ଓଡ଼ିଶାଲାଇଭ୍‌ ବ୍ୟୁରୋ

କରଞ୍ଜିଆରେ ବିଶ୍ୱବନ୍ଧୁ ସେବକ ସଂଘ ସେବା ଆଶ୍ରମର ପାଚେରି ଭାଙ୍ଗି ପଶିଲେ ହାତୀପଲ।

ମୟୂରଭଞ୍ଜ କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ କୁରୁଳିଆ ଗ୍ରାମସ୍ଥିତ ବିଶ୍ୱବନ୍ଧୁ ସେବକ ସଂଘ ସେବା ଆଶ୍ରମର ପାଚେରି ଭାଙ୍ଗି ହାତୀପଲ ଭିତରେ ପଶିଛନ୍ତି। ମଙ୍ଗଳବାର ଭୋର୍ ୩ଟା ସମୟରେ ପ୍ରାୟ ୨୨ଟି ହାତୀ ପଶି ସେବାଶ୍ରମର ଦୁଇଟି ପାଚେରୀ ଓ ଗୋଟିଏ ଗେଟ୍ ଭାଙ୍ଗିବା ପରେ ରୋଷେଇ ଘରର ଅସବାବ ପତ୍ର ମଧ୍ୟ ଭାଙ୍ଗି ଦେଇଥିଲେ। ତା’ ପରେ ଷ୍ଟୋର୍ ରୁମ୍‌ର ବଡ଼ ବାକ୍ସ ଭାଙ୍ଗି ୧୨ ବସ୍ତା ଚାଉଳ ଓ ୨ ବସ୍ତା ଚୂଡ଼ା ମୁଢ଼ି ଖାଇଦେବା ସହିତ ଅନେକ ଜିନିଷ ନଷ୍ଟ କରି ଦେଇଥିଲେ।

ଏଥିରେ ଆଶ୍ରମରେ ଥିବା ୨୬ ଜଣ ଅନ୍ତେବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି !!!

ଏହାସହ ହାତୀ ପଲ ପାଖ କୁରୁଳିଆ ଗାଁର କିଛି ଲୋକଙ୍କ ଘରେ ପଶି ଧାନ ମଧ୍ୟ ଖାଇଥିଲେ ଓ ଗୋଟିଏ ଦୋକାନ ଘର ମଧ୍ୟ ଭାଙ୍ଗି ଦେଇଥିଲେ। ତା’ ସହିତ ସେବାଶ୍ରମର ବାକ୍ସରେ ଥିବା ୫୫୦୦ଟଙ୍କା ମଧ୍ୟ ସାଙ୍ଗରେ ଖାଇଦେଇଥିବାର ଜଣାଯାଇଛି। ତେବେ ଏଥିରେ କୌଣସି ଜନ ଜୀବନ ହାନୀ ହୋଇ ନ ଥିବାର ଜଣାଯାଇଛି।

ତେବେ ନିକଟରେ ହାତୀ ବାରି ଡ୍ୟାମ୍ ନିମନ୍ତେ ଖନନ ହେଉଥିବା ବଡ଼ ବଡ଼ ଡ୍ରେନେଜ ପାଇଁ ହାତୀମାନେ ତାଙ୍କର ନିତିଦିନିଆ ଚଲାପଥକୁ ବଦଳାଇ ନୂଆ ରାସ୍ତା ବାହାର କରିଥିବାରୁ ଆଖପାଖ ଗାଁର ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ସର୍ବସାଧାରଣଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛନ୍ତି।

Comment