ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନଭି ମୁମ୍ବାଇର ସିଡ୍‌କୋ ଗ୍ରାଉଣ୍ଡରେ ୨୩-୨୪ ଫେବ୍ରୁଆରିରେ କମ୍ପିବ ଓଡ଼ିଶାର ସ୍ୱର
  • ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟରୁଚି, ବସ୍ତ୍ର ଏବଂ ସଙ୍ଗୀତର ବଡ଼ ଆକର୍ଷଣ
  • ଡ଼ିଆଙ୍କୁଓଡ଼ିଶାର ବରପୁତ୍ରସମ୍ମାନ
  • ପାରମ୍ପରିକ ସଂସ୍କୃତିର ଉପସ୍ଥାପନ ସହିତ ଆଧୁନିକ ସଙ୍ଗୀତର ପରିବେଷଣ
  • ମୁମ୍ବାଇ ମହାନଗରୀରେ ଜମିବ ଓଡ଼ିଶାର ପରିଚୟ

ମୁମ୍ବାଇ ମହାନଗରୀରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟ ରୁଚି ଏବଂ ଅନନ୍ୟ ବସ୍ତ୍ରଶିଳ୍ପର ଆକର୍ଷଣୀୟ ସମ୍ଭାର ନେଇ ଆୟୋଜିତ ହେଉଛି ‘ଆମ ଉତ୍କର୍ଷ ଓଡ଼ିଶା’। ନଭି ମୁମ୍ବାଇର ସିଡ୍‌କୋ ଗ୍ରାଉଣ୍ଡରେ ଫେବ୍ରୁଆରି ୨୩ ଏବଂ ୨୪ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଆୟୋଜିତ ହେବାକୁ ଯାଉଛି।

ମୁମ୍ବାଇ ମହାନଗରୀରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ଡୋରିରେ ବାନ୍ଧିବା ସହ ସ୍ଥାନୀୟ ଅନ୍ୟ ଭାଷାଭାଷୀ ଲୋକଙ୍କ ନିକଟରେ ଓଡ଼ିଶାକୁ ଉପସ୍ଥାପନ କରିବା ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ। ଏହି ଅବସରରେ ସ୍ଥାନୀୟ ମଂଚରେ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।

ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ୨୩ ତାରିଖ ଅପରାହ୍ନ ୫ଟା ବେଳେ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବେ। ଏହି ଅବସରରେ ମୁମ୍ବାଇ ସହରରେ ରହୁଥିବା ପ୍ରମୁଖ ଓଡ଼ିଆ ବ୍ୟକ୍ତିତ୍ୱଙ୍କ ସହ ଓଡ଼ିଶା ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟକ୍ତି ଯୋଗ ଦେବେ।

ଓଡ଼ିଶାର ଅନନ୍ୟ କଳା ପରମ୍ପରା ମଧ୍ୟରେ ସଂକୀର୍ତ୍ତନ, କଳାହାଣ୍ଡିର ଘୁମୁରା, ଗଞ୍ଜାମର ଯୋଡ଼ି ଶଂଖ, ବାଲୁକା କଳା, ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ, ରଣପା ନୃତ୍ୟ, ଠିଆ ପୁଚି ନାରଙ୍ଗ, ସମ୍ବଲପୁରୀ ଲୋକନୃତ୍ୟ ଏବଂ ଅନ୍ୟ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଆମ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବ। ତା’ ସାଙ୍ଗକୁ ରହିଛି ତରୁଣ ଏବଂ ପ୍ରବୀଣ କଣ୍ଠଶିଳ୍ପୀଙ୍କ ଦ୍ୱାରା ଆଧୁନିକ ଓ ପୁରୁଣା ଓଡ଼ିଆ ତଥା ହିନ୍ଦୀ ଗୀତର କାର୍ଯ୍ୟକ୍ରମ।

ଏହି ଅବସରରେ ପ୍ରତିଦିନ ଅପରାହ୍ନ ୨ଟା ବେଳେ ଚଳଚ୍ଚିତ୍ର ପ୍ରଦର୍ଶନର ମଧ୍ୟ ଆୟୋଜନ କରାଯାଉଛି। ଏଥିରେ ଜାତୀୟ ସ୍ତରରେ ପୁରସ୍କୃତ ତଥା ଖ୍ୟାତି ଅର୍ଜନ କରିଥିବା ଓଡ଼ିଆ ନିର୍ଦ୍ଦେଶକମାନଙ୍କ ସିନେମା ପ୍ରଦର୍ଶିତ ହେବ।

ମୁମ୍ବାଇ ମହାନଗରୀରେ ଓଡ଼ିଆମାନଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏଭଳି ଏକ ବିଶାଳ ଭାଷା ଓ ସଂସ୍କୃତିଭିତ୍ତିକ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶାର ଚାରି ଜଣ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ‘ଓଡ଼ିଶାର ବରପୁତ୍ର’ ନାଆଁରେ ନାମିତ ଏହି ପୁରସ୍କାର ପାଇବେ ରଙ୍ଗବତୀ ଗୀତର ସ୍ରଷ୍ଟା ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍, ବଲିଉଡ୍ ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ମିଶ୍ର, ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଏବଂ ଶିଳ୍ପୋଦ୍ୟୋଗୀ ସଂଜୟ ଦାସ।

ଏହି ଅବସରରେ ଏକ ନ୍ୟୁଜ୍‌ଲେଟର ମଧ୍ୟ ପ୍ରକାଶିତ ହେବ। ବୃକ୍ଷରୋପଣ ଏବଂ ସବୁଜିମାର ପ୍ରସାର ଓ ପ୍ରଚାର ପାଇଁ ପ୍ରଦର୍ଶନୀ ମଧ୍ୟରେ ଏକ ଗ୍ରୀନ୍ କର୍ନର ଖୋଲାଯାଉଛି।

ବିଶେଷକରି ଓଡ଼ିଶାର କଳାସଂସ୍କୃତି, ମନୋରଂଜନ ସହିତ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟର ପସରା ଖୋଲିବାକୁ ଯାଉଥିବା ଏହି ଦୁଇଦିନିଆ ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ ମୁମ୍ବାଇ ତଥା ବାହାରର ଓଡ଼ିଆ ଏବଂ ଅନ୍ୟ ଭାଷାଭାଷୀ ଲୋକଙ୍କୁ ଆକର୍ଷିତ କରିବ ବୋଲି ଆୟୋଜକମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here