କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିବା ଭିତରକନିକା ମଙ୍ଗଳବାଠାରୁ ଖୋଲିବ।

ଭିତରକନିକା ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି। ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଚଳିତ ବର୍ଷ ୪୪ଟି କୁମ୍ଭୀର ବଢ଼ିଥିବାରୁ ମୋଟ କୁମ୍ଭୀର ସଂଖ୍ୟା ୧୭୪୨ରେ ପହଞ୍ଚିଛି। ଏପଟେ ଧଳା କୁମ୍ଭୀରଙ୍କ ସଂଖ୍ୟା ୧୨ରେ ପହଞ୍ଚିଥିବା ଜଣାପଡ଼ିଛି।

ଗତବର୍ଷ କୁମ୍ଭୀରଙ୍କ ସଂଖ୍ୟା ରହିଥିଲା ୧୬୯୮। ଚଳିତ ବର୍ଷ କୁମ୍ଭୀର ଗଣନା ଆଜି ଶେଷ ହୋଇଥିବାରୁ ବନ ବିଭାଗ ତାଲିକା ପ୍ରକାଶ କରିଛି। ବନ ବିଭାଗର ତାଲିକା ଅନୁସାରେ ଭିତରକନିକାରେ ୧୨୩୯ଟି ଛୋଟ କୁମ୍ଭୀର ଥିବା ବେଳେ ୧୭୮ଟି ସବ୍ ଆଡଲ୍ଟ ଓ ୩୨୫ଟି ଆଡଲ୍ଟ କୁମ୍ଭୀର ଅଛନ୍ତି। ସେଥି ମଧ୍ୟରୁ ୨୧ଟିର ଲମ୍ବ ୧୪ରୁ ୧୬ ଫୁଟ।

୧୩ଟିର ଲମ୍ବ ୧୬ରୁ ୧୮ ଫୁଟ । ୯ଟିର ଲମ୍ବ ୧୮ରୁ ୨୦ ଫୁଟ। ୨୦ରୁ ୨୩ ଫୁଟ ଲମ୍ବର କୁମ୍ଭୀରଙ୍କ ସଂଖ୍ୟା ରହିଛି ୪ଟି। ଏହି ୪ଟି କୁମ୍ଭୀର ମଧ୍ୟରେ ରହିଛନ୍ତି ବିଶ୍ୱର ସବୁଠାରୁ ବଡ଼ କୁମ୍ଭୀର। ଏହା ଗିନିସ ବୁକ୍ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି।

ଏହାଛଡା ଭିତରକନିକାରେ ଦେଖା ଯାଆନ୍ତି ଶଙ୍କୁଆ ବା ଧଳା ପ୍ରଜାତିର କୁମ୍ଭୀର। ଚଳିତ ବର୍ଷ ଗଣନାରେ ଏମାନଙ୍କ ସଂଖ୍ୟା ୧୨ରେ ପହଞ୍ଚିଥିବା ଜଣାପଡ଼ିଛି। ଭିତରକନିକାର ପୋଷା କୁମ୍ଭୀର ଗୋରୀ ଏହି ପ୍ରଜାତିର ଧଳା କୁମ୍ଭୀରମାନଙ୍କ ମଧ୍ୟରେ ଅନ୍ୟତମ।

ବଉଳା କୁମ୍ଭୀରମାନଙ୍କ ଅନ୍ତୁଡ଼ି ଶାଳ ଭାବରେ ସାରା ବିଶ୍ୱରେ ଖ୍ୟାତି ଲାଭ କରିଛି ଭିତରକନିକା। ଭିତରକନିକାର ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟ ସାରା ବି୍ଶ୍ୱରେ ଅନନ୍ୟ ପରିଚୟ ସୃଷ୍ଟି କରିଛି।  ୧୯୭୪ ମସିହାରେ ସ୍କଟଲାଣ୍ଡର ବିଶିଷ୍ଟ ସାମୁଦ୍ରିକ ପ୍ରାଣୀ ବିଜ୍ଞାନୀ ଡକ୍ଟର ଏଚ୍ ଆର ବଷ୍ଟାର୍ଡ ତତ୍କାଳିନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଆମନ୍ତ୍ରଣରେ ବିରଳପ୍ରାଣୀମାନଙ୍କ ସୁରକ୍ଷା ପାଇଁ ଭାରତ ଆସିଥିଲେ। ଭାରତରେ ଡକ୍ଟର ବଷ୍ଟାର୍ଡଙ୍କ ଉଦ୍ୟମ ଓ UNDPର ଆର୍ଥିକ ସହାୟତାରେ ଭାରତରେ ୩୪ଟି ପ୍ରକଳ୍ପ ନିର୍ମାଣ ହୋଇଥିଲା। ସେଥି ମଧ୍ୟରୁ ଭିତରକନିକାର ଡାଙ୍ଗମାଳ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ଥିଲା ଏକ ସ୍ୱତନ୍ତ୍ର ପ୍ରକଳ୍ପ।

ସେତେବେଳେ ଡକ୍ଟର ବଷ୍ଟାର୍ଡ ଭାରତର ବଛାବଛା  ସାମୁଦ୍ରିକ ପ୍ରାଣୀ ବିଜ୍ଞାନୀମାନଙ୍କୁ ଆଣି ଡାଙ୍ଗମାଳରେ ରଖି ଜଙ୍ଗଲ ମଧ୍ୟରୁ କୁମ୍ଭୀରମାନଙ୍କ ଅଣ୍ଡାଗୁଡ଼ିକୁ ସଂଗ୍ରହ କରି କୃତ୍ରିମ ବସା ନିର୍ମାଣ କରି ସେଥିରୁ ଛୁଆ ବାହାର କରୁଥିଲେ। ସେହି କୁମ୍ଭୀର ଛୁଆଗୁଡ଼ିକୁ ଏକ ହାଚେରିରେ ରଖାଯାଇ ସେମାନଙ୍କ ଲମ୍ବ ୩ ଫୁଟ ହୋଇଗଲେ ସେମାନଙ୍କୁ ବାହାରେ ଛାଡ଼ି ଦିଆଯାଉଥିଲା। ସେତେବେଳେ କମ୍ ସଂଖ୍ୟାରେ ଥିବା ଏହି ବଉଳା କୁମ୍ଭୀରଙ୍କ ସଂଖ୍ୟା ଏବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଭିତରକନିକାର ଲୁଣା ଓ ମିଠା ମିଶା ପାଣି ଏହି କୁମ୍ଭୀରମାନଙ୍କ ରହିବା ପାଇଁ ଉପଯୁକ୍ତ। ତାଛଡ଼ା ଭିତରକନିକା ଅଭୟାରଣ୍ୟ ଏକ ନିସିଦ୍ଧାଞ୍ଚଳ ହୋଇଥିବାରୁ ଏଠାରେ ଶିକାର କରିବା ଏବଂ ମାଛଧରିବା ଉପରେ କଟକଣା ରହିଛି। ଫଳରେ ମାଛ କଙ୍କଡ଼ାମାନଙ୍କର ବଂଶ ବୃଦ୍ଧି ହୋଇଥାଏ।

ଭିତରକନିକାର ଲୁଣା ଜଙ୍ଗଲ ମଧ୍ୟରେ ରହିଥିବା ଜୁଆରିଆ ବହୁ ନାଳମାନଙ୍କରେ କୁମ୍ଭୀରମାନେ ନିରାପଦରେ ବିଚରଣ କରି ପ୍ରଚୁର ମାଛ କଙ୍କଡାକୁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି । ତେଣୁ ବଉଳା କୁମ୍ଭୀରମାନେ ଭିତରକନିକାକୁ ସେମାନଙ୍କର ନିରାପଦ ସ୍ଥାନ ଭାବେ ବାଛି ନେଇଛନ୍ତି।

ପ୍ରତିବର୍ଷ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇବା ପ୍ରକୃତିପ୍ରେମୀଙ୍କ ପାଇଁ ଶୁଭ ସୂଚନା। କିନ୍ତୁ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜଙ୍ଗଲ ପାଖ ଓ ନଦୀ କୁଳିଆ ଲୋକେ ଆତଙ୍କିତ।

ଏବେ ଭିତରକନିକା ମଧ୍ୟକୁ ସଂଯୁକ୍ତ କରୁଥିବା ନଦୀ ମାନଙ୍କରେ କୁମ୍ଭୀରମାନେ ବିଚରଣ କରିବା ଆରମ୍ଭ କରିଦେଇଛନ୍ତି। ଏପରିକି ବନାଞ୍ଚଳ ମଧ୍ୟରେ ଥିବା ଗାଁ ଗଣ୍ଡାର ଗଡ଼ିଆ ପୋଖରୀରେ ପ୍ରବେଶ କରି ଏହି କୁମ୍ଭୀରମାନେ ମଧ୍ୟ ରହି ଯାଉଛନ୍ତି। ଗଡ଼ିଆ ପୋଖରୀରେ ଥିବା ମାଛ ଖାଇ ବଢୁଛନ୍ତି। ଅନେକ ସମୟରେ ସୁଯୋଗ ପାଇଲେ ଗାଇଗୋରୁ, ଛେଳି ମେଣ୍ଢା ମାନଙ୍କୁ ଶିକାର କରିବା ସହିତ ମଣିଷମାନଙ୍କୁ ଶିକାର କରୁଥିବାରୁ ଆଖପାଖ ଗାଁ ଓ ନଦୀ କୁଳିଆ ଲୋକେ ଭୟ ଓ ଆତଙ୍କରେ ରହିଛନ୍ତି।

Comment