ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀଙ୍କ ହକ୍‌ ପାଇଁ ଗୋଟିଏ ଦିନରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଏବଂ ନବ ନିର୍ମାଣ କୃଷକ ସଙ୍ଗଠନ। ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ ଏବଂ ପେନସନ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ଆଜି ଓଡ଼ିଶା ବନ୍ଦ କରିଥିବା ବେଳେ ବରଗଡ଼ରେ ଚାଷୀଙ୍କ ହକ୍ ପାଇଁ ନବୀନ ଚାଷୀ ସମାବେଶ କରିଛନ୍ତି।

ଏହି ସମାବେଶରେ ନବୀନ କାଳିଆ ଯୋଜନାକୁ ପ୍ରଶଂସା କରିଥିବା ବେଳେ ପିଏମ୍‌ କିଷାନ ଯୋଜନାକୁ ସମାଲୋଚନା କରିଛନ୍ତି।

ନବୀନ କହିଛନ୍ତି, “କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଯୋଜନାରେ ଛୋଟ ଚାଷୀ, ଭାଗ ଚାଷୀ, ଭୂମିହୀନ ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛି। ଏହିସବୁ ଚାଷୀଙ୍କୁ ପିଏମ୍‌ କିଷାନ୍ ଯୋଜନାରେ ସାମିଲ କରିବାକୁ ଦାବି କରିଛି। ପିଏମ୍‌ କିଷାନ୍ ଯୋଜନାର ରାଶି ୬ ହଜାର ଟଙ୍କାରୁ ବୃଦ୍ଧି କରି ୧୦ ହଜାର ଟଙ୍କା କରିବାକୁ ଅନୁରୋଧ କରିଛି।”

ଏହସହ ଓଡ଼ିଶା ବନ୍ଦକୁ ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ ଯେ ବନ୍ଦ କଲେ ବି କାଳିଆର ଜୟଯାତ୍ରାକୁ କେହି ରୋକିପାରିବେ ନାହିଁ।

କାଳିଆ ଯୋଜନାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ, “ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କରିଛନ୍ତି। ଏହା ହେଉଛି ରାଜ୍ୟ ସରକାରଙ୍କର ଐତିହାସିକ ପଦକ୍ଷେପ। କାଳିଆ ଯୋଜନା ସମଗ୍ର ଦେଶକୁ ରାସ୍ତା ଦେଖାଇଛି। ବିଭିନ୍ନ ବର୍ଗର ଚାଷୀ ଏଥିରେ ଉପକୃତ ହେବେ।”

ଆଜି ମୁଖ୍ୟମନ୍ତ୍ରୀ ୧୪ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ୭୦୦ କୋଟି ଟଙ୍କା ଦେଇଛନ୍ତି।

ବରଗଡ଼ରେ ମୁଖ୍ୟମନ୍ତ୍ରୀ ଚାଷୀ ସମାବେଶରେ ଯୋଗଦେଇ ପିଏମ୍‌ ଯୋଜନାକୁ ସମାଲୋଚନା କରୁଥିବା ବେଳେ ନବ ନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା ବନ୍ଦ କରି ଚାଷୀଙ୍କ ହକ୍ ପାଇଁ ଲଢ଼େଇ କରୁଥିଲା।

ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ କରିଥିଲା। ଫଳରେ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିଲା। ନବ ନିର୍ମାଣ କୃଷକ ସଙ୍ଗଠନର ସଦସ୍ୟ ରାଜରାସ୍ତାରେ ପିକେଟିଂ କରିଥିଲେ। ଗାଡ଼ି ଚଳାଚଳ ଠପ୍ ହେବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଥିଲେ।

Comment