ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୧ ବିଶ୍ଵକପ୍‌ରେ ହିରୋ ସାଜିଥିଲେ ଏହି ଭାରତୀୟ ଓପନର୍ ବ୍ୟାଟ୍ସମ୍ୟାନ।

ଟିମ୍ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ନିଜ ଫେସବୁକ ଆକାଉଣ୍ଟରେ ଭାବୁକ ହୋଇ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି।

ସେ ଭିଡିଓ ସେୟାର କରି କହିଛନ୍ତି – ‘କଡ଼ା ନିଷ୍ପତ୍ତି ସର୍ବଦା ଦୁଃଖର ସହିତ ନିଆଯାଏ’।

୨୦୧୧ ଦିନିକିଆ କ୍ରିକେଟ ବିଶ୍ଵକପ୍ ବିଜେତା ଭାରତୀୟ ଦଳର ହିରୋ ରହିଥିବା ଗମ୍ଭୀର କ୍ୟାରିୟରରେ ୫୮ଟି ଟେଷ୍ଟ ଓ ୧୪୭ଟି ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି।

ଦୀର୍ଘଦିନ ଧରି ଦଳରୁ ବାହାରେ ଥିବା ଦିଲ୍ଲୀର ଏହି ଖେଳାଳି ୨୦୧୬ ନଭେମ୍ବରରେ ଭାରତ ପାଇଁ ଶେଷ ଟେଷ୍ଟ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ସେ ୨୦୧୧ ବିଶ୍ଵକପ୍ ଫାଇନାଲରେ ୯୭ ରନର ମହତ୍ଵପୂର୍ଣ୍ଣ ପାଳି ଖେଳିଥିଲେ ଏବଂ ବିଶ୍ଵକପ୍ ଜିତିବାରେ ବଡ଼ ଭୂମିକା ନିଭାଇଥିଲେ। ଭାରତୀୟ ଦଳ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କାକୁ ୬ ଓ୍ଵିକେଟରେ ମାତ୍ ଦେଇ ଦ୍ଵିତୀୟ ଥର ବିଶ୍ଵକପ୍ ଜିତିଥିଲା।

୩୭ ବର୍ଷୀୟ ଗମ୍ଭୀର ୫୮ଟି ଟେଷ୍ଟରୁ ୪୧୪୫ ରନ ଓ ୧୪୭ଟି ଦିନିକିଆରୁ ୫୨୩୮ ରନ କରିଛନ୍ତି। ଦିନିକିଆରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ଅପରାଜିତ ୧୫୦ ରନ। ୨୦୦୭ରୁ ୨୦୦୯ ମଧ୍ୟରେ ଗମ୍ଭୀର ସମସ୍ତ ଫର୍ମାଟରେ ଖେଳ ଜାରି ରଖିଥିଲେ। ୨୦୦୭ ଟି-୨୦ ବିଶ୍ୱକପରେ ଗମ୍ଭୀର ଭାରତୀୟ ଟିମରେ ସାମିଲ ଥିଲେ।

ପୂରା ଟୁର୍ଣ୍ଣାମେଣ୍ଟରେ ଗମ୍ଭୀର ସବୁଠୁ ଅଧିକ ରନ ସଂଗ୍ରହ କରିଥିଲେ। ଫାଇନାଲରେ ପାକିସ୍ତାନ ବିପକ୍ଷରେ ୫୪ ବଲରୁ ୭୫ ରନର ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ। ୨୦୦୮ରେ ମଧ୍ୟ ଗମ୍ଭୀର ସଫଳତା ଜାରି ରଖିଥିଲେ।

୨୦୦୯ ବର୍ଷ ଗମ୍ଭୀରଙ୍କ ଭଲ ରହିଥିଲା। ସେହି ବର୍ଷ ପ୍ରଥମ ବିଦେଶ ଗସ୍ତରେ ଯାଇ ଗମ୍ଭୀର ନ୍ୟୁଜିଲାଣ୍ଡ ବିପକ୍ଷରେ ଉତ୍ତମ ପ୍ରଦର୍ଶନ କରିଥିଲେ। ଯାହାଫଳରେ ଭାରତ ୪୧ ବର୍ଷ ପରେ ବିଦେଶରେ ନ୍ୟୁଜିଲାଣ୍ଡକୁ ହରାଇ ପାରିଥିଲା।

ସେହିପରି ଗମ୍ଭୀରଙ୍କ ଅଧିନାୟକତ୍ଵରେ କୋଲକାତା ନାଇଟ ରାଇଡର୍ସ ଦୁଇ ଥର ଆଇପିଏଲ ଟ୍ରଫି ଜିତିଛି। ୨୦୧୨ ଏବଂ ୨୦୧୪ରେ ସେ କେକେଆରକୁ ଚାମ୍ପିଅନ୍ କରାଇଥିଲେ।  ସେ ଗତ ୨୦୧୭ ଆଇପିଏଲ ସଂସ୍କରଣରେ ଦିଲ୍ଲୀ ଡେୟାର ଡେଭିଲ୍ସର ଅଧିନାୟକ ହୋଇଥିଲେ। ମାତ୍ର ସଂସ୍କରଣ ମଝିରୁ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ।

Comment