ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଷୀ ସମାବେଶରେ ସାମିଲ ହେଲେ ରାହୁଲ ଗାନ୍ଧି, କହିଲେ କୃଷକଙ୍କ ସ୍ଵରକୁ କେହି ଦବାଇ ପାରିବେନି।

“ମୋଦିଙ୍କୁ କୃଷକଙ୍କ ଋଣ ଛାଡ଼ କରିବାକୁ ପଡ଼ିବ। କୃଷକ ଉପହାର ନୁହେଁ ତାଙ୍କ ଅଧିକାର ମାଗୁଛନ୍ତି।  ଯଦି କୃଷକଙ୍କ ପାଇଁ ଆଇନ ବଦଳାଇବାକୁ ପଡ଼େ ତେବେ ଆଇନକୁ ବଦଳାଯିବା ଦରକାର। ଯେଉଁ ସରକାର କୃଷକଙ୍କୁ ଅଣଦେଖା କରିବ ସେ ସରକାରକୁ  ମଧ୍ୟ ହଟାଇ ଦେବା ଦରକାର।   କୃଷକଙ୍କ ସ୍ଵରକୁ କେହି ଦବାଇ ପାରିବେନି”, ଚାଷୀ ସମାବେଶରେ ମୋଦି ସରକାରଙ୍କ ବିରୋଧରେ ଏଭଳି ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ଋଣଛାଡ଼, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ବିଭିନ୍ନ ଦାବିରେ ଶୁକ୍ରବାର ସଂସଦ ଭବନ ଘେରାଉ କରିବାକୁ ହଜାର ହଜାର କୃଷକ ଦିଲ୍ଲୀ ରାଜପଥରେ ଆଗେଇ ଚାଲିଛନ୍ତି।

ରାହୁଲ ପହଞ୍ଚିବା ପରେ କୃଷକମାନେ ସଂସଦ ମାର୍ଗରେ ପଦଯାତ୍ରାକୁ ରୋକିଛନ୍ତି।

କୃଷକଙ୍କର ଏହି ବିଶାଳ ସମାବେଶରେ ଅନେକ ବିରୋଧୀ ଦଳର  ନେତା ଯୋଗ ଦେଇଛନ୍ତି।

ଏହି ଆନ୍ଦୋଳନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଆଇଏମ୍ ନେତା ସୀତାରାମ ୟେଚୁରୀ ସାମିଲ ହୋଇଛନ୍ତି। ।

“ସରକାର କୃଷକଙ୍କ ପାଇଁ ସ୍ଵାମୀନାଥନ ରିପୋର୍ଟ କାହିଁକି ଲାଗୁ କରୁ ନାହାନ୍ତି? କେନ୍ଦ୍ର ସରକାର କୃଷକଙ୍କ ପିଠିରେ ଛୁରୀ ଭୁସୁଛନ୍ତି”, କହିଛନ୍ତି କେଜ୍ରିୱାଲ।

ସିପିଆଇଏମ୍ ନେତା ସୀତାରାମ ୟେଚୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ଦୁର୍ଯ୍ୟୋଧନ ଓ ଦୁଃଶାସନ ସହ ତୁଳନା କରିଛନ୍ତି।

ଗୁରୁବାର ଏହି ପଦଯାତ୍ରା ରାମଲୀଳା ମୈଦାନରୁ ଆରମ୍ଭ ହୋଇଥିଲା।

କୃଷକମାନଙ୍କର ଏହି ବିଶାଳ ପଦ୍ରଯାତ୍ରାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ୍ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ରାଜଧାନୀ ଦିଲ୍ଲୀରେ ଯେପରି ଯାତାୟତ ବାଧାପ୍ରାପ୍ତ ନହୁଏ ସେନେଇ ୩ ହଜାର ୫ଶହ ପୋଲିସକର୍ମୀ ମୁତୟନ ହୋଇଛନ୍ତି।

Comment