ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେଲଟର ହୋମରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି।

“ସେଲ୍‌ଟର୍ ହୋମରେ ନିରୀହ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଆଶ୍ରୟ ଦେବା ନାଁରେ ଚାଲିଥିଲା ଧର୍ମ ପରିବର୍ତ୍ତନ। ରାଜ୍ୟ ସରକାର କେମିତି ଏହା ଜାଣି ପାରିଲେ ନାହିଁ?” – ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ଏହି ସାଙ୍ଘାତିକ ଅଭିଯୋଗ କରିଛନ୍ତି।

ଢେଙ୍କାନାଳ ଜିଲ୍ଲା ବେଲଟିକରିଠାରେ ଗୋ ନ୍ୟୁଜ୍ ଇଣ୍ଡିଆ ପକ୍ଷରୁ ପରିଚାଳିତ ସେଲଟର ହୋମରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ବିଜେପିର ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇଥିଲେ। ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ବେଲଟିକରି ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି।

ସେଲଟର ହୋମରେ ଆଦିବାସୀ ପିଲାମାନଙ୍କୁ ଯେମିତି ନିର୍ଯାତନା ଦିଆଯାଉଥିଲା ତାହା ଦୁର୍ଭାଗ୍ୟଜନକ। ବେଲଟିକିରିଠାରେ ଏହି ବେଆଇନ ସେଲଟର୍ ହୋମ କେମିତି ଚାଲିଥିଲା? ରାଜ୍ୟ ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କର ଏଥିପ୍ରତି ପ୍ରୋତ୍ସାହନ ଥିଲା କି ବୋଲି ପ୍ରଭାତି ପ୍ରଶ୍ନ କରିଛନ୍ତି।

ପ୍ରଭାତି କହିଛନ୍ତି, “୨୦୧୧ ମସିହାରୁ ଏହି ସଂସ୍ଥା ଢେଙ୍କାନାଳଠାରେ ଏକ ଆଶ୍ରୟ ଗୃହ ଚଳାଇଥିଲା। ୨୦୧୭ ମସିହାରେ ସରକାର ଏହାକୁ ବେଆଇନ ଘୋଷଣା କରି ଅନ୍ତେବାସୀଙ୍କୁ ତାଙ୍କ ନିଜ ନିଜ ଘରକୁ ପଠାଇ ଦେଇଥିଲେ। ଗୁଡ଼୍ ନ୍ୟୁଜ ଇଣ୍ଡିଆର ସାରା ରାଜ୍ୟରେ ୨୬ଟି ସେଲଟର ହୋମ୍ ରହିଛି। ସେଲଟର୍ ହୋମ୍ ପରିଚାଳନା ନେଇ କଡ଼ା ନିୟମ କାନୁନ ଥିବାବେଳେ ରାଜ୍ୟସରକାରଙ୍କର କୋହଳ ନୀତି ଯୋଗୁଁ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।”

ଓଡ଼ିଶାର ଲୋକମାନେ ‘ସଟ୍ ଷ୍ଟେ ହୋମ’ର ଗୁମର ବୁଝିଲେଣି। ବିଜେପି ଏହାକୁ ଲୋକମାନଙ୍କୁ ଜଣାଇବା ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ। ରାଜ୍ୟର ସମସ୍ତ ସେଲଟର ହୋମରେ ସ୍ଥିତି କ’ଣ ରହିଛି ତାହା ତଦାରଖ କରିବା ପାଇଁ ବିଜେପି ପ୍ରତିନିଧି ଦଳ ବିଭିନ୍ନ ସ୍ଥାନକୁ ଗସ୍ତ କରିବ ବୋଲି ପ୍ରଭାତି ସୂଚନା ଦେଇଛନ୍ତି।

Comment