ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ବଡ଼ ଘୋଷଣା କରିବେ ବିଜେପି ନେତା ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର।

ଶୁକ୍ରବାର ଓଡ଼ିଶା ରାଜିନୀତିରେ ଆଉ ଏକ ନୂଆ ଫର୍ଦ୍ଦ ଖୋଲିବାକୁ ଯାଉଛି। ବହୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜେପିର ଦୁଇ ବରିଷ୍ଠ ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ବିଧିବଦ୍ଧ ଭାବେ ଦଳ ଛାଡ଼ିବେ। ଇତିମଧ୍ୟରେ ଦିଲ୍ଲୀପଙ୍କ ସହ ଆଗାମୀ କାର୍ଯ୍ୟପନ୍ଥା ନେଇ ବିଜୟ କଥାବାର୍ତ୍ତା କରିଛନ୍ତି। ଶୁକ୍ରବାର ମିଡିଆ ସାମ୍ନାରେ ଏହି ଘୋଷଣା ହେବ।

ବିଭିନ୍ନ ପ୍ରସଙ୍ଗ ନେଇ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବିଜେପିର କେନ୍ଦ୍ରୀୟ ନେତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଆସିଛନ୍ତି। ବିଶେଷ କରି ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ଓ ରାଉରକେଲା ଆଇଜିଏଚର ଉନ୍ନତିକରଣକୁ ଦିଲ୍ଲୀପ ପ୍ରସଙ୍ଗ କରି ଆସିଛନ୍ତି। ଘୋଷଣାର ଚାରି ବର୍ଷ ପରେ ବି ରାଉରକେଲାରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ନାହିଁ ବୋଲି ଦିଲ୍ଲୀପ ଅଭିଯୋଗ କରିଆସିଛନ୍ତି।

ତେଣେ ବିଜୟ ମହାପାତ୍ର ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଓ ମୋଦି ସରକାରଙ୍କ ଯାବତୀୟ କାର୍ଯ୍ୟକ୍ରମ ତଥା ଯୋଜନାକୁ ସମାଲୋଚନା କରି ଆସୁଥିଲେ। ଦଳ ଭିତରେ ଥାଇ ଏହି ସମାଲୋଚନା କରିବା ଘଟଣାର ଫାଇଦା ନେଇ ବିଜେଡି ଓ କଂଗ୍ରେସ ବିଜେପିକୁ ତାତ୍ସଲ୍ୟ କରି ଆସୁଥିଲେ। ତା’ ଛଡ଼ା ଓଡ଼ିଶା ବିଜେପିରେ ଏହି ଦୁଇ ନେତାଙ୍କ ଅନ୍ୟ ମାନଙ୍କ ସହ ପଟୁନାହିଁ। ଏହାର ପ୍ରମାଣ ବହୁ ଥର ମିଳିଛି। ବିଜେପିର ବିଭିନ୍ନ କାର୍ଯ୍ୟକ୍ରମକୁ ଦିଲ୍ଲୀପ ଓ ବିଜୟଙ୍କୁ ପ୍ରାୟତଃ ଡକା ଯାଉନଥିଲା।

Comment