ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ଅମଣିଆ ଦୋକାନ ଶୁକ୍ରବାର ଦିନ ନିଲାମ ହୋଇଛି। ଏହି ଭୋଗ  ଦୋକାନକୁ ବାର୍ଷିକ ୧୩ ଲକ୍ଷ ୪୦ ହଜାର ୧୦୦ ଟଙ୍କାରେ ନିଲାମ ଦିଆଯାଇଛି।

ସୌରଚନ୍ଦ୍ର ସାହୁ ଚଳିତ ବର୍ଷ ମନ୍ଦିର ବେଢା ମଧ୍ୟରେ ଥିବା ଏହି ଦୋକାନର ନିଲାମ ନେଇଛନ୍ତି। ଏହି ଦରରେ ସୌରଚନ୍ଦ୍ର ଆସନ୍ତା ୩ ବର୍ଷ ପାଇଁ ଠାକୁରଙ୍କ ଅମଣିଆ ଦୋକାନ ଦାୟିତ୍ୱରେ ରହିବେ ବୋଲି ସ୍ଥିର କରିଛି ମନ୍ଦିର ଟ୍ରଷ୍ଟ ବୋର୍ଡ।

କେନ୍ଦ୍ରାପଡ଼ାର ବଳଦେବଜୀୟୁଙ୍କ ମନ୍ଦିର ବେଢ଼ା ମଧ୍ୟରେ ରହିଛି ଠାକୁରଙ୍କ ଅମଣିଆ ଦୋକାନ। ୩ ବର୍ଷ ପାଇଁ ଟ୍ରଷ୍ଟ ବୋର୍ଡ ଏହି ଭୋଗ ଦୋକାନକୁ ପରିଚାଳନା ପାଇଁ ଖୋଲା ନିଲାମ କରିଥାନ୍ତି। ଗତ ୩ ବର୍ଷ ଧରି ବିଶିଷ୍ଟ ଭୋଗ ବ୍ୟବସାୟୀ ସୌରଚନ୍ଦ୍ର ସାହୁ ଏହି ଭୋଗ ଦୋକାନର ନିଲାମ ନେଇଥିଲେ।

ଶ୍ରୀ ସାହୁଙ୍କୁ ମନ୍ଦିର ପାଣ୍ଠିକୁ ପ୍ରତିବର୍ଷ ୭ ଲକ୍ଷ ୮୬ ହଜାର ୧୦୦ ଟଙ୍କା ଦେବାକୁ ପଡୁଥିଲା। ଚଳିତ ବର୍ଷ ନିଲାମ ସମୟ ଶେଷ ହୋଇଥିବାରୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପୁନରାୟ ଠାକୁରଙ୍କର ଏହି ଭୋଗ ଦୋକାନକୁ ନିଲାମ ଦେଇଛନ୍ତି।

ଏହି ନିଲାମ ପ୍ରକ୍ରିୟାରେ ଶୁକ୍ରବାର ୭ ଜଣ ସାମିଲ ହୋଇଥିଲେ। ଶେଷ ପର୍ଯ୍ୟନ୍ତ ଦୁଇ ନିଲାମଧାରୀ ପ୍ରମୋଦ କର ଓ ସୌରଚନ୍ଦ୍ର ସାହୁ ନିଲାମ ପ୍ରକ୍ରିୟାରେ ରହିଥିଲେ। ପ୍ରମୋଦ ୧୩ ଲକ୍ଷ ୨୦ ହଜାର ନିଲାମ ଡାକିଥିବା ବେଳେ ସୌର ଆଉ ଅଧିକ ୨୦ ହଜାର ୧୦୦ ଟଙ୍କା ନିଲାମ ଡାକିଥିଲେ। ପ୍ରମୋଦ ଆଉ ଅଧିକ ଟଙ୍କା ନବଢ଼ାଇ ପାରିବାରୁ ସୌରଚନ୍ଦ୍ର ସାହୁଙ୍କ ନାମରେ ନିଲାମ ସାବ୍ୟସ୍ତ ହୋଇଥିଲା।

ବଳଦେବଜୀୟୁଙ୍କ ବେଢ଼ାରେ ଥିବା ଏହି ଭୋଗ ଦୋକାନରେ ରସାବଳି, ପୋଟଳିପିଠା, ଖଜା, କରଞ୍ଜି, ଲଡୁ, ମଗଜଲଡୁ, ସନ୍ଦେଶ, କୋରା, ଖଇ ଉଖୁଡା ଆଦି ସୁଆଦିଆ ଭୋଗ ପ୍ରସ୍ତୁତ କରାଯାଏ।

ମହାପ୍ରଭୁଙ୍କ ନିଟରେ ଭୋଗ ଲାଗି କରିବାକୁ ଆସିଥିବା ଭକ୍ତମାନେ ମନ୍ଦିର ବେଢା ମଧ୍ୟରେ ରହିଥିବା କେବଳ ଏହି ଦୋକାନରୁ ଭୋଗ କିଣିଥାନ୍ତି। ରସାବଳି ପ୍ରସ୍ତୁତିରେ କେବଳ ଓମଫେଡ ଘିଅର ବ୍ୟବହାର ଉପରେ ଟ୍ରଷ୍ଟ ବୋର୍ଡ ନିଲାମଧାରୀଙ୍କ ଉପରେ ସର୍ତ୍ତ ରଖିଛନ୍ତି ବୋଲି ଟ୍ରଷ୍ଟ ବୋର୍ଡର ସଦସ୍ୟ ଧୀରେନ କୁମାର ସାହୁ ସୂଚନା ଦେଇଛନ୍ତି।

ଏହି ନିଲାମ ପ୍ରକ୍ରିୟାରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବୋର୍ଡ ସଦସ୍ୟ ବଳରାମ ସୁଆର, ରଞ୍ଜନ କୁମାର ପୃଷ୍ଟି, ଯଯାତିକେଶରୀ ମହାନ୍ତି, ଦେବୋତ୍ତର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Comment