ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଦାଲତ ଅବମାନନା ଅଭିଯୋଗରେ ଲକ୍ଷେ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ।

ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ମହଙ୍ଗା ପଡ଼ିଲା ଅଦାଲତ ଅବମାନନା। ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ନାଗେଶ୍ୱର ରାଓ।

ବିହାର ମୁଜାଫରପୁର ସେଲ୍‌ଟର ହୋମ୍ ଯୌନ କେଳେଙ୍କାରୀ ମାମଲାର ତଦନ୍ତ ଅଧିକାରୀ ଥିବା ତତ୍କାଳୀନ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଅରୁଣ କୁମାର ଶର୍ମାଙ୍କ ବଦଳି ପ୍ରସଙ୍ଗରେ ନାଗେଶ୍ୱରଙ୍କ ପ୍ରତି କଠୋର ହୋଇଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ନାଗେଶ୍ୱରଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ସିବିଆଇ ଆଇନ ପରାମର୍ଶଦାତାଙ୍କୁ ମଧ୍ୟ ସମାନ ଦଣ୍ଡ ଦେଇଛନ୍ତି ସୁପ୍ରିମକୋର୍ଟ।

ଏହାସହ ଆଜିର କୋର୍ଟ କାର୍ଯ୍ୟ ଶେଷ ହେବା ଯାଏଁ ଉଭୟଙ୍କୁ ଗୋଟିଏ କୋଣରେ ବସି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହା ସେମାନଙ୍କ ପାଇଁ ଜେଲ୍ ଦଣ୍ଡ ବୋଲି କହିଥିଲେ କୋର୍ଟ।

ଏହା ପୂର୍ବରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ନାଗେଶ୍ୱର।

ନାଗେଶ୍ୱରଙ୍କର ୩୨ ବର୍ଷର ନିର୍ବିବାଦୀୟ କ୍ୟାରିଅର ରହିଛି। ଏହି ମାମଲାରେ ସେ କୋର୍ଟକୁ କ୍ଷମା ମାଗିଥିବାରୁ ତାଙ୍କ ପ୍ରତି ଦୟା ପ୍ରଦର୍ଶନ କରିବାକୁ ଯୁକ୍ତି ବାଢ଼ିଥିଲେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ। ହେଲେ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସୁପ୍ରିମକୋର୍ଟଙ୍କ ଦୁଇ ଦୁଇ ଥର ନିର୍ଦ୍ଦେଶ ପରେ ସିବିଆଇ ଅଫିସର ଅରୁଣ ଶର୍ମାଙ୍କୁ ବଦଳି କରି କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିଲେ ନାଗେଶ୍ୱର। ସେ ଜାଣିଶୁଣି ଏଭଳି କରିଥିବାରୁ ତାଙ୍କ କ୍ୟାରିଅରରେ ଏକ ଦାଗ ପଡ଼ିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଥିଲେ।

ଗତ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ହୋଇଥିଲା। ଏହି ଘଟଣାକୁ ଅତି ଗୁରୁତର ବୋଲି ଦର୍ଶାଇଥିଲେ ସୁପ୍ରିମକୋର୍ଟ। ନାଗେଶ୍ୱର କୋର୍ଟଙ୍କ ନିର୍ଦ୍ଦେଶ ସହ ଖେଳ ଖେଳିଥିବା ଦର୍ଶାଇଥିଲେ ଖଣ୍ଡପୀଠ। ଆଜି ନାଗେଶ୍ୱରଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

କିଏ ଏହି ନାଗେଶ୍ୱର ରାଓ?

ସିବିଆଇର ଟପ୍‌ ଦୁଇ ଜଣ ଅଧିକାରୀ ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କୁ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦେବା ପରେ ନରେନ୍ଦ୍ର ମୋଦି ସରକାର ଏମ୍ ନାଗେଶ୍ୱର ରାଓଙ୍କୁ ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ।

ନାଗେଶ୍ୱର ରାଓ ହେଉଛନ୍ତି ୧୯୮୬ ବ୍ୟାଚ ଓଡ଼ିଶା କ୍ୟାଡରର ଆଇପିଏସ। ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲା ବୋରେନରସାପୁର ଗ୍ରାମରେ ତାଙ୍କର ଜନ୍ମ।

ନାଗେଶ୍ୱର ରାଓ ପୂର୍ବରୁ ମୟୂରଭଞ୍ଜ, ନବରଙ୍ଗପୁର,ବରଗଡ଼ ଓ ଜଗତସିଂହପୁରର ଏସ୍‌ପି ଥିଲେ। ରେଳବାଇ ଏସ୍‌ପି ଭାବରେ ମଧ୍ୟ ସେ ରାଉରକେଲା ଓ କଟକରେ କାର୍ଯ୍ୟ କରିଛନ୍ତି। କିଛି ମାସ ପାଇଁ ସେ କ୍ରାଇମବ୍ରାଞ୍ଚ ଏସ୍‌ପି ମଧ୍ୟ ରହିଥିଲେ। ଆହୁରି ମଧ୍ୟ ସେ ଓଡ଼ିଶା ଅଗ୍ନିଶମ ବିଭାଗର ମୁଖ୍ୟ ଥିଲେ ଓ ଉତ୍ତମ କାର୍ଯ୍ୟ ସମ୍ପାଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ମେଡାଲ ବି ପାଇଛନ୍ତି। ୨୦୧୩ ଫାଇଲିନ ଓ ୨୦୧୪ ହୁଡହୁଡ ବାତ୍ୟାରେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ।

ନାଗେଶ୍ୱର ରାଓଙ୍କ କ୍ୟାରିଅରର ସବୁଠାରୁ ବଡ଼ କଥା ହେଉଛି ଆଇପିଏସ ପାଇବା ପରେ ସେ ଯେତେବେଳେ ତାଳଚେରରେ ପ୍ରଥମ ଥର ପାଇଁ କାର୍ଯ୍ୟରେ ଯୋଗ ଦେଇଥିଲେ ସେଠାକାର କୋଇଲା ମାଫିଆଙ୍କୁ ସାବାଡ଼ କରିଥିଲେ। ସିଆରପିଏଫର ଡିଆଇଜି (ଅପରେସନ୍ )ଥିବା ବେଳେ ମଣିପୁରରେ ବିଦ୍ରୋହୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଜଗତସିଂହପୁର ଏସ୍‌ପି ଥିବା ବେଳେ ପ୍ରଥମ ଥର ପାଇଁ ମହେଶ୍ୱର ରାଓ ଡିଏନଏ ଫିଙ୍ଗରପ୍ରିଣ୍ଟ ଜରିଆରେ ଏକ ବଳାତ୍କାର ଘଟଣାର ସମାଧାନ କରିବାରେ ସଫଳ ହୋଇଥିଲେ। ଏହା ୧୯୮୬ର ଘଟଣା।

ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତ ହେବା ପୂର୍ବରୁ ସେ ଏହାର ଯୁଗ୍ମ ନିର୍ଦ୍ଦେଶକ ରହିଥିଲେ। ତାଙ୍କୁ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଭାବରେ ପଦୋନ୍ନତି ମିଳିଥିଲା। ଆଗ୍ରହର ବିଷୟ ହେଲା ନିଜର ଦକ୍ଷତା ସତ୍ତ୍ୱେ ଓଡ଼ିଶାରେ କାର୍ଯ୍ୟ କରିବା ସମୟରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଜିଲ୍ଲାରେ ତାଙ୍କୁ ଏସ୍‌ପି ପଦରେ ଅବସ୍ଥାପିତ କରାଯାଇନଥିଲା। ତା’ ଛଡ଼ା ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜଣେ ଖାସ ଅଫିସର ଭାବରେ ଜଣାଶୁଣା।

Comment