ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ରଣବୀର ସିଂହଙ୍କ ଫିଲ୍ମ ‘ସିମ୍ବା’ ଧମାଲ ମଚାଇ ବକ୍ସ ଅଫିସରେ ଭଲ ଆୟ କରୁଛି। ସିମ୍ବାର ସଫଳତା ପରେ ଇତି ମଧ୍ୟରେ ରଣବୀରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଗଲି ବୟ’ର ଟିଜର ରିଲିଜ ହୋଇଛି। ଶୁକ୍ରବାର ଗଲି ବୟର ଟିଜର ରିଲିଜ ହେବା ପରେ ଦର୍ଶକ ଏହାକୁ ବହୁତ ପସନ୍ଦ କରିଛନ୍ତି। ନୂଆ ବର୍ଷରେ ‘ଗଲି ବୟ’ପୋଷ୍ଟରରେ ରଣବୀରଙ୍କ ଫାଷ୍ଟ ଲୁକ ସୋସିଆଲ ମିଡିଆରେ ଜାରି ହୋଇଥିଲା।

ଶୁକ୍ରବାର ‘ଗଲି ବୟ’ର ଟିଜର ରିଲିଜ ହେବା ସହ ଟ୍ରେଲର ରିଲିଜର ତାରିଖ ମଧ୍ୟ ଜଣା ପଡ଼ିଛି। ୯ ଜାନୁଆରୀରେ ‘ଗଲି ବୟ’ର ଟ୍ରେଲର ରିଲିଜ ହେବ। ଏହି ଫିଲ୍ମ ମୁମ୍ବାଇର ମଲିନ ବସ୍ତିରେ ରହୁଥିବା ଏକ ସାଧାରଣ ମୁସଲିମ୍‌ ପିଲାର କାହାଣୀ ଉପରେ ଆଧାରିତ। ପିଲାଟି ଆର୍ଥିକ ଅନାଟନରେ ବଢ଼ି ବିଭିନ୍ନ କଷ୍ଟ ସହି ଶେଷରେ ନିଜ ଜୀବନରେ ସଫଳତା ଛୁଇଁ ପାରିଛି। ଏହି ପିଲାର ଭୂମିକାରେ ଦର୍ଶକ ରଣବୀରଙ୍କୁ ଦେଖିବେ।

‘ଗଲି ବୟ’ ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ ଆଲିଆ ଭଟ୍ଟ। ଏହା ବ୍ୟତିତ ଫିଲ୍ମରେ ଅଭିନେତ୍ରୀ କଲ୍‌କୀ କୋଚ୍‌ଲିନଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ନିର୍ଦ୍ଦେଶକ ଜୋୟା ଅଖ୍‌ତାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫେବୃଆରୀ ୧୪, ଭାଲେଣ୍ଟାଇନ ଡେ’ରେ ଫିଲ୍ମ ‘ଗଲି ବୟ’ ରିଲିଜ୍‌ ହେବ।

‘ଗଲି ବୟ’ରେ ରଣବୀର ସିଂହ ଭୂମିକାକୁ ନେଇ ବଡ଼ ଖୁଲାସା ହୋଇଛି। ସୋସିଆଲ ମିଡିଆରେ ଫିଲ୍ମ ‘ଗଲି ବୟ’ ହଲିଉଡ ଫିଲ୍ମ ‘ଏଇଟ ମାଇଲ’ର ଡବିଂ ବୋଲି ଚର୍ଚ୍ଚା ହେଉଛି। ହଲିଉଡ ସିଙ୍ଗର ତଥା ରାପର ଏମିନେମଙ୍କ ଫିଲ୍ମ ‘ଏଇଟ ମାଇଲ’। ‘ଗଲି ବୟ’ ଟିଜରରେ ରଣବୀର ଯେପରି ରାପ କରିବାର ଦେଖା ଯାଉଛି, ଏହା ବିଶ୍ୱ ପ୍ରସିଦ୍ଧ ସିଙ୍ଗର ତଥା ରାପର ଏମିନେମଙ୍କ ସହ ମେଳ ଖାଉଛି।

ଏପଟେ ଡିସେମ୍ବର ୨୮ରେ ରଣବୀର ସିଂହଙ୍କ ରିଲିଜ ହୋଇଥିବା ସିମ୍ବା ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ହିଟ୍‌ ହୋଇଛି। ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇ ରୋହିତ ସେଟ୍ଟିଙ୍କ ପାଇଁ ନୂଆ ଇତିହାସ ରଚିଛି। ଏହି ଫିଲ୍ମରେ ରଣବୀର ସିଂହଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Comment