧରି ବିଜେପିକୁ ଦୁଇ ନମ୍ବର ସ୍ଥାନକୁ ଆଣିଥିଲେ। କିନ୍ତୁ ୨୦୧୫ ପରେ ବିଜୟ ବିଜେପିରେ ଅଲୋଡ଼ା ହୋଇଯାଇଥିବା ଚର୍ଚ୍ଚା ହେଲା। ବିଜୟଙ୍କୁ କୌଣସି ଦଳୟୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନଥିଲା। ପାର୍ଟି ଅଫିସରେ ବି ବିଜୟଙ୍କ ପାଦ ପଡ଼ି ନଥିଲା। ବିଭିନ୍ନ ପ୍ରସଙ୍ଗରେ ବିଜୟ କେନ୍ଦ୍ର ସରକାର ଏବଂ ରାଜ୍ୟ ବିଜେପି ନେତାଙ୍କୁ ଟାର୍ଗେଟ କରି ଆସୁଥିଲେ। ଏସବୁକୁ ଦେଖି ଚର୍ଚ୍ଚା ହେଲା ଯେ ବିଜୟ ବିଜେପିରେ ଖୁସି ନାହାନ୍ତି। ଗତ ବର୍ଷେ ହେଲା ସେ ବିଜେପି ଛାଡ଼ିବା ନେଇ ଚର୍ଚ୍ଚା ହୋଇ ଆସୁଛି।

ଦିଲ୍ଲୀପ କାହିଁକି ଛାଡ଼ିବେ?

ଜନତା ଦଳରୁ ରାଜନୀତି ଇନିଂସ୍ ଆରମ୍ଭ କରିଥିବା ବିଜୟ-ଦିଲ୍ଲୀପ ବିଜେଡି ପ୍ରତିଷ୍ଠାତା ସଦସ୍ୟ ଥିଲେ। ହେଲେ ଉଭୟ ବିଜେଡିରୁ ନିଲମ୍ବିତ ହୋଇଥିଲେ। ବିଜେପିରେ ଯୋଗ ଦେବା ପରେ ୨୦୧୪ରେ ଦିଲ୍ଲୀପଙ୍କୁ ରାଉରକେଲାରୁ ଟିକେଟ ଦେଇଥିଲା ବିଜେପି। ଦିଲ୍ଲୀପ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଏବେ ସେ କେନ୍ଦ୍ର ଅବହେଳାର କଥା ଉଠାଇ ନିଜ ଦଳର ନେତାଙ୍କ ଉପରେ ବର୍ଷୁଛନ୍ତି।

ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଏବଂ ଆଇଜିଏଚ ହସ୍ପିଟାଲର ଅତ୍ୟାଧୁନିକୀକରଣ କାମ ହୋଇପାରୁ ନଥିବାରୁ ଦିଲ୍ଲୀପ ଉଭୟ ଦଳ ଏବଂ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଛି।

୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଆସିଥିଲେ। ସେତେବେଳେ ସେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଏବଂ ଆଇଜିଏଚ୍ ଅତ୍ୟାଧୁନିକୀକରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଇତି ମଧ୍ୟରେ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ କାମ ଆଗେଇ ନାହିଁ। ଶେଷରେ ଦିଲ୍ଲୀପ ଏହାକୁ କାରଣ ଦର୍ଶାଇ ଦଳ ଛାଡ଼ିବାକୁ ସଜ ହେଉଛନ୍ତି।

ବିଜୟ ଏବଂ ଦିଲ୍ଲୀପ ଯଦି ଏକାଠି ଶୁକ୍ରବାର ଦିନ ଦଳରୁ ଇସ୍ତଫା ଦିଅନ୍ତି ତାହାଲେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ମିଳିବ ବୋଲି ଅନୁମାନ କରାଯାଉଛି। ବିଜେପି ଶିବିର ଏହାକୁ କେମିତି ଗ୍ରହଣ କରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment