ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଲୋକସଭା ନିର୍ବାଚନ ପାଖେଇ ଆସୁଥିଲା ବେଳେ ଏବଂ ବିଭିନ୍ନ ଦଳ ପକ୍ଷରୁ ଏକାଧିକ ଫ୍ରଣ୍ଟ ଓ ମେଣ୍ଟ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଥିବା ଦୃଷ୍ଟିରୁ ଦିଲ୍ଲୀର ରାଜନୀତି ମହଲରେ ଗୋଟିଏ କଥା ସମସ୍ତେ ପ୍ରାୟ ମାନୁଛନ୍ତି ଯେ ୨୦୧୯ରେ ମେଣ୍ଟ ରାଜନୀତିର ଯୁଗ ଫେରିବା ନିଶ୍ଚିତ। ଅବଶ୍ୟ ଏ କଥା ସତ ଯେ ଭାରତର ରାଜନୀତିରେ ମେଣ୍ଟ ସରକାର କେବେ କୁଆଡ଼େ ଯାଇନାହିଁ ଓ ଏହା ବରାବର ରହିଆସିଛି।

ଦେଖିବାକୁ ଗଲେ ୧୯୯୬ ପରଠାରୁ କେନ୍ଦ୍ରରେ ସବୁ ସରକାର ମେଣ୍ଟ ସରକାର ହିଁ ହୋଇଆସିଛି। ଏଚ ଡି ଦେବେ ଗଉଡା ଓ ଆଇକେ ଗୁଜରାଲ ଦୁହେଁ ମେଣ୍ଟ ସରକାରର ନେତୃତ୍ୱ ନେଇଥିବା ବେଳେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଯେଉଁ ଏନଡିଏ ସରକାର ଗଠନ ହୋଇଥିଲା ସେଇଟି ବି ମେଣ୍ଟ ସରକାର ହିଁ ଥିଲା। ମନମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ୟୁପିଏ ସରକାରରେ ତ ସହଯୋଗୀ ଦଳମାନେ ଏକ ଏକ ତାରକା ପୁଞ୍ଜ ଭଳି ବ୍ୟବହାର କରିବାର ଦେଖାଯାଇଥିଲା। ଏପରିକି ବର୍ତ୍ତମାନ କେନ୍ଦ୍ରରେ ଯେଉଁ ଏନଡିଏ ସରକାର ଚାଲିଛି ସେଇଟି ବି ଗୋଟିଏ ମେଣ୍ଟ ସରକାର।

ବର୍ତ୍ତମାନର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୨୦୧୯ ନିର୍ବାଚନରେ ମେଣ୍ଟ ରାଜନୀତିର ଯୁଗ ଫେରିବ କି ଓ ଯଦି ଫେରେ କଣ ହେବ ରାଜନୀତି? ଏହାର ଉତ୍ତର, ହେଉଛି ହଁ। ପରବର୍ତ୍ତୀ ନିର୍ବାଚନ ପରେ କ୍ଷମତାର ସନ୍ତୁଳନ ବଦଳିବା ପୂରା ଦେଖାଯାଉଛି। ଯଦି ନିକଟ ଅତୀତର ଇତିହାସ ଉପରେ ଆଖି ପକାଯାଏ, ୨୦୧୯ରେ ନୀତି, ରାଜନୀତି ଓ କୂଟନୀତି ସବୁ ବଦଳିବାକୁ ଯାଉଛି।

କୁହାଯାଉଛି ୨୦୧୯ ସାଧାରଣ ନିର୍ବାଚନ ଏକ ଯୁଗାନ୍ତକାରୀ ଘଟଣା ହେବାକୁ ଯାଉଛି। ଅବଶ୍ୟ ଆଗରୁ କୌଣସି କଥା ନିର୍ଦିଷ୍ଟ ଭାବେ କହିବା କଷ୍ଟ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ସଙ୍କେତ ଦେଉଛି ଯେ ଏହି ନିର୍ବାଚନରେ  କୌଣସି ଦଳ ନିଜ ଗୋଡ଼ରେ ଠିଆ ହୋଇପାରିବେ ନାହିଁ। ଏଣୁ ଲୋକସଭା ନିର୍ବାଚନ ପରେ ମ୍ୟାଜିକ୍ ନମ୍ବର ୨୭୨ ହାସଲ କରିବା ପାଇଁ ହେଲେ ଛୋଟ ଛୋଟ ଦଳଙ୍କ ଉପରେ ନିର୍ଭର କରିବାକୁ ହିଁ ହେବ। ଅନ୍ୟ ଅର୍ଥରେ କେନ୍ଦ୍ରରେ କ୍ଷମତା ଆଉ କୌଣସି ବ୍ୟକ୍ତିବିଶେଷଙ୍କ ହାତରେ ଠୁଳ ନ ହୋଇ ସବୁ ଦଳ ନିଜ ନିଜ ଭିତରେ ଏହାକୁ ବାଣ୍ଟିବା ପାଇଁ ସୁଯୋଗ ପାଇବେ।

ତା’ ସତ୍ତ୍ୱେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ସାମ୍ନାକୁ ଆସିବା ପ୍ରାୟ ଦେଖାଯାଉଛି। ଫଳରେ ଏୟା ହେବ ଯେ ବର୍ତ୍ତମାନର ମେଣ୍ଟ ଦଳଙ୍କ ପାଖରେ ନେହୁରା ହେବା ସହ ନୂଆ ନୂଆ ଦଳକୁ ମଧ୍ୟ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଜେପି ଉଦ୍ୟମ କରିବ। ଯଦି ତାହା ହୁଏ କେନ୍ଦ୍ରରେ ଗୋଟିଏ ଦଳର କ୍ଷମତା ପରିସର ସଙ୍କୁଚିତ ହେବ,ସରକାରଙ୍କ ନୀତି ଓ ଆଦର୍ଶ ବଦଳିବ ଓ ଏପରିକି ନେତୃତ୍ୱ ମଧ୍ୟ ପରିବର୍ତ୍ତନ ହେବ। ଅନ୍ୟ ଭାବରେ କହିଲେ ୨୦୧୯ରେ ୧୯୯୮ ଓ ୨୦୦୪ର ପୁନରାବୃତ୍ତି ହେବ ଏଵଂ ବାଜପେୟୀଙ୍କ ସରକାର ପରି ସଂଖ୍ୟା ପାଇଁ ବିଜେପିକୁ ପର ହାତକୁ ଚାହିଁ କି ବସିବାକୁ ପଡ଼ିବ।

ଅନ୍ୟ ଏକ ଚିତ୍ର ହେଉଛି କଂଗ୍ରେସ ଏଥର ଢେର ଭଲ କରିବ ଓ ପାଖାପାଖି ୧୫୦ ଆସନ ଲାଭ କରିବ। ଯଦି ତାହା ହୁଏ ନେତୃତ୍ୱ ପାଇଁ କଂଗ୍ରେସ ଦାବି ଉଠାଇବ ଓ ଏକ ମେଣ୍ଟ ସରକାର ଗଠନ ସକାଶେ ଉଦ୍ୟମ କରିବ ଠିକ୍ ୟୁପିଏ-୧ ଭଳି। ଅପରପକ୍ଷରେ ଯଦି କଂଗ୍ରେସ ମାତ୍ର ୧୦୦ ବା ୧୨୦ ଆସନ ପାଇବ ତେବେ ଆଞ୍ଚଳିକ ଦଳ ଯଥା ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ତୃଣମୂଳ କଂଗ୍ରେସ, ତେଲେଙ୍ଗାନା ରାଷ୍ଟ୍ର ସମିତି, ତେଲୁଗୁ ଦେଶମ୍ ଓ ବିଜୁ ଜନତା ଦଳ ଭଳି ଦଳ କିଙ୍ଗମେକରର ଭୂମିକା ଗ୍ରହଣ କରିବେ। ଏହି ସ୍ଥିତିରେ ପ୍ରଧାନମନ୍ତ୍ରୀ ପଦ ଅଣ-କଂଗ୍ରେସ ଅଣ-ବିଜେପି ଦଳ ହାତକୁ ଯିବା ସୁନିଶ୍ଚିତ।

କଂଗ୍ରେସ ଏଥିରେ ରାଜି ହେବ କି ନା ତାହା ବି ଗୋଟିଏ ପ୍ରଶ୍ନ। ଯଦି କଂଗ୍ରେସ ବାହାରେ ରହି ସମର୍ଥନ କରିବ ତାହାହେଲେ ଧରିନିଅନ୍ତୁ ୧୯୯୬-୧୯୯୮ରେ ଯେଉଁ ସ୍ଥିତି ଥିଲା ତାହାର ରିପ୍ଲେ ହେବ। ଭିନ୍ନ ଭାବରେ କହିଲେ କେନ୍ଦ୍ରରେ ଜୁନ ମାସରେ ଯେଉଁ ମେଣ୍ଟ ସରକାର ଗଠନ ହେବ ତାହା ପ୍ରକୃତ ଅର୍ଥରେ ଗୋଟିଏ ମେଣ୍ଟ ସରକାର ହେବ।

ମୋଟାମୋଟି କହିବାକୁ ଗଲେ, ୨୦୧୯ରେ ଭାରତର ରାଜନୀତି ତାର ପୁରୁଣା ଢାଞ୍ଚାକୁ ଫେରିବା ଦେଖାଯାଉଛି – ଭଙ୍ଗା ଗଢ଼ା ରାଜନୀତି ଓ ରାଜନୈତିକ ଅସ୍ଥିରତା।

Comment