ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ମୋଦି ସରକାରଙ୍କ ବିରୋଧରେ ମହାମେଳି। କୋଲକାତାରେ ଏକାଠି ହେଲେ ୨୦ରୁ ଅଧିକ ବିରୋଧୀ ଦଳର ନେତା।

“ପାଣିପାଗ ବଦଳୁଛି। ଆକାଶରେ ବାଦଲର ଗତିପଥ ମଧ୍ୟ ବଦଳୁଛି। ତେବେ ବିଜେପି ସରକାର କାହିଁକି ବଦଳିବନି?”, କୋଲକାତାରେ ଅନୁଷ୍ଠିତ ମୋଦି ବିରୋଧୀ ମହାମେଳିରେ ଏହା କହିଛନ୍ତି ମମତା ବାନାର୍ଜୀ।

୨୦୧୯ ନିର୍ବାଚନ ପୂର୍ବରୁ କୋଲକାତାରେ ଆଜି ଏକାଠି ହୋଇଥିଲେ ମୋଦି ବିରୋଧୀ ରାଜନୈତିକ ଦଳର ନେତା। ୨୩ରୁ ଅଧିକ ଦଳର ନେତା ଏକାଠି ହୋଇ ମୋଦିଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ। ୨୦୧୯ ନିର୍ବାଚନରେ ମୋଦି ସରକାରକୁ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ୱାନ ଦେଇଥିଲେ।

ମମତା ବାନାର୍ଜୀ କହିଥିଲେ, “ଭୋଟ ପାଇଁ ବିଜେପି ଯେତେ ମିଠା କଥା କହୁଛି କହୁ। କିନ୍ତୁ ବିଜେପି ପାଇଁ ଆଉ ଭଲଦିନ ଆସିବ ନାହିଁ। ଲୋକେ ମୋଦିଙ୍କୁ ଠିକଣା ଜବାବ ଦେବେ। ଆମ ପାଇଁ ଗୋଟିଏ ଭୋଟ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଦେଶର ସୁରକ୍ଷା ହେଉଛି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।”

କୋଲକାତାର ବ୍ରିଗେଡ ପଡ଼ିଆରେ ଆୟୋଜିତ ମହାରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଫାରୁକ ଅବଦୁଲ୍ଲା, ଉମର ଅବଦୁଲ୍ଲା, ବାବୁଲାଲ ମାରାଣ୍ଡି, ବହୁଜନ ସମାଜବାଦୀ ପାର୍ଟିର ନେତା ସତୀଶ ମିଶ୍ରା, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ସାମିଲ ହୋଇ ମୋଦିଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ।

ମମତା ଆହୁରି କହିଥିଲେ, “ଆମ ପାଖରେ ନେତାଙ୍କ ଅଭାବ ନାହିଁ। ଆମ ଦଳରେ ପ୍ରତ୍ୟେକ କର୍ମୀ ହିଁ ହେଉଛନ୍ତି ନେତା। ମୋଦି ସରକାର ସବୁ ସଂସ୍ଥାକୁ ବରବାଦ କରିଦେଇଛନ୍ତି। ଲାଲୁ ଯାଦବ, ମାୟାବତୀ ଏବଂ ଅଖିଳେଶ ଯାଦବ ହେଉଛନ୍ତି ଏହାର ଉଦାହରଣ। ଏଣୁ ମୋଦିଙ୍କୁ କଡ଼ା ଜବାବ ଦେବା ପାଇଁ ସବୁ ବିରୋଧୀଙ୍କୁ ଏକାଠି ହେବାକୁ ପଡ଼ିବ।”

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ, ଇଡିକୁ ମଧ୍ୟ ବରବାଦ କରିଦେଇଛନ୍ତି। ଏଣୁ ବିଜେପି ସରକାରକୁ ୨୦୧୯ରେ ବଦଳାଇବାକୁ ପଡ଼ିବ ବୋଲି ମମତା କହିଛନ୍ତି।

ନିକଟରେ ଉତ୍ତରପ୍ରଦେଶରେ ବିଜେପି ବିରୋଧରେ ଏକାଠି ହୋଇଛନ୍ତି ଅଖିଳେଶ ଏବଂ ମାୟାବତୀ। ଏବେ କୋଲକାତାରେ ମମତାଙ୍କ ମହାରାଲି ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ମୋଦିଙ୍କ ବିରୋଧରେ ଅସଲ ମହାମେଣ୍ଟ ଶୁଭାରମ୍ଭ ହେଲା ବୋଲି ଚର୍ଚ୍ଚା ହେଉଛି।

Comment