ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

       

ରାଜନୀତିରେ କେତେବେଳେ ମିତ୍ର ଶତ୍ରୁ ପାଲଟିଯାନ୍ତି ତ ଶତ୍ରୁ ମିତ୍ର।

ଓଡ଼ିଶା ରାଜନୀତିରେ ବିଜୟ ମହାପାତ୍ର ଏକ ଆଚମ୍ବିତ ନାମ। ତାଙ୍କୁ ଆପଣ ଜଣେ ସଫଳ ନେତା କହିପାରିବେ ନାହିଁ କି ବିଫଳ ନେତା ବି କହିପାରିବେ ନାହିଁ। ଯଦି ସେ ଜଣେ ବିଫଳ ନେତା ହୋଇଥାନ୍ତେ ତାଙ୍କୁ ନେଇ ଏଯାବତ ଆଲୋଚନା ହେଉନଥାନ୍ତା।

ଶୁକ୍ରବାର ବିଜେପିରୁ ଇସ୍ତଫା ଦେବା ପରେ ବିଜୟଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ  ତାକୁ ନେଇ ଢେର ଉତ୍ସାହ ସୃଷ୍ଟି ହୋଇଛି। ମିଡିଆ ରିପୋର୍ଟ କହୁଛି ବିଜୟ ଓ ତାଙ୍କ ଜିଗିରି ଦୋସ୍ତ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ପୁଣି ନିଜ ଦଳକୁ ଫେରି ଆସିପାରନ୍ତି। ଯଦି ତାହା ହୁଏ ବିଜେଡି ରାଜନୀତିରେ ଏହା ନିଶ୍ଚିତରେ ଏକ ଐତିହାସିକ ଘଟଣା ହେବ।

ଅଠର ବର୍ଷର ବନବାସ!

ବିଜୟ ମହାପାତ୍ର ବିଜୁ ପଟ୍ଟନାୟକଙ୍କ ନିଧନ ପରେ ନବୀନଙ୍କୁ ଆଣି ରାଜନୀତିରେ ଭର୍ତ୍ତି କରିଥିଲେ ଓ ନବୀନଙ୍କ ଜରିଆରେ ବିଜୁ ଲିଗାସିକୁ ଆଗେଇ ନେବାରେ ସାହାଯ୍ୟ କରିଥିଲେ। ତାଙ୍କ ଚେରକୁ ନବୀନ କାଟିଦେବା ଯେତିକି ଦୁଃଖଦାୟକ ଥିଲା ଅଠର ବର୍ଷ ବନବାସ ପରେ ନିଜେ ଗଢ଼ିଥିବା ଦଳକୁ ବିଜୟଙ୍କ ଫେରିଆସିବା ସେତିକି ରୋମାଞ୍ଚକର।

୧୯୯୭ ମସିହାର କଥା। ବିଜୁ ଜନତା ଦଳ ଗଠନ ପରେ ନବୀନ ପଟ୍ଟନାୟକ ଯେତେବେଳେ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କଲେ ସେହି ସମୟରେ ନା ତାଙ୍କର କୌଣସି ରାଜନୈତିକ ଅଭିଜ୍ଞତା ଥିଲା ନା ସେ ତାଙ୍କ ଜୀବନଶୈଳୀ ବିଷୟରେ କାହାକୁ କିଛି ଜାଣିବାକୁ ଦେଉଥିଲେ। ତେବେ ନବୀନଙ୍କ ନିକଟରେ ଓଡ଼ିଶାର ଲୋକେ କିଛିଟା ନିରୀହତା ଓ କିଛିଟା ସରଳ ସ୍ଵଭାଵ ଦେଖୁଥିଲେ, ଆଉ ସେହି କାରଣରୁ ପରେ ପରେ ଦୁଇଟି ସାଧାରଣ ନିର୍ବାଚନରେ ସେ ଲୋକଙ୍କଠାରୁ ବିପୁଳ ଭୋଟ ପାଇଲେ।

ବିଜୁ ସରକାରରେ ଦୁଇ ନମ୍ବର

ଯେତେବେଳେ ନବୀନ ବାଜପେୟୀଙ୍କ ସରକାରରେ ଖଣି ଓ ଇସ୍ପାତ ମନ୍ତ୍ରୀ ହେଲେ ସେଥିରେ କାହାର କିଛି ଆପତ୍ତି ନଥିଲା। ବିଜୁ ଜନତା ଦଳ ଗଠନ ପଛରେ ମୁଖ୍ୟ ବ୍ୟକ୍ତି ବିଜୟ ମହାପାତ୍ରଙ୍କର ତ ଆଦୌ ନୁହେଁ। ନବୀନଙ୍କ ଆଶାତୀତ ସଫଳତା ଓ ତାଙ୍କର ଆଗକୁ ଆଗକୁ ବଢ଼ିବାରେ ବିଜୟ ତିଳେ ବି ବିଚଳିତ ନଥିଲେ। ଏହାର କାରଣ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜୟଙ୍କ ଦୁର୍ବଳତା। ଦୀର୍ଘ ଦିନ ଧରି ବିଜୁ ପଟ୍ଟନାୟକଙ୍କ ଅନୁଗତ ଭାବରେ ବିଜୟ ନିଜକୁ ପ୍ରମାଣିତ କରିଆସିଥିଲେ।

୧୯୯୦ରୁ ୧୯୯୫ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଜଳସେଚନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିବା ବ୍ୟତୀତ ସେ ବିଜୁ ସରକାରରେ ବାସ୍ତବରେ ଦୁଇ ନମ୍ବର ଥିଲେ।

ବିଜୟ ମହାପାତ୍ର ଦେଖିବାକୁ ଗେଡୁ ହେଲେ ବି ରାଜନୀତିରେ ସେ ଖୁବ୍ ବଡ଼ ଲମ୍ବା ପାଦ ପକାଇ ପାରୁଥିଲେ। ନିଜର ଦକ୍ଷତା ଓ  ବିଚକ୍ଷଣତାକୁ  ପ୍ରଦର୍ଶନ କରିପାରିଥିଲେ ହେଁ ସେ କଦାପି ଜଣେ ଗଣନେତା ନଥିଲେ ଓ ତାଙ୍କର ପ୍ରଭାବ କେବଳ କେନ୍ଦ୍ରାପଡ଼ା ଜିଲ୍ଲା ଓ ଉପକୂଳ ଓଡିଶାରେ ସୀମିତ ଥିଲା। ନେପଥ୍ୟରେ ରହି ଗୋଟି ଚଳେଇବାରେ ମାହିର ବିଜୟ ମହାପାତ୍ରଙ୍କ ପ୍ରବଳ ସାଙ୍ଗଠନିକ ଦକ୍ଷତା ଥିଲା। ଏହି କାରଣରୁ ୨୦୦୦ ବିଧାନସଭା ନିର୍ବାଚନରେ ସେ ହିଁ ଅଧିକାଂଶ ବିଧାୟକଙ୍କୁ ଟିକେଟ ଦେଉଥିଲେ।

ଯେହେତୁ ତାଙ୍କ ପଛରେ ବହୁ ବିଧାୟକଙ୍କ ସମର୍ଥନ ଥିଲା ବିଜୟଙ୍କୁ ସେ ବର୍ଷ ବିଜେଡିର ରାଜନୈତିକ ବ୍ୟାପାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା। ଯେଉଁମାନେ ବିଜୟଙ୍କ ନିକଟତମ ଲୋକ ଥିଲେ ସେମାନେ ଧରି ନେଇଥିଲେ ଯେ ବିଜୟ ହିଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଗୋଟିଏ ପଟେ ଶାସକ କଂଗ୍ରେସ ଦଳର ବଦନାମି ଓ ଅପରପଟେ ନବୀନଙ୍କ କାର୍ଯ୍ୟକଳାପ ଦିଲ୍ଲୀରେ ସୀମିତ ରହିବା ଘଟଣାରେ ବିଜୟ ମହାପାତ୍ରଙ୍କ ଅନୁଗତମାନେ ଧରିନେଇଥିଲେ ଯେ ତାଙ୍କ ମୁଣ୍ଡରେ ହାତୀ କଳସ ଥୋଇବା ଥୟ। କିନ୍ତୁ ଏଠି ହିଁ କାହାଣୀରେ ଯାହାକୁ କୁହାଯାଏ ଟୁଇଷ୍ଟ ଆସିଲା।

ବିଜୟଙ୍କ ମୁଣ୍ଡରେ ବଜ୍ର

୨୦୦୦ ମସିହା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜୟ ମହାପାତ୍ର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କାମରେ ଜୋରସୋର ଲାଗିପଡ଼ିଥାନ୍ତି। କଂଗ୍ରେସ ଦଳ ଏତେ ବଦନାମ ହୋଇସାରିଥିଲା ଯେ ନବୀନଙ୍କ ନାମରେ ଖୁଣ୍ଟକୁ ଛିଡ଼ା କଲେ ବି ଲୋକେ ଭୋଟ ଦେବେ ବୋଲି ଆଲୋଚନା ହେଉଥିଲା। ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସମୟ ଶେଷ ହୋଇ ଆସୁଥିବା ବେଳେ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ବିଜୟ ମଧ୍ୟ ନିଜ ଆସନ ପାଟକୁରାରେ ପ୍ରାର୍ଥିପତ୍ର ଦାଖଲ କରିସାରିଥିଲେ। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏଥର ବିଜୁ ଜନତା ଦଳ ନିର୍ବାଚନ ପୋଛିନେବ।

ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ନ୍ୟୁ ମାରିଅନ ହୋଟେଲରେ ରାଜନୈତିକ ବ୍ୟାପାର କମିଟିର ଶେଷ ବୈଠକ ବସିଥିଲା। ସେଠି ବିଜୟ ମହାପାତ୍ର ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ମଧ୍ୟାହ୍ନ ଭୋଜନ ସରିବା ପରେ ଦିନ ଦୁଇଟା ବେଳକୁ ବିଜୟଙ୍କ ମୋବାଇଲ ହଠାତ ରିଙ୍ଗ ହେଲା। ପାଟକୁରାରୁ ତାଙ୍କର ଜଣେ ବଡ଼ ସମର୍ଥକ ବ୍ୟସ୍ତ ବିବ୍ରତ ହୋଇ ଯେଉଁ ଖବରଟି ଦେଲେ ସେଥିରେ ବିଜୟଙ୍କ ହୋସ ଉଡ଼ିଯାଇଥିଲା।

ଏଣେ ବିଜୟ ପଲିଟିକାଲ ଅଫେୟାର୍ସ କମିଟିର ଅଧ୍ୟକ୍ଷତା କରୁଥିବାବେଳେ ତେଣେ ନବୀନ ଦଳର ସଭାପତି ଭାବେ ପାଟକୁରାରୁ ବିଜୟଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରିଦେଇଥିଲେ। ତାଙ୍କ ସ୍ଥାନରେ ଅତନୁ ସବ୍ୟସାଚୀ ନାୟକଙ୍କୁ ପଟକୁରାରୁ ପ୍ରାର୍ଥୀ କରାଗଲା। ମାତ୍ର ଅଳ୍ପ କେଇ ଘଣ୍ଟା ମଧ୍ୟରେ ଅତନୁ ପ୍ରାର୍ଥିପତ୍ର ଦାଖଲ କରିନେଲେ।

ଏହି ଘଟଣା ପରେ ବିଜୟ ମହାପାତ୍ରଙ୍କ ମୁଣ୍ଡରେ ସତେ ଯେମିତି ଏକ ବିରାଟ ବଜ୍ରପାତ ହେଲା। ମାରିଅନ ହୋଟେଲ ମିଟିଂକୁ ବନ୍ଦ କରି ବିଜୟ ହୋଟେଲରୁ ବାହାରି ଯାଇଥିଲେ।

ରାଜନୀତି ସବୁବେଳେ ଓ ସବୁ ସ୍ଥାନରେ  ବିଶ୍ୱାସଘାତକତାର ଖେଳ ହୋଇ ଆସିଛି। କେତେବେଳେ ମିତ୍ର ଶତ୍ରୁ ପାଲଟିଯାନ୍ତି ତ ଶତ୍ରୁ ମିତ୍ରତା। ତା’ ଛଡ଼ା ରାଜନୀତିରେ କିଏ କାହାର ଶୁଭେଛୁ ସେକଥା କହିବା କଷ୍ଟ। ହେଲେ  ବିଜୟ ମହାପାତ୍ରଙ୍କ ଟିକେଟ କାଟିବା ଘଟଣା ଓଡ଼ିଶା ରାଜନୀତିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇ ଆସିଛି।

(ସୂତ୍ର: ରୁବେନ ବାନାର୍ଜୀଙ୍କ  ପୁସ୍ତକ ‘ନବୀନ ପଟ୍ଟନାୟକ’)

Comment