ଓଡ଼ିଶାଲାଇଭ ବ୍ୟୁରୋ

ଫାଇଲ ଫଟୋ

ବଜେଟ ଉପସ୍ଥାପନ ପୂର୍ବରୁ ସମସ୍ତ ଅଧିକାରୀ ଖାଇଥାନ୍ତି ମିଠା। ଜାଣନ୍ତୁ ବଜେଟ ସହ ମିଠାର କ’ଣ ରହିଛି ମହତ୍ତ୍ୱ?

ନରେନ୍ଦ୍ର ମୋଦିଙ୍କ ସରକାର ଖୁବଶୀଘ୍ର ନିଜ କାର୍ଯ୍ୟକାଳର ଶେଷ ବଜେଟ ଦେଶବାସୀଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ ପାଇଁ ଅର୍ଥନୀତିଜ୍ଞ, ଅଫିସରମାନେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ପ୍ରତିବର୍ଷ ବଜେଟ ଘୋଷଣା ହେବା ପୂର୍ବରୁ ମିଠା ଖାଇବାର ଏକ ପରମ୍ପରା ପାଳନ କରାଯାଇଥାଏ। ଏହା ପରେ ଅଧିକାରୀମାନେ ବଜେଟ ନେଇ କାମ କରିବା ଆରମ୍ଭ କରିଦିଅନ୍ତି।

ଏହି ପରମ୍ପରା ଅନୁସାରେ ଅର୍ଥମନ୍ତ୍ରୀ ମିଠା ନିଜେ ତିଆରି କରିଥାନ୍ତି। ନିଜ ବିଭାଗରେ ଥିବା ଅଧିକାରୀଙ୍କୁ ବାଣ୍ଟିଥାନ୍ତି। ଏହି ପରମ୍ପରା ପଛରେ ଅନେକ କାହାଣୀ ଓ ବିଶ୍ୱାସ ରହିଛି ଯାହାକୁ ପ୍ରତିବର୍ଷ ପାଳନ କରାଯାଇଆସୁଛି।

ଜାଣନ୍ତୁ କ’ଣ ଏହି ମିଠା ଖାଇବା ପରମ୍ପରା

ପ୍ରତି ବର୍ଷ ବଜେଟ ଉପସ୍ଥାପନ ପୂର୍ବରୁ ମିଠା ଖାଇବାର ପରମ୍ପରା ପାଳନ କରାଯାଇଥାଏ। ଭାରତୀୟମାନଙ୍କର ବିଶ୍ୱାସ ରହିଛି ଯେ କୌଣସି ଶୁଭ କାମ ପୂର୍ବରୁ କିଛି ମିଠା ଖାଇବା ଦରକାର, ଏହା ସହିତ ଭାରତୀୟ ପରମ୍ପରାରେ ମିଠାକୁ ଶୁଭ ବୋଲି କୁହାଯାଇଥାଏ। ଏହି ମିଠା ପ୍ରସ୍ତୁତ ହୋଇ ସମସ୍ତେ ଖାଇବା ପରେ ହିଁ ବଜେଟ ସମ୍ବନ୍ଧୀୟ କାଗଜପତ୍ରକୁ ଛପାଇବା ଲାଗି ପ୍ରେସକୁ ପଠାଯାଇଥାଏ।

ବଜେଟ ସମ୍ବନ୍ଧୀୟ କାଗଜପତ୍ରକୁ ଛାପିବା ଲାଗି ପ୍ରକ୍ରିୟା ଆରମ୍ଭଠୁ ନେଇ ସଂସଦରେ ଉପସ୍ଥାପନ ଯାଏଁ କାମ କରୁଥିବା ଅଧିକାରୀଙ୍କ ଲାଗି ବି କିଛି ନିୟମ ଥାଏ। ଏହି ଅଧିକାରୀଙ୍କୁ ଉକ୍ତ ସମୟ ମଧ୍ୟରରେ କାହା ସହ ସମ୍ପର୍କ ରଖିବାକୁ ଦିଆଯାଇ ନଥାଏ। ଏମିତି କି ନର୍ଥ ବ୍ଲକ ବେସମେଣ୍ଟରେ ଛପାଯାଉଥିବା ପ୍ରେସରେ କିଛିଦିନ ଲାଗି ପାଖାପାଖି ଅର୍ଥ ମନ୍ତ୍ରାଳୟର ୧୦୦ଜଣ କର୍ମଚାରୀଙ୍କୁ ରଖାଯାଇଥାଏ। ଏମିତିକି ଏହି ସମୟରେ ଏମାନଙ୍କୁ ଫୋନ କରିବାକୁ ବି ଅନୁମତି ଦିଆଯାଇନଥାଏ ଏବଂ ଏହି ଅଧିକାରୀ ମାନଙ୍କୁ କେହି ଦେଖା କରିପାରନ୍ତି ନାହିଁ।

ବଜେଟର ଦସ୍ତାବିଜ୍‌ ଛାପିବାଠୁ ଆରମ୍ଭ କରି ସଂସଦରେ ଉପସ୍ଥାପନ ପର୍ଯ୍ୟନ୍ତ କାମ କରୁଥିବା ଅଧିକାରୀଙ୍କୁ ସେହି ସମୟରେ ସେମାନଙ୍କ ପରିବାର ସହିତ ବି ଦେଖାକରିବାକୁ ଅନୁମତି ନଥାଏ। ନର୍ଥ ବ୍ଲକର ବେସମେଣ୍ଟରେ ଥିବା ପ୍ରେସରେ ଏହି ଅଧିକାରୀମାନେ ଏକ ପ୍ରକାର ଚାବିରେ ରହିବା ପରି ରହିଥାନ୍ତି।

Comment