ଓଡ଼ିଶାଲାଇଭ୍‌ ବିଜିନେସ୍ ବ୍ୟୁରୋ

କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ଶୁକ୍ରବାର ଦିନ ଯେଉଁ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଛନ୍ତି ତାହା ରାଜକୋଷ ନଅଣ୍ଟର ଲକ୍ଷ୍ୟକୁ ହାସଲ କରିବା କଷ୍ଟ ବୋଲି କହିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଦ୍ୱାରା ଶୁକ୍ରବାର ଦିନ ୨୦୧୯-୨୦ ବର୍ଷ ପାଇଁ  ଅନ୍ତରୀଣ ବଜେଟ ଉପସ୍ଥାପିତ କରାଯାଇଛି। ବଜେଟ ଘୋଷଣା ପରେ ଅର୍ଥନୀତି ବିଶାରଦମାନେ କହିଛନ୍ତି ଯେ ରାଜକୋଷ ନିଅଣ୍ଟ ବା ଫିସକଲ ଡେଫିସିଟକୁ ରୋକିବାରେ ଏହା ଆଦୌ ସାହାଯ୍ୟ କରିବ ନାହିଁ। ରେଟିଙ୍ଗ ଏଜେନ୍ସି ମୁଡିଜର ବିଶେଷଜ୍ଞଙ୍କ ମତରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୩.୪ ପ୍ରତିଶତ ରାଜକୋଷ ନିଅଣ୍ଟ ହାସଲ କରିବା କ୍ଷେତ୍ରରେ ସରକାରଙ୍କୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ।

ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଅନ୍ତରୀଣ ବଜେଟରେ ଖର୍ଚ୍ଚ ବଢ଼ାଇବା ପାଇଁ ବହୁ ସଂଖ୍ୟକ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଗୋୟଲ ଯାହାକି ନିଅଣ୍ଟକୁ ରୋକି ପାରିବ ନାହିଁ। ତେଣେ ସରକାରଙ୍କ ରାଜସ୍ୱ ଆୟ ବୃଦ୍ଧି ପାଇଁ ବଜେଟରେ କୌଣସି ଉପାୟ ଚିନ୍ତା କରାଯାଇନାହିଁ। ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ରାଜକୋଷ ନଅଣ୍ଟ ଉପରେ କୌଣସି ନିୟନ୍ତ୍ରଣ ରଖିବା ସମ୍ଭବ ହେବନାହିଁ ବୋଲି ମୁଡିଜ୍ କହିଛି।

ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଅନ୍ତରୀଣ ବଜେଟରେ ଛୋଟ ଚାଷୀଙ୍କ ପାଇଁ ୬ ହଜାର ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ସେହିଭଳି ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ମାସକୁ ୩୦୦ ଟଙ୍କାର ପେନସନ ଓ ୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଇନକମ ଟାକ୍ସ ପଡ଼ିବ ନାହିଁ ବୋଲି ମଧ୍ୟ ବଜେଟରେ କୁହାଯାଇଛି। ଏହି ସବୁ ମନଲୋଭା କାର୍ଯ୍ୟକ୍ରମ ଯୋଗୁଁ ରାଜକୋଷ ସ୍ଥିତି ବିଗିଡ଼ିବାର ଅନୁମାନ କରାଯାଉଛି।

୨୦୨୦ରେ ଶେଷ ହେଉଥିବା ଆର୍ଥିକ ବର୍ଷରେ ମୋଟ ଜାତୀୟ ଉତ୍ପାଦନର ୩.୪ ପ୍ରତିଶତ ପର୍ଯ୍ୟନ୍ତ ରାଜକୋଷ ନଅଣ୍ଟକୁ ସୀମିତ ରଖାଯିବ ବୋଲି ଲକ୍ଷ୍ୟ ରଖିଛନ୍ତି ସରକାର। କିନ୍ତୁ ତାହା ଅସମ୍ଭବ ମନେ ହେଉଛି। ଚଳିତ ଆର୍ଥିକ ବର୍ଷରେ  ଏହି ଲକ୍ଷ୍ୟ ୩.୩ ପ୍ରତିଶତ ଥିଲା। ସେହି ଲକ୍ଷ୍ୟ ପୂରଣ ବି ସମ୍ଭଵ ନୁହେଁ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି।

Comment