ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରତ୍ନ କମ୍ପାନି ନାଲ୍‌କୋକୁ ନିକଟରେ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ସ୍ୱଚ୍ଛତା ସମ୍ମେଳନ-୨୦୧୯ରେ ସ୍ୱଚ୍ଛ ଭାରତ ପୁରସ୍କାର ପ୍ରଦାନ କରାଯାଇଛି। ପରିମଳ ଦିଗରେ ଭିତ୍ତିଭୂମିର ବିକାଶ ଏବଂ ବିଦ୍ୟାଳୟ ପରିମଳ ପଦକ୍ଷେପ ଆଦି ଦିଗରେ ନାଲେ୍କୋର ଅବଦାନକୁ ସ୍ୱିକୃତୀ ପ୍ରଦାନ କରି ଏହି ପୁରସ୍କାର ଦିଆଯାଇଛି।

ସହଭାଗୀ ଲୋକଉଦ୍ୟମ ଭାବେ ନାଲ୍‌କୋ, ଭାରତ ସରକାରଙ୍କ ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ଅଧିନରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ବିଦ୍ୟାଳୟରେ ୪୭୯ଟି ଶୌଚାଳୟ ପ୍ରତିଷ୍ଠା କରିଛି। ଏହା ଦ୍ୱାରା ଗ୍ରାମୀଣ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ଉପସ୍ଥାନରେ ବୃଦ୍ଧି ଘଟିଛି। ସଂପ୍ରତି ଅନୁଗୁଳ ଓ ଦାମନଯୋଡ଼ିର ଦୁର୍ଗମ ଗ୍ରାମଗୁଡ଼ିକୁ ଖୋଲାରେ ମଳତ୍ୟାଗ ମୁକ୍ତ ଗ୍ରାମରେ ପରିଣତ କରିବା ପାଇଁ ମଧ୍ୟ ନାଲ୍‌କୋ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ସ୍ୱଚ୍ଛ ଭାରତ ଅଭିଯାନର ଏକ ସକ୍ରିୟ ସହଯୋଗୀ ଭାବେ କମ୍ପାନି ତରଫରୁ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆହୁରି ମଧ୍ୟ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରି ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ନାଲ୍‌କୋ ପକ୍ଷରୁ କପଡ଼ା ଓ କାଗଜ ତିଆରି ବ୍ୟାଗ ବ୍ୟବହାର ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ବିଦ୍ୟାଳୟରେ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ତଥା ଛାତ୍ରଛାତ୍ରୀଙ୍କୁ  ପ୍ରୋତ୍ସୋହିତ କରିବା ପାଇଁ ନାଲ୍‌କୋ ପକ୍ଷରୁ ଗୁଲ୍‌ଗୁଲ୍‌-କୁନ୍‌ମୁନ୍‌ ପୁରସ୍କାର ଯୋଜନା ପ୍ରଣୟନ କରାଯାଇଛି।

ପୁରୀକୁ ଏକ ସ୍ୱଚ୍ଛ ଆଇକନିକ୍ ତୀର୍ଥସ୍ଥଳରେ ରୂପାନ୍ତରିତ କରିବା ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଏଥି ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ପାଇଁ ପାନୀୟ ଜଳ କିଓସ୍କର ସ୍ଥାପନା, ଗାନ୍ଧି ପାର୍କକୁ ଏକ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ କେନ୍ଦ୍ର ଭାବେ ଗଢି ତୋଳିବା ତଥା ପୁରୀ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପଦକ୍ଷେପ ଆଦି ଅନ୍ତର୍ଭୁକ୍ତ।

ଏହି ଅବସରରେ ନାଲେ୍କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦଙ୍କୁ ସିଏସ୍ଆର୍ ଲିଡରସିପ୍ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା। ନାଲ୍‌କୋ ସିଏସ୍ଆର୍ ସଂସ୍କୃତିକୁ ଅଧିକ ଋଦ୍ଧିମନ୍ତ କରିବା ଦିଗରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

Comment