ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏନଡିଆର୍‌ଏଫ୍ ଅଷ୍ଟମ ବାଟାଲିଅନ ପାଇଲା ପ୍ରଥମ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନୂଆ ପୁରସ୍କାର ଘୋଷଣା କରିଛନ୍ତି। ଏହି ପୁରସ୍କାରର ନାଁ ରଖାଯାଇଛି ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର।

ପ୍ରତିବର୍ଷ ଜାନୁଆରି ୨୩ରେ ନେତାଜୀ ଜୟନ୍ତୀ ପାଳନ ଅବସରରେ ଏହି ପୁରସ୍କାର ଘୋଷଣା କରାଯିବ। ଆଜି ନେତାଜୀ ଜୟନ୍ତୀ ପାଳନ ଅବସରରେ ପ୍ରଥମ ପୁରସ୍କାର ପାଇଛନ୍ତି ଏନଡିଆର୍‌ଏଫ୍ ଅଷ୍ଟମ ବାଟାଲିଅନ। ପୁରସ୍କାର ବାବଦରେ ଏକ ପ୍ରମାଣପତ୍ର ଏବଂ ୫୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ କାଳରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷ ସ୍ୱେଚ୍ଛାକୃତ ଭାବେ ନେପଥ୍ୟରେ ଅଶେଷ ଉଲ୍ଲେଖନୀୟ କାର୍ଯ୍ୟ କରିଥାନ୍ତି। ଏହା ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ତଥା ପ୍ରଭାବିତ ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ପ୍ରଶମନ କରିବାରେ ଅନେକ ମାତ୍ରାରେ ସହାୟକ ହୋଇଥାଏ।

ଏଭଳି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ନିଃସ୍ୱାର୍ଥପର ସେବା ପ୍ରତି ଅନବଦ୍ୟ ଅବଦାନ ଅନେକ ସମୟରେ ଲୋକଲୋଚନକୁ ଆସିନଥାଏ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଃସ୍ୱାର୍ଥପର ସେବା କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଲାଗି ରାଷ୍ଟ୍ରୀୟ ପୁରସ୍କାର ଗଠନ ସକାଶେ ପରାମର୍ଶ ଦେଇଥିଲେ।

୨୦୧୯ ମସିହାର ପ୍ରଥମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଲାଗି ୧୯ ଡିସେମ୍ବର ୨୦୧୮ରୁ ପ୍ରଚାର କାର୍ଯ୍ୟ ଚାଲିବା ସହ ନାମାଙ୍କନ ଦାଖଲ ପାଇଁ ଆହ୍ୱାନ କରାଯାଇଥିଲା। ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା ୭ ଜାନୁଆରି। ଏହି ସମୟ ଭିତରେ ପୁରସ୍କାର ଲାଗି ବିପୁଳ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହେବା ସହ ୩୦୦ ନାମାଙ୍କନ ମିଳିଥିଲା।

Comment