ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ୨୦୧୯ ନିର୍ବାଚନ ପଶ୍ଚିମ ଓଡ଼ିଶାରୁ ଲଢ଼ିବେ! ଏହି ଖବର ଏବେ ସବୁଠି।

ରବିବାର ନବୀନ ନିବାସକୁ ପଶ୍ଚିମ ଓଡ଼ିଶାରୁ ପ୍ରାୟ ସମସ୍ତ ନେତା, କର୍ମୀ, ବିଧାୟକ, ସାଂସଦ, ମହିଳା, ସମର୍ଥକ ଆସିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଥିଲେ ଯେ, “ମୋତେ ପଶ୍ଚିମ ଓଡ଼ିଶାର ସମସ୍ତ ଚାଷୀ, ମହିଳା ଓ ନେତା ଅନୁରୋଧ କରିଛନ୍ତି, ସେଠାରୁ ନିର୍ବାଚନ ଲଢ଼ିବା ଲାଗି। ମୁଁ ଏ ନେଇ ବିଚାର କରୁଛି।”

ସବୁଠି ଏ ନେଇ ଚର୍ଚ୍ଚା

ମୁଖ୍ୟମନ୍ତ୍ରୀଙ୍କ ଏହି ସଙ୍କେତ ପରେ ଏବେ ବୁଦ୍ଧିଜୀବି ମହଲଠୁ ଆରମ୍ଭ କରି ରାଜନୀତି, ସାଧାରଣ ଲୋକଙ୍କ ମଧ୍ୟରେ ସେହି ଗୋଟିଏ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଗତ ୨୦୦୦ ମସିହାରୁ ଗଞ୍ଜାମର ହିଞ୍ଜିଳୀକାଟୁରୁ ନିର୍ବାଚନ ଲଢ଼ିଆସୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଯଦି ଏଥର ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢନ୍ତି ତେବେ ସେ କେଉଁ ଜିଲ୍ଲାରୁ ଆଉ କେଉଁ ଆସନରୁ ଲଢିବେ ସେ ନେଇ ସବୁଠି ଚର୍ଚ୍ଚା। ଏମିତି ବି ଚର୍ଚ୍ଚା ହେଉଛି କି ଏଥର ନିର୍ବାଚନ ମୁଖ୍ୟମନ୍ତ୍ରୀ ଉଭୟ ହିଞ୍ଜିଳୀ ଓ ପଶ୍ଚିମ ଓଡ଼ିଶାରୁ ଲଢ଼ିପାରନ୍ତି।

ଏବେ ସବୁ ଦଳର ଫୋକସ ପଶ୍ଚିମ ଓଡ଼ିଶା

ଗତ ପଞ୍ଚାୟତ ନିର୍ବାଚନ ପଶ୍ଚିମ ଓଡ଼ିଶାରେ ସେତେଟା ସଫଳତା ମିଳିନଥିଲା ବିଜୁ ଜନତା ଦଳକୁ। ସେହି ପରିସ୍ଥିତିରେ ବିଜେପିକୁ କିଛି ମାତ୍ରାରେ ସଫଳତା ମିଳିଥିଲା ଯାହାପରେ ବିଜେପି ସେଠାରେ ଉତ୍ସାହିତ ଅଛି ଆଗାମୀ ନିର୍ବାଚନ ଲାଗି। ବିଜେପୁର ଉପନିର୍ବାଚନ ବେଳେ ବିଜେଡି ମାରଥନ ପ୍ରଚାର ସହ ମୁଖ୍ୟମନ୍ତ୍ରୀଙ୍କର ବାରମ୍ବାର ଗସ୍ତ କରିଥିଲେ। ଶେଷରେ ବିଜେଡି ସେଠି ନିର୍ବାଚନ ଜିତିଥିଲା। ଯାହାପରେ ଏବେ ସମସ୍ତଙ୍କ ନଜର ପଶ୍ଚିମ ଓଡ଼ିଶାର ଉପରେ ଅଛି।

ବିଜେଡି ଖେଳିଲା ନିର୍ଣ୍ଣାୟକ କାର୍ଡ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ମିମ ଓଡ଼ିଶା ଲଢିବେ ଏ ଯେଉଁ ଖବର ରବିବାର ସକାଳଠୁ ସବୁ ଗଣମାଧ୍ୟମଠୁ ଆରମ୍ଭ କରି ସବୁଠି ହେଉଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ବିଜେଡି ନିର୍ବାଚନ ଲାଗି ପଶ୍ଚିମ ଓଡ଼ିଶାରୁ ତାର ନିର୍ଣ୍ଣାୟକ କାର୍ଡ ଖେଳିଛି। ନବୀନ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢିଲେ ଉଭୟ କଂଗ୍ରେସ ଓ ବିପେଜି ଲାଗି ନିର୍ବାଚନ ଜିତିବା ଟିକେ କଷ୍ଟ ହୋଇପାରେ ବୋଲି ରାଜନୀତି ସମୀକ୍ଷକ କହୁଛନ୍ତି।

ନବୀନଙ୍କ ଲାଗି ସବୁ ଆସନ ଖୋଲା ଅଛି

ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ନେଇ ସଙ୍କେତ ଦେବାପରେ ସେ କେଉଁ ଜିଲ୍ଲାରୁ ଲଢିବେ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ଏ ନେଇ ପଶ୍ଚିମ ଓଡ଼ିଶାର ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଯେଉଁଠୁ ଚାହିଁବେ ସେହି ଜିଲ୍ଲାରୁ ନିର୍ବାଚନ ଲଢ଼ି ପାରିବେ।”

ନବୀନଙ୍କୁ ଭୟ ଗ୍ରାସ କରିଛି : ଗୋଲକ ମହାପାତ୍ର

ନବୀନ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ବୋଲି ସଙ୍କେତ ଦେବା ପରେ ବିଭିନ୍ନ ଦଳରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି। ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି କହିଛନ୍ତି, “ନବୀନ ପଟ୍ଟନାୟକଙ୍କୁ ଭୟ ଘାରିଛି। ହାତ ହଲାଇଲେ ଆଉ ଭୋଟ ମିଳିବନି।”

ପଶ୍ଚିମ ଓଡ଼ିଶା ନେତା ଉତ୍ସାହିତ ଥିବା ବେଳେ ବିରୋଧୀ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚାର୍ଗେଟ କରୁଛନ୍ତି। ତେବେ ଏହାରି ଭିତରେ ଦେଖିବା କଥା ଯଦି ନବୀନ ପଟ୍ଟନାୟକ ପଶ୍ମିମ ଓଡ଼ିଶାବାସୀଙ୍କ ପ୍ରାର୍ଥୀ ହୁଅନ୍ତୁ ତେବେ ତେବେ ସେଠାରେ ଏହା ବିରୋଧୀଙ୍କୁ ଚେକ୍‌ ଦେବା ଲାଗି କେତେ ସହାୟକ ହେବ।

Comment