ଓଡ଼ିଶାଲାଇଭ୍ ବ୍ୟୁରୋ
(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସ୍କୁଲ୍ ପିଲାମାନଙ୍କୁ ଘରୁ ସ୍କୁଲ୍କୁ ଓ ସ୍କୁଲ୍ରୁ ଘରକୁ ନେବା ଆଣିବା କରିବା ପାଇଁ ନିୟୋଜିତ ହେଉଛି ଛୋଟବଡ଼ ଗାଡ଼ି। ବାରମ୍ବାର ଏହି ଗାଡ଼ିଗୁଡ଼ିକ ବେପାରୁଆ ଓ ଦ୍ରୁତ ଗତିରେ ଯାତାୟାତ କରୁଥିବାରୁ ଘଟୁଛି ଅନେକ ଦୁର୍ଘଟଣା। ଏହି ଗାଡ଼ିଚାଳନା କରିବାପାଇଁ ସୁପ୍ରିମ୍କୋର୍ଟଙ୍କ ସ୍ୱତନ୍ତ୍ର ଗାଇଡଲାଇନ୍ ମଧ୍ୟ ରହିଛି। କିନ୍ତୁ ସମ୍ବଲପୁରରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଛି। ଗାଡ଼ି ଚାଳକମାନେ ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ୍ ପିଲାମାନଙ୍କୁ ନେବା ଆଣିବା କରୁଛନ୍ତି।
ସମ୍ବଲପୁର ସହରରେ ରହିଛି ଛୋଟ ବଡ଼ ସମେତ ପାଖାପାଖି ୨୦ରୁ ଅଧିକ ଇଂରାଜୀ ଓ ଓଡ଼ିଆ ମିଡିୟମ ଘରୋଇ ସ୍କୁଲ୍। ଏହି ସ୍କୁଲ୍ଗୁଡ଼ିକରେ ପାଠ ପଢ଼ୁଛନ୍ତି ପ୍ରାୟ ୨୫ହଜାରରୁ ଅଧିକ ଛାତ୍ରଛାତ୍ରୀ। କିନ୍ତୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସ୍କୁଲ୍ ପିଲାମାନଙ୍କୁ ନେବା ଆଣିବା କରିବା ପାଇଁ କୌଣସି ନିଜସ୍ୱ ବସ୍ କିମ୍ବା ଯାନ ନାହିଁ।
ଏଥିପାଇଁ ଅବିଭାବକମାନେ ନିଜ ଅଟୋରିକ୍ସା ଓ ଅନ୍ୟାନ ଛୋଟ ୪ ଚକିଆ ଗାଡ଼ିର ବ୍ୟବହାର କରିଥାନ୍ତି। ଅଧିକ ଅର୍ଥ ଲୋଭରେ ଅଟୋରିକ୍ସା ଓ ଏହି ୪ଚକିଆ ଯାନଗୁଡ଼ିକ ନିର୍ଦ୍ଧାରିତ ସିଟ୍ ସଂଖ୍ୟାଠାରୁ ଅଧିକ ସଂଖ୍ୟାରେ ପିଲାମାନଙ୍କୁ ଗାଡ଼ିରେ ବୋହି ସ୍କୁଲ୍କୁ ନେବା ଆଣିବା କରିଥାନ୍ତି। ଏପରିକି ଗୋଟିଏ ଗୋଟିଏ ଅଟୋରିକ୍ସା ୮ରୁ ୧୦ପିଲାଙ୍କୁ ଗାଡ଼ିରେ ବୋହି ଦ୍ରୁତ ଗତିରେ ଯିବା ଆସିବା କରିଥାନ୍ତି। ଯାହାଫଳରେ ଅଭିଭାବକମାନେ ବଡ଼ ଧରଣର ଦୁର୍ଘଟଣାର ଆଶଙ୍କା କରିଥାନ୍ତି। ହେଲେ ନା ଜିଲ୍ଲା ପରିବହନ ବିଭାଗ ନା ପୋଲିସ୍ କାହାରି ମଧ୍ୟ ଏ ନେଇ ତତ୍ପରତା ପ୍ରକାଶ ପାଇନାହିଁ। ଏହାସହ ଛୋଟଛୋଟ ପିଲାମାନେ ମଧ୍ୟ ଅଟୋରେ ସ୍କୁଲ୍ ଯିବା ଆସିବା କରିବା ସୁରକ୍ଷିତ ବୋଲି ଭାବୁନାହାଁନ୍ତି।
ଠିକ୍ ସେହିପରି ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ କହିଛନ୍ତି ଯେ, ଏଥିପାଇଁ ଜିଲ୍ଲାପ୍ରଶାସନ ଓ ଛାତ୍ରଛାତ୍ରୀଙ୍କ ଅବିଭାବକମାନେ ଚିନ୍ତା କରିବା ସମୟ ଆସିଛି।
ଏ ସଂପର୍କରେ ସ୍କୁଲ୍ର ଛାତ୍ରଛାତ୍ରୀମାନେ କହନ୍ତି, “ବହୁ କଷ୍ଟରେ ଅଟୋରିକ୍ସାରେ ବୁହା ହୋଇ ସେମାନେ ସ୍କୁଲ୍କୁ ଆସନ୍ତି। ଅନେକ ସମୟରେ ଗୋଟିଏ ପିଲା ଉପରେ ଅନ୍ୟ ଏକ ପିଲା ବସି ବାଧ୍ୟ ହୋଇ ସ୍କୁଲ୍କୁ ଆସନ୍ତି। ଘରେ ଏହି ସବୁ ସମସ୍ୟା ସଂପର୍କରେ କହିଲେ ମଧ୍ୟ ବାପା କହନ୍ତି ସେ ଅଟୋରିକ୍ସା ବାଲା ସହ କଥା ହେବେ। ବାପା କଥା ହୁଅନ୍ତି ହେଲେ, ସମସ୍ୟାର ସମାଧାନ ହୁଏନି।” ସେହିପରି ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ କହନ୍ତି, “କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ୱ ବସ୍ ନାହିଁ ସେଥିପାଇଁ ଆମେ ପିଲାଙ୍କ ଆଡ୍ମିସନ ବେଳେ ଅବିଭାବକଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଥାଉ କି ସେମାନେ ହିଁ ପିଲାଙ୍କୁ ସ୍କୁଲ୍କୁ ଛାଡ଼ିବେ ଆଉ ନେବେ। ହେଲେ କେଉଁ ବର୍ଷ ମଧ୍ୟ ଏହା ପାଳନ ହୋଇନଥାଏ। ଅନେକ ସମୟରେ ଦୁର୍ଘଟଣା ଘଟି ଛୋଟଛୋଟ ପିଲାମାନେ ଆହତ ହୁଅନ୍ତି ଆମେ ମିଟିଂ ଡାକୁ ତାଗିଦ୍ କରୁ କିନ୍ତୁ, ପରେ ଅବସ୍ଥା ଯେମିତି କୁ ସେମିତି।”
ସ୍କୁଲ୍ ପିଲାମାନଙ୍କୁ ଘରୋଇ କିମ୍ବା ସରକାରୀ ପରିବହନରେ ନେବା ଆଣିବା କରିବା ପାଇଁ ସୁପ୍ରିମ୍କୋର୍ଟ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ପ୍ରସ୍ତୁତ କରି,ସବୁ ରାଜ୍ୟ ସରକାରଙ୍କୁ ଏହା ମାନିବାକୁ ବାଧ୍ୟ କରିଛନ୍ତି। ହେଲେ ଏହି ଗାଇଡ୍ଲାଇନ୍ ବିଷୟରେ ଜିଲ୍ଲା ପରିବହନ ଅଧିକାରୀ ଜାଣିଥିଲେ ମଧ୍ କିଛି ହାତଗୁଞ୍ଜା ନେଇ ଚୁପ୍ ରହୁଥିବା ଦେଖାଦେଇଛି।
ନିକଟରେ ଢେଙ୍କାନାଳରେ ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ଅଟୋ ସହ ବସ୍ର ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ ଡ୍ରାଇଭର ସହ ଜଣେ ସ୍କୁଲ୍ ଛାତ୍ରୀ ମୃତ୍ୟୁ ବରଣ କରିଥିଲେ। ସମ୍ବଲପୁରରେ ଅଟୋରିକ୍ସା ଓ କାର୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟି ୭ଜଣ ସ୍କୁଲ୍ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ, ପ୍ରଶାସନ ଆକ୍ସନ୍ ମୁଡ୍କୁ ଆସେ ପରେ ସବୁ ଯେମିତି ଚାଲିଥିଲା ସେମିତି।
ସ୍କୁଲ୍ପିଲାଙ୍କୁ ନେଇ ଆଉ କେତେ ଦିନ ଜିଲ୍ଲାପ୍ରଶାସନ ଓ ପୋଲିସ୍ ପ୍ରଶାସନ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଦେଖି ଚୁପ୍ ରହିବେ ତାକୁ ନେଇ ଉଠିଛି ପ୍ରଶ୍ନ। ଏହି ଘଟଣାରେ ସମ୍ବଲପୁର ଏସ୍ପି ସଞ୍ଜିବ ଆରୋରା କୁହନ୍ତି, “ଆମେ ପୋଲିସ୍ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଛୁ। ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ଅଟୋରିକ୍ସା ଛୋଟ କାର୍ ଭ୍ୟାନ୍କୁ ଅନେକ ସମୟରେ ଅଟକ ରଖି ଫାଇନ୍ କରୁଛୁ ହେଲେ ଯେଉଁ ପର୍ଯ୍ୟନ୍ତ ପିଲାମାନଙ୍କ ବାପା ମାଆ ଓ ଅବିଭାବକ ସଚେତନ ନହୋଇଛନ୍ତି ସେ ପର୍ଯ୍ୟନ୍ତସ୍କୁଲ୍ ପିଲାମାନେ ହିଁ ଅଧିକ ହଇରାଣ ହେବେ।”
ରାଜ୍ୟର ବିଭିନ୍ନ ସହରରେ ସ୍କୁଲ୍ ପିଲାମାନଙ୍କୁ ନେଇ ଯାଉଥିବା ଗାଡ଼ିଗୁଡ଼ିକ ବେପାରୁଆ ଚାଳନା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଗ୍ରସ୍ତ ହେବା ନଜିର ରହିଛି। ଦୁର୍ଘଟଣା ପରେ ରାଜ୍ୟ ସରକାର ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଥାନ୍ତି। ହେଲେ ସମୟ ଥାଉଥାଉ ସରକାର କାହିଁକି ପଦକ୍ଷେପ ନେଉନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।