ଓଡ଼ିଶାଲାଇଭ୍‌ ଏଣ୍ଟଟେନ୍‌ମେଣ୍ଟ ବ୍ୟୁରୋ

‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ’ ଫିଲ୍ମ ରିଲିଜ ହେବାର ଦୁଇ ସପ୍ତାହ ପୁରିଲାଣି। ଫିଲ୍ମ ରିଲିଜର ୧୩ ଦିନରେ ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି ଉରି। ଉରି ହେଉଛି ୨୦୧୯ର ପ୍ରଥମ ଫିଲ୍ମ ଯାହାକି ୧୦୦କୋଟି କ୍ଲବରେ ସାମିଲ ହୋଇଛି।

ବକ୍ସ ଅଫିସ ଇଣ୍ଡିଆ ମୁତାବିକ, ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ’ ଫିଲ୍ମ ମଙ୍ଗଳବାର ପର୍ଯ୍ୟନ୍ତ ୧୨୨.୨୪ କୋଟି ଟଙ୍କାର ବ୍ୟବସାୟ କରିସାରିଛି। ବୁଧବାର ଏହି ଫିଲ୍ମ ୬କୋଟି ଟଙ୍କା ଆୟ କରିଥିବା ବେଳେ ରିଲିଜର ୧୩ ଦିନରେ ଏହି ଫିଲ୍ମ ମୋଟ ୧୨୮.୫୯ କୋଟି ଟଙ୍କାର ବ୍ୟବସାୟ କରିଛି।

‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ’ ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଅଭିନେତା ବିକି କୌଶଳ। ବିକିଙ୍କ ବ୍ୟତୀତ ଫିଲ୍ମରେ ପରେଶ ରାୱଲ, ଅଭିନେତ୍ରୀ ୟମି ଗୌତମ, କ୍ରିତି କୁଲ୍‌ହାରି ପ୍ରମୁଖ ଅଭିନୟ କରିଛନ୍ତି। ନିର୍ଦ୍ଦେଶକ ଆଦିତ୍ୟ ଧର ଏହି ପିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ୨୫କୋଟି ଟଙ୍କା ବଜେଟରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମ ପାଖାଫାଖି ୮୦୦ଟି ପରଦାରେ ରିଲିଜ ହୋଇଥିଲା।

୨୦୧୬ ମସିହାରେ ଭାରତ ସେନା ପକ୍ଷରୁ ପାକ୍ ଅଧିକୃତ କାଶ୍ମିରରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା। ଏହା ଭାରତ ପାଇଁ ଏକ ବଡ଼ ସଫଳତା ବୋଲି ଧରାଯାଏ। ଏହି କାହାଣୀ ଉପରେ ଆଧାରିତ ଫିଲ୍ମ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ’।

ଅନ୍ୟପକ୍ଷରେ ଆସନ୍ତା ଜାନୁଆରି ୨୫ରେ ରିଲିଜ ହେବାକୁ ଯାଉଛି ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍ ଝାନସୀ’। ୧୨୫କୋଟିର ବଜେଟରେ ନିର୍ମିତ ଏହି ଫିଲ୍ମକୁ ନେଇ କଙ୍ଗନା ରଣାୱତ ଏବେ ବେଶ୍‌ ଚର୍ଚ୍ଚାରେ। ଫିଲ୍ମ ମଣିକର୍ଣ୍ଣିକାର ରିଲିଜ ପରେ ‘ଉରି’ର ବ୍ୟବସାୟ ଧୀମା ପଡ଼ିଯିବାର ଆଶଙ୍କା କରାଯାଉଛି।

Comment