ଓଡ଼ିଶାଲାଇଭ୍‌ ବ୍ୟୁରୋ

ତେଜିଲା ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବି।

ଠପ୍ ହୋଇଗଲା ପୂରା ପଶ୍ଚିମ ଓଡ଼ିଶା। ଅଖ, ଚକ ସବୁ ବନ୍ଦ। ସ୍କୁଲ କଲେଜରୁ ଆରମ୍ଭ କରି ବ୍ୟବସାୟ ପ୍ରତିଷ୍ଠାନରେ ଝୁଲୁଛି ତାଲା। ହାତରେ ପ୍ଲାକାର୍ଡ ଧରି ସରକାର ବିରୋଧୀ ନାରା ଦେଇ ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ସାଧାରଣ ନାଗରିକ ଏବଂ ଆଇନଜୀବୀ।

ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ। ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳର ଆଠମଲ୍ଲିକ, ସୋନପୁର, ଦେବଗଡ଼, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାରେ ବନ୍ଦର ପ୍ରଭାବ ପଡ଼ିଛି। କେନ୍ଦ୍ରୀୟ କ୍ରିୟା ଅନୁଷ୍ଠାନ ୪୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ସରକାରଙ୍କୁ ତିନି ତିନି ଥର ଚିଠି ଲେଖି ସାରିଲେଣି। ହେଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କୌଣସି ସବୁଜ ସଙ୍କେତ ମିଳୁନାହିଁ। ଶେଷରେ ଆନ୍ଦୋଳନ ଗୁରୁବାରଠୁ ଜୋରଦାର ହୋଇଛି।

ବନ୍ଦ ପ୍ରଭାବରେ ଟ୍ରେନ, ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଇନଜୀବୀମାନେ ଟ୍ରେନ ଲାଇନ, ରାଜରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ରାଜରାସ୍ତାରେ ବସ୍, ମାଲବାହୀ ଟ୍ରକ ଅଟକି ରହିଛି। ଏହି ଆନ୍ଦୋଳନରେ ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ବନ୍ଦ ରହିଥିବା ବେଳେ ରାଜନୀତି ତେଜିଛି। କଂଗ୍ରେସ ଏବଂ ବିଜେଡି ମୁହାଁମୁହିଁ ହୋଇଛନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “କୋରାପୁଟର ଜୟପୁର ଏବଂ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆମେ ଦାବି କରି ଆସୁଛି। ହେଲେ ରାଜ୍ୟ ସରକାର ଏଥିପ୍ରତି ଆନ୍ତରିକତା ଦେଖାଉ ନାହାନ୍ତି।”

ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ହେଉଛି କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ କିଛି ସୁଫଳ ମିଳୁନି। ଫଳରେ ଆଇନଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।”

Comment